କିନ୍ନରଙ୍କୁ ସମାଜ ସବୁବେଳେ ଏକ ଭିନ୍ନ ନଜରରେ ଦେଖେ। କେବଳ ସମାଜ ପାଇଁ ହିଁ ହାତରେ ଢୋଲ ଧରି ନିଜ ସମୂଦାୟ ସହ ଘର ଘର ଯାଇ ଶୁଭକାମନା ଜଣାଇବା ପାଇଁ ବାଧ୍ୟ ହୁଅନ୍ତି ଏମାନେ। ନିଜ ଇଚ୍ଛାରେ ବଞ୍ଚିବା ପାଇଁ ଚାହିଁଲେ ମଧ୍ୟ ବଞ୍ଚିପାରୁନାନ୍ତି। ଏମାନେ ସମାଜରେ ନିଜର ସ୍ୱତନ୍ତ୍ର ପରିଚୟ ପାଇବା ପାଇଁ ସବୁଦିନ ଲଢ଼େଇ କରୁଛନ୍ତି। ୨୦୧୧ର ଜନଗଣନା ରିପୋର୍ଟ ଅନୁସାରେ ଭାରତରେ ଅଛନ୍ତି ୪ ଲକ୍ଷ ୯୦ ହଜାର କିନ୍ନର। ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ପରେ କିନ୍ନରମାନଙ୍କୁ ମିଳିଥିଲା ତୃତୀୟଲିଙ୍ଗର ସମ୍ମାନ। ତଥାପି ସେମାନଙ୍କ ପ୍ରତି ସମାଜର ଦୃଷ୍ଟିଭଙ୍ଗୀ ବଦଳି ପାରିନି। ତେବେ ଏହି କିନ୍ନରମାନଙ୍କ ମଧ୍ୟରେ ଏମିତି କିଛି ଅଛନ୍ତି ଯେଉଁମାନେ ନିଜର ଦକ୍ଷତା ଏବଂ କଠିନ ପରିଶ୍ରମ ବଳରେ ସଫଳତା ହାସଲ କରିଛନ୍ତି। ତଥାପି ଲୋକେ ଆଜି ବି ତାଙ୍କୁ ଗ୍ରହଣ କରିପାରନ୍ତି ନାହିଁ। ତେବେ ସମାଜର ଏପରି ନଜରରେ ଅତିଷ୍ଠ ହୋଇ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ପତ୍ର ଲେଖି ଇଚ୍ଛା ମୃତ୍ୟ ମାଗିଛନ୍ତି ଜଣେ କିନ୍ନର। କାରଣ ଏୟାର ଇଣ୍ଡିଆ ତାଙ୍କୁ ଚାକିରିରେ ରଖିବା ପାଇଁ ମନା କରିଦେଇଛି।
Sambad is now on WhatsApp
Join and get latest news updates delivered to you via WhatsApp
କିନ୍ନର ଶାନଭୀ ପନ୍ନୁସ୍ୱାମୀଙ୍କୁ ଏୟାର ଇଣ୍ଡିଆ ଚାକିରି ନଦେବାରୁ ବିଗତ ବର୍ଷ ନଭେମ୍ବରରେ ସୁପ୍ରିମକୋର୍ଟରେ ମାମଲା ଦାଏର କରିଥିଲେ ଶାନିଭୀ। ଆଉ ଏହାର ଉତ୍ତରରେ କୋର୍ଟ ଏୟାର ଇଣ୍ଡିଆ ଓ ବିମାନ ମନ୍ତ୍ରାଳୟକୁ ନୋଟିସ ପଠାଇ ଜବାବ ମାଗିଥିଲେ। ରାଷ୍ଟ୍ରପତଙ୍କୁ ଲେଖିଥିବା ପତ୍ରରେ ଶାନଭୀ ଦାବି କରିଛନ୍ତି ଏବେ ପର୍ଯ୍ୟନ୍ତ ଏୟାର ଇଣ୍ଡିଆ କିମ୍ବା ବିମାନ ମନ୍ତ୍ରାଳୟ ତରଫରୁ କୌଣସି ଜବାବ ମିଳିନାହିଁ।
ଶାନଭୀ କହିଛନ୍ତି, ଚାକିରି ବିନା ସେ ତାଙ୍କର ଆବଶ୍ୟକତାକୁ ପୂରା କରିପାରୁ ନାହାନ୍ତି। ସେ ତାଙ୍କ ନିତିଦିନିଆ ଖର୍ଚ୍ଚ ଉଠାଇବା ପାଇଁ ଅକ୍ଷମ। ଏପରିକି ଦୁଇ ଓଳି ଦୁଇ ମୁଠା ଭଲରେ ଖାଇବା ପାଇଁ ମିଳୁନି। ଶାନଭୀ ଟ୍ରାନ୍ସ ରାଇଟ୍ ନାଓ କଲେକ୍ଟିଭ ନାମକ ଫେସବୁକ୍ ପେଜରେ ପତ୍ର ଲେଖି ଅପଲୋଡ କରିଛନ୍ତି। ଶାନଭୀ କହିଛନ୍ତି ସେ କିନ୍ନର ହୋଇଥିବାରୁ ହିଁ ତାଙ୍କୁ ଚାକିରି ମିଳିନି। କଲ ଲେଟର ମିଳିଲେ ମଧ୍ୟ ତାଙ୍କୁ ଏଯାଏଁ ଚାକରି ମିଳପାରୁନି। ଏୟାର ଇଣ୍ଡିଆ କର୍ତ୍ତୃପକ୍ଷକୁ ଏନେଇ ପ୍ରଶ୍ନ କଲେ ସେମାନେ କହୁଛନ୍ତି, ଏୟାର ଇଣ୍ଡିଆରେ କିନ୍ନରଙ୍କ ପାଇଁ କୌଣସି ବର୍ଗ ନାହିଁ।