୩୩% ମହିଳା ସଂରକ୍ଷଣ ପ୍ରସଙ୍ଗ : ନବୀନଙ୍କ‌ ରାସ୍ତାରେ ରାହୁଲ

ସଂକଳ୍ପ ପାଇଁ କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ନୂଆଦିଲ୍ଲୀ : ସଂସଦ ଓ ବିଧାନସଭାରେ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ ଲାଗି ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଯେଉଁ ଅଭିଯାନ ଚଳାଇଛନ୍ତି ସେଥିରେ ସାମିଲ ହୋଇଛନ୍ତି କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ। ନବୀନଙ୍କ ଭଳି ସେ ମଧ୍ୟ ମହିଳା ବିଲକୁ ସମର୍ଥନ କରିବା ଲାଗି ପରାମର୍ଶ ଦେଇଛନ୍ତି। ଏସମ୍ପର୍କରେ ‌େସ କଂଗ୍ରେସ ଶାସିତ ଏବଂ କଂଗ୍ରେସ ସହ ମେଣ୍ଟ କରିଥିବା ମୁଖ୍ୟନ୍ତ୍ରୀମାନଙ୍କୁ ଚିଠି ଲେଖିଛନ୍ତି। ନିଜ ନିଜ ରାଜ୍ୟର ବିଧାନସଭାରେ ଏ ସମ୍ପର୍କରେ ସଂକଳ୍ପ ଗ୍ରହଣ କରିବା ଲାଗି ମଧ୍ୟ କହିଛନ୍ତି।

ଗତ ଗୁରୁବାର ରାହୁଲ ଲେଖିଥିବା ତାଙ୍କ ଚିଠିରେ ଦର୍ଶାଇଛନ୍ତି, ପାର୍ଲାମେଣ୍ଟରେ ମହିଳାମାନଙ୍କୁ ପ୍ରତିନିଧିତ୍ବ ଦେବାରେ ବିଶ୍ବର ୧୯୩ଟି ଦେଶ ମଧ୍ୟରେ ଭାରତର ସ୍ଥାନ ୧୪୮ ରହିଛି। ରାଜ୍ୟର ବିଧାନସଭା ଗୁଡ଼ିକରେ ଏହି ପରିସ୍ଥିତି ଆହୁରି ଦୟନୀୟ। ରାଜନୀତିରେ ମହିଳାମାନଙ୍କ ପ୍ରତିନିଧିତ୍ବ ଯଥେଷ୍ଟ ମାତ୍ରାରେ ନରହିବା ଆମ ଗଣତନ୍ତ୍ରକୁ ଦୁର୍ବଳ କରିଛି। ପଞ୍ଚାୟତ ସ୍ତରରେ ମହିଳାମାନଙ୍କୁ ଦିଆଯାଇଥିବା ସଂରକ୍ଷଣ ଯୋଗୁ ସେମାନେ କେବଳ ଉତ୍ତମ ନେତ୍ରୀ ହୋଇପାରି ନାହାନ୍ତି, ବରଂ ସାଧାରଣ ଜୀବନରେ ଅଂଶଗ୍ରହଣ ଲାଗି ସେମାନଙ୍କ ପ୍ରତିନିଧିତ୍ବକୁ ଯେଉଁମାନେ ଛଡ଼ାଇ ନେଇଥିଲେ ସେମାନଙ୍କ ପ୍ରତି କଡ଼ା ଚ୍ୟାଲେଂଜ୍ ସୃଷ୍ଟି କରିଛନ୍ତି।

ଯଦିଓ ମହିଳା ସଂରକ୍ଷଣ ବିଲ୍ ୨୦୧୦ରେ ରାଜ୍ୟସଭାରେ ଗୃହୀତ ହୋଇଥିଲା କିନ୍ତୁ ୨୦୧୪ରେ ପଞ୍ଚଦଶ ଲୋକସଭାର କାର୍ଯ୍ୟକାଳ ପୂରଣ ହୋଇଯିବାରୁ ଏହାକୁ ଆଇନରେ ପରିଣତ କରାଯାଇ ପାରି ନଥିଲା।

ଉଲ୍ଲେଖଯୋଗ୍ୟ, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବିଲ୍ ସପକ୍ଷରେ ଓଡ଼ିଶା ବିଧାନସଭାରେ ସଂକଳ୍ପ ପାସ୍ କରାଇଥିଲେ। ଏହାସହିତ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଏହି ବିଲକୁ ସମର୍ଥନ କରିବାକୁ ଅନୁରୋଧ କରିଥିଲେ। କେବଳ ଏତିକି ନୁହେଁ, ବିଲ୍ ସପକ୍ଷରେ ସମର୍ଥନ ହାସଲ କରିବା ଲାଗି ସେ ତାଙ୍କ ଦଳର ସାଂସଦ, ବିଧାୟକ ଏବଂ ମନ୍ତ୍ରୀମାନଙ୍କ କମିଟି ଗଠନ କରିଛନ୍ତି। ଏହି କମିଟି ବିଭିନ୍ନ ଜାତୀୟ ଓ ଆଞ୍ଚଳିକ ଦଳର ମୁଖ୍ୟମାନଙ୍କୁ ଭେଟି ବିଲ୍ ସପକ୍ଷ‌େର ସମର୍ଥନ ଯୋଗାଡ଼ କରିବେ।

ସୂଚନାଯୋଗ୍ୟ ଯେ ଏବେ ପଞ୍ଜାବ, ପୁଡୁଚେରୀ ଏବଂ ମିଜୋରାମରେ କଂଗ୍ରେସ କ୍ଷମତାରେ ରହିଛି। ଏହି ତିନି ରାଜ୍ୟରେ କଂଗ୍ରେସର ମୁଖ୍ୟମନ୍ତ୍ରୀ ଅଛନ୍ତି। କିନ୍ତୁ କର୍ଣ୍ଣାଟକରେ ଜେଡିଏସ ସହିତ କଂଗ୍ରେସର ମେଣ୍ଟ ରହିଛି। ସେଠାରେ ଜେଡିଏସ୍ ନେତା ମୁଖ୍ୟମନ୍ତ୍ରୀ ଅଛନ୍ତି। ଆସନ୍ତାକାଲି ବିଜେପି ବିରୋଧୀ ମେଣ୍ଟ ପାଇଁ ବୈଠକ ହେବାକୁ ଯାଉଥିବା ବେଳେ ରାହୁଲ ଏହି ଚିଠି ଲେଖିଛନ୍ତି।

ସମ୍ବନ୍ଧିତ ଖବର