ପଞ୍ଜାବରେ ରାବଣ ପୋଡ଼ି ଦେଖୁଥିବା ବେଳେ ଚଢ଼ିଗଲା ଟ୍ରେନ୍ : ମୃତକଙ୍କ ସଂଖ୍ୟା ୫୦ ଟପିଲା, ଆହୁରି ବଢ଼ିବା ଆଶଙ୍କା

ଗୃହମନ୍ତ୍ରୀ ରାଜନାଥ, ମୁଖ୍ୟମନ୍ତ୍ରୀ ଅମରିନ୍ଦର ଜଣାଇଲେ ଶୋକ, ପଞ୍ଜାବ ସରକାରଙ୍କ ଅନୁକମ୍ପା ରାଶି ଘୋଷଣା

ଚଣ୍ଡିଗଡ଼: ପଞ୍ଜାବର ଅମୃତସର ନିକଟରେ ଶୁକ୍ରବାର ସନ୍ଧ୍ୟାରେ ଘଟିଥିବା ଟ୍ରେନ୍‌ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୫୦ ଟପିଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ରେଳ ଧାରଣା ଉପରେ ରାବଣ ପୋଡ଼ି ଦେଖୁଥିବା ବେଳେ ଲୋକଙ୍କ ଉପରେ  ଡିଏମ୍‌ୟୁ ଟ୍ରେନ୍‌  ଚଢ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ୫୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଆହତ ହୋଇଥିବା ସୂଚନା ମିଳିଛି। ତେବେ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା କରାଯାଉଛି। ଟ୍ରେନ୍‌ଟି ପଠାନକୋଟରୁ ଅମୃତସର ଯାଉଥିବା ଥିବା ବେଳେ  ଗୌଡ଼ା ବଜାରରେ ରାବଣ ପୋଡ଼ି ଆୟୋଜନ ସ୍ଥଳରେ ଦୁର୍ଘଟଣାର ସମ୍ମୁଖୀନ ହୋଇଛି।

ଦୁର୍ଘଟଣା ପରେ ରେଳ ଧାରଣାର ଉଭୟ ପାର୍ଶ୍ୱରେ ମୃତଦେହ ପଡ଼ିଥିବାରୁ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ଓ ରେଳମନ୍ତ୍ରୀ ପିୟୁଷ ଗୋଏଲ୍ ଟୁଇଟ କରି ଗଭୀର ଶୋକ ଜଣାଇଛନ୍ତି।

ପଞ୍ଜାବ ସରକାରଙ୍କ ଘୋଷଣା

ରେଳ ଦୁର୍ଘଟଣା ପଞ୍ଜାବକୁ ଥରାଇଦେଇଛି ବୋଲି ରାଜ୍ୟର ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଟୁଇଟ୍‌ କରିଛନ୍ତି। ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିବା ସହିତ ମୃତ ବ୍ୟକ୍ତିଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ସେହିଭଳି ଆହତମାନଙ୍କ ଚିକିତ୍ସା ରାଜ୍ୟ ସରକାର କରିବେ ବୋଲି ସେ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ମୁଖ୍ୟ ସଚିବ, ଗୃହ ସଚିବ ଓ ଏଡିଜିପି ଲ ଆଣ୍ଡ ଅଡରକୁ ଆଦେଶ ଦେଇଛନ୍ତି। ଦୁର୍ଘଟଣାସ୍ଥଳକୁ  ପଞ୍ଜାବ ରାଜସ୍ୱ ମନ୍ତ୍ରୀ ସୁଖବିନ୍ଦର ସରକରିଆର ଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ଶନିବାର ଅମୃତସର ଗସ୍ତ କରିବେ।

ରାବଣ ପୋଡ଼ି ଦେଖୁଥିଲେ ଦର୍ଶକ

ସୂଚନାଯୋଗ୍ୟ, ଅମୃତସରରର ଗୌଡ଼ା ବଜାରରେ ରେଳ ଟ୍ରାକ୍‌ ଉପରେ ଶତାଧିକ ଲୋକ ରାବଣ ପୋଡ଼ି ଦେଖୁଥିବା ବେଳେ ଟ୍ରେନ ଧକ୍କା ଦେବାରୁ ଦୁର୍ଘଟଣା ଘଟିଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଯୋଡ଼ା ଫାଟକ ନିକଟରେ ବହୁ ସଂଖ୍ୟାରେ ଦର୍ଶକ ରାବଣ ପୋଡ଼ି ଦେଖୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଗୁରୁତର ଆହତଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସରେ ହସ୍ପିଟାଲ ନିଆଯାଉଛି।

ପୋଲିସ କହିଛି,  ଉଦ୍ଧାର କାର୍ଯ୍ୟକୁ ତୀବ୍ର କରି ଦିଆଯାଇଛି। ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟପଟରେ ସ୍ଥାନୀୟ ଅଞ୍ଚଳ ଏକ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର