ଆଗ୍ରା: ଚାଷୀମାନେ ଶୀତଳ ଭଣ୍ଡାରରୁ ଆଳୁ ନ ନେଉ ଥିବାରୁ ସେଗୁଡ଼ିକ ପଚିବା ଆରମ୍ଭ କଲାଣି। ଫଳରେ ଶୀତଳ ଭଣ୍ଡାର ମାଲିକମାନେ ପଚା ଆଳୁ ସବୁକୁ ରାସ୍ତାକଡ଼ ଓ ପଡ଼ିଆରେ ଫିଙ୍ଗି ଦେଉଛନ୍ତି ବୁଲା ଗୋରୁ ଓ ଗରିବ ଲୋକଙ୍କ ଆହାର ପାଇଁ। ବିକ୍ରୟ ହୋଇ ନ ପାରି କେବଳ ଆଗ୍ରା ଜିଲ୍ଲାରେ ସମୁଦାୟ ୨. ୫ ଲକ୍ଷ ଟନ୍ ଆଳୁ ଫିଙ୍ଗା ଯାଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନା ଅନୁଯାୟୀ ୫୦ କିଲୋର ଏକ ଆଳୁ ପ୍ୟାକେଟ୍ର ମୂଲ୍ୟ ୧୦ ଟଙ୍କାକୁ ଖସି ଆସିଛି। ଅର୍ଥାତ୍ ଆଳୁ କିଲୋ ଏବେ ମାତ୍ର ୨୦ ପଇସା। ଏହାଛଡ଼ା ବଡ଼ ବଜାରରେ ଆଳୁ ବିକ୍ରି କରିବାକୁ ନେବା ନିମନ୍ତେ ଚାଷୀଙ୍କୁ ପରିବହନ ଖର୍ଚ ଦେବାକୁ ପଡ଼ିବ। ପୁଣି ଶୀତଳ ଭଣ୍ଡାରରୁ ଆଳୁ କାଢ଼ି ନେବାକୁ ଦେୟ ବାବଦରେ ପ୍ୟାକେଟ୍ ପିଛା ଚାଷୀଙ୍କୁ ୧୧୦ ଟଙ୍କା ଦେବାକୁ ପଡ଼ିବ। ଜୁଲାଇ ମାସରେ ଆଳୁର ପାଇକାରୀ ମୂଲ୍ୟ ଥିଲା ପ୍ୟାକେଟ୍ ପିଛା ୪୦୦ ଟଙ୍କା। ଆଳୁ ବିହନର ମୂଲ୍ୟ ହ୍ରାସ ଯୋଗୁଁ ଅଧିକ କ୍ଷତି ନ ସହିବାକୁ ଚାଷୀମାନେ ଶୀତଳ ଭଣ୍ଡାରରେ ସଂରକ୍ଷିତ ଆଳୁଗୁଡ଼ିକୁ ନ ନେବାକୁ ଉଚିତ ମଣୁଛନ୍ତି।
ତେଣେ ବିଜୁଳି ଖର୍ଚରୁ ନିସ୍ତାର ପାଇବାକୁ ଜିଲ୍ଲାରେ ଥିବା ୨୪୦ଟି ଶୀତଳ ଭଣ୍ଡାରକୁ ବିଜୁଳି ବନ୍ଦ କରି ଦେଇଛନ୍ତି। ତେଣୁ ସେଥିରେ ଥିବା ଆଳୁ ସବୁ ଦ୍ରୁତ ଗତିରେ ପଚି ଯାଉଛି। ଏବେ ହଜାର ହଜାର ଟନ୍ ଆଳୁ କଢ଼ା ଯାଇ ବାହାରେ ଫିଙ୍ଗା ଯାଉଛି।
ଆଗ୍ରା ଶୀତଳ ଭଣ୍ଡାର ଆସୋସିଏସନ୍ର ସଭାପତି ସୁଦର୍ଶନ ଅଗ୍ରଓ୍ଵାଲ୍ କହନ୍ତି: ସଂରକ୍ଷଣର ସମୟ ସୀମା ଶେଷ ହୋଇ ଯାଇଛି। ତା’ପରେ ମଧ୍ୟ କିଛି ଦିନ ଅତିକ୍ରାନ୍ତ ହୋଇ ଯାଇଛି। କିନ୍ତୁ, ବଜାରରେ ଆଳୁ ଦର ଅତି କମ୍ ଥିବାରୁ ଚାଷୀଏ ସେମାନେ ରଖିଥିବା ଆଳୁ ନେଉ ନାହାନ୍ତି। ସେଗୁଡ଼ିକୁ ଫିଙ୍ଗିବା ଛଡ଼ା ଅନ୍ୟ କିଛି ଉପାୟ ନାହିଁ। ତା’ଛଡ଼ା ଆସନ୍ତା ବର୍ଷର ଆଳୁ ସଂରକ୍ଷଣ କରିବାକୁ ଶୀତଳ ଭଣ୍ଡାର ସଫେଇ ଏବଂ ମରାମତି କାମ ଆବଶ୍ୟକ।
ଜିଲ୍ଲାରେ ଆଳୁ ହେଉଛି ଏକ ମୁଖ୍ୟ ଫସଲ। ପ୍ରାୟ ୭୨ ହଜାର ହେକ୍ଟର୍ ଜମିରେ ଆଳୁ ଚାଷ କରାଯାଏ। ଆଗ୍ରା, ଫିରୋଜାବାଦ, ମଥୁରା ଏବଂ ମଣିପୁରିକୁ ମିଶାଇ ଗଠିତ ଆଗ୍ରା ଡିଭିଜନ୍ ଦେଶର ପ୍ରମୁଖ ଆଳୁ ଉତ୍ପାଦନ ଅଞ୍ଚଳରୁ ଗୋଟିଏ।
କୃଷି ବିଭାଗର ଉପ ନିର୍ଦେଶକ ଡକ୍ଟର୍ କୌଶଳ କୁମାର କହନ୍ତି: ଯେଉଁମାନେ ଖୋଲା ଅଞ୍ଚଳରେ ଆଳୁ ଫିଙ୍ଗୁଛନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆଳୁ ଫିଙ୍ଗିବା ପାଇଁ ନୀତି ନିୟମ ଅଛି। ସେଗୁଡ଼ିକୁ ଖାତରେ ପକାଯାଇ ପୋତା ଯିବା କଥା। ଏଥି ପାଇଁ ଜିଲ୍ଲା ପ୍ରଶାସନକୁ ଏକ ମନିଟରିଙ୍ଗ୍ କମିଟି ଗଠନ କରିବାକୁ ନିର୍ଦେଶ ଦିଆ ଯାଇଛି।
ଡାକ୍ତରଙ୍କ କହିବାନୁସାରେ, ପଚା ଆଳୁ ଉଭୟ ମଣିଷ ଏବଂ ପଶୁମାନଙ୍କ ପାଇଁ କ୍ଷତିକାରକ। ଏହାକୁ ଖାଇଲେ କବକ ସଂକ୍ରମଣ ହେବାର ସମ୍ଭାବନା ରହିଛି। ପଚା ଆଳୁ ଯୋଗୁଁ ହେଉଥିବା ବାୟୁ ପ୍ରଦୂଷଣ ଯୋଗୁଁ ଫୁସ୍ଫୁସ୍ ରୋଗୀ ଭୀଷଣ ଶ୍ୱାସପ୍ରଶ୍ୱାସ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି।