ଲଜ୍ଜା: ଅରୁଣାଚଳ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁଙ୍କ ବିରୋଧରେ ଜଣେ ମହିଳା ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି। ପୀଡ଼ିତା ଜଣଙ୍କ ୧୫ ବର୍ଷ ବୟସର ହୋଇଥିବା ବେଳେ ସେ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ଏବଂ ଅନ୍ୟ ୩ ଜଣଙ୍କ ଦ୍ବାରା‌ ଦୁଷ୍କର୍ମର ଶିକାର ହୋଇଥିଲେ ବୋଲି ଅଭିଯୋଗ କରିଛନ୍ତି। ଏପରିକି ନ୍ୟାୟ ପାଇବା ପାଇଁ ସେ ଏବେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଅପରପକ୍ଷେ, ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରଂଜନ ଗୋଗଇଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଉକ୍ତ ମାମଲାରେ ହସ୍ତକ୍ଷେପ କରିବେ ନାହିଁ ବୋଲି କହିବା ସହ ଏଥି ପାଇଁ ପୀଡ଼ିତାଙ୍କୁ ହାଇ‌କୋର୍ଟରେ ଆବେଦନ କରିବାକୁ ପରାମର୍ଶ ଦେଇଛନ୍ତି। ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କୁ ୧୫ ବର୍ଷ ହୋଇଥିବା ବେଳେ ସେ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ଏବଂ ଅନ୍ୟ ୩ ଜଣଙ୍କ ଦ୍ବାରା ଦୁଷ୍କର୍ମର ଶିକାର ହୋଇଥିଲେ। ଅରୁଣାଚଳର ଏକ ସରକାରୀ କଲ୍‌ ଅଫିସ୍‌ରେ ସେ କାର୍ଯ୍ୟ କରୁଥିବା ବେଳେ ଜଣେ ବ୍ୟକ୍ତି ତାଙ୍କୁ ସ୍ଥାୟୀ ସରକାରୀ ଚାକିରିର ଲୋଭ ଦେଖାଇ ଏକ ବୈଠକରେ କିଛି ଲୋକଙ୍କୁ ଭେଟିବା ପାଇଁ କହିଥିଲେ। ‌ତେବେ ବୈଠକରେ ପୀଡ଼ିତାଙ୍କୁ ଏକ ନିଶା ମିଶିଥିବା ପାନୀୟ ଦିଆଯାଇ ତାଙ୍କୁ ଅଚେତ କରାଯାଇଥିଲା। ଚେତା ଫେରିଲା ବେଳକୁ ତାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ସେ ଅନୁଭବ କରିଥିଲେ। ଏ ସମ୍ପର୍କରେ ପୀଡ଼ିତା ପୁଲିସ ଏବଂ ଚିଫ୍ ଜୁଡିସିଆଲ ମାଜିଷ୍ଟ୍ରେଟ୍‌ଙ୍କ ନିକଟ‌ରେ ୪ ଅଭିଯୁକ୍ତଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। କିନ୍ତୁ ତାଙ୍କ ଅଭିଯୋଗକୁ ସେମାନେ ଗ୍ରହଣ ନକରିବାରୁ ସେ ସୁପ୍ରିମ୍‌ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସେ ମଧ୍ୟ ଗତବର୍ଷ ମାର୍ଚ୍ଚରେ ଜାତୀୟ ମହିଳା କମିସନରେ ବିସ୍ତୃତ ରିପୋର୍ଟ ଦାଖଲ କରିଥିଲେ। ନ୍ୟାୟ ମିଳିବା ପର୍ଯ୍ୟନ୍ତ ସଂଘର୍ଷ ଜାରି ରଖିବେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର