ଲାଲୁଙ୍କୁ ଡିସ୍‌ଚାର୍ଜ କଲା ଏମ୍ସ , ପରିବାର କହିଲେ ରାଜନୈତିକ ଷଡଯନ୍ତ୍ର

ନୂଆଦିଲ୍ଲୀ: ମାର୍ଚ୍ଚ ୨୬ ତାରିଖଠାରୁ ଚିକିତ୍ସିତ ହେଉଥିବା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ସୋମବାର ଦିଲ୍ଲୀ ଏମ୍ସ କର୍ତ୍ତୃପକ୍ଷ ଡିସଚାର୍ଜ କରିଛନ୍ତି। ତାଙ୍କୁ ଚିକିତ୍ସା କରୁଥିବା ୬ଜଣିଆ ଡାକ୍ତରୀ ଦଳ ରିପୋର୍ଟ ଦେଇଛନ୍ତି ଯେ ଲାଲୁପ୍ରସାଦଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ଅଛି ଓ ସେ ରାଞ୍ଚିସ୍ଥିତ ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସିତ ହୋଇପାରିବେ। ଏଥିସହ ଦିଲ୍ଲୀରୁ ରାଞ୍ଚି ଯିବା ଲାଗି ସେ ଠିକ୍‌ ଅଛନ୍ତି ବୋଲି ଡାକ୍ତର ପ୍ରକାଶ କରିଛନ୍ତି।

ତେବେ ଏମ୍ସର ଏହି ନିଷ୍ପତ୍ତିକୁ ଗ୍ରହଣ କରିପାରି ନାହାନ୍ତି ଲାଲୁ ପ୍ରସାଦ ଓ ତାଙ୍କ ପରିବାର। ସେମାନେ ସୋମବାର ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ଏହା ରାଜେନୈତିକ ଷଡଯନ୍ତ୍ର ବୋଲି ଅଭିଯୋଗ କରିଛନ୍ତି। ଲାଲୁ ପ୍ରସାଦଙ୍କ ସ୍ୱାସ୍ଥ୍ୟକୁ ଖରାପ କରିବା ଲାଗି ଏହା ଏକ ସୁଚିନ୍ତିତ ଯୋଜନା ବୋଲି କହିଛନ୍ତି ପରିବାର । ରାଞ୍ଚିରେ ଚିିକିତ୍ସା ଲାଗି କୌଣସି ସୁବିଧା ନଥିଲେ ହେଁ ଲାଲୁ ପ୍ରସାଦଙ୍କୁ ସେଠାକୁ ପଠାଇ ଦିଆଯାଇଛି ବୋଲି ଅଭିଯୋଗ କରିଛନ୍ତି ଯାଦବଙ୍କ ପରିବାର।

ଏମ୍ସ କର୍ତ୍ତୃପକ୍ଷଙ୍କ ଏହି ନିଷ୍ପତ୍ତି ପରେ ଲାଲୁଙ୍କ ସମର୍ଥକମାନେ ଡାକ୍ତରଖାନାକୁ ଆସି ଭଙ୍ଗାରୁଜା କରିବା ସହକର୍ମଚାରୀଙ୍କୁ ମାରଧର କରିଛନ୍ତି। ଏନେଇ ପୁଲିସ ନିକଟରେ ଏମ୍ସ ପକ୍ଷରୁ ଏତଲା ଦିଆଯାଇଛି। ଅନ୍ୟପକ୍ଷରେ ଲାଲୁଙ୍କ ପୁତ୍ର ତେଜସ୍ୱିନୀ ଯାଦବ କହିଛନ୍ତି ଯେ କେବଳ ଏମସ କର୍ତ୍ତୁପକ୍ଷ କହିପାରିବେ ସେମାନେ କାହା ଇଙ୍ଗିତରେ ଏପରି ନିଷ୍ପତ୍ତି ନେଇଛନ୍ତି।

ଏଥିପୂର୍ବରୁ ଲାଲୁ ପ୍ରସାଦ ଏମ୍ସର ଏହି ନିଷ୍ପତ୍ତି ବିରୋଧରେ ଏକ ପତ୍ର ନିର୍ଦ୍ଦେଶକଙ୍କୁ ଲେଖିଛନ୍ତି। ସେ ରାଞ୍ଚିଯିବା ଲାଗି ନିଜକୁ ସୁସ୍ଥ ମଣୁ ନଥିବା ବେଳେ ତାଙ୍କୁ କାହିଁକି ପଠାଯାଇଛି ତାହା ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

 

ସମ୍ବନ୍ଧିତ ଖବର