କୃଷ୍ଣସାର ମୃଗ ଶିକାର ମାମଲା: ସଲମାନ୍‌ଙ୍କୁ ଜାମିନ୍‌

ଯୋଧପୁର: କୃଷ୍ଣସାର ମୃଗ ଶିକାର ମାମଲାରେ ୫ ବର୍ଷ ଜେଲ୍‌ଦଣ୍ଡାଦେଶ ପାଇଥିବା ବଲିଉଡ୍‌ ସୁପରଷ୍ଟାର୍‌ ସଲମାନ ଖାନ୍‌ଙ୍କୁ ଆଜି ଜାମିନ ମଞ୍ଜୁର ହୋଇଛି। ଦୁଇଦିନର ପ୍ରତୀକ୍ଷା ପରେ ଯୋଧପୁର ଜିଲ୍ଲା କୋର୍ଟରେ ଆଜି ବିଚାରପତି ରବିନ୍ଦ୍ର କୁମାର ଯୋଶୀ ସଲମାନଙ୍କ ଜାମିନ ଆବେଦନର ଶୁଣାଣି କରି ଜାମିନ ମଞ୍ଜୁର କରିଛନ୍ତି। କୋର୍ଟ ବାହାରେ ସଲମାନଙ୍କ ଅନେକ ପ୍ରଶଂସକ ସମବେତ ହୋଇ ଏହି ଖବରକୁ ଉତ୍କଣ୍ଠାର ସହ ଚାହିଁ ରହିଥିଲେ। ଜାମିନ ମିଳିବା ମାତ୍ରେ ସେମାନେ ମିଠାଇ ବାଣ୍ଟି ଓ ବାଣ ଫୁଟାଇ ଖୁସି ଜାହିର୍‌ କରିଥିଲେ। ସଲମାନଙ୍କୁ ୫୦,୦୦୦ ଟଙ୍କାର ବ୍ୟକ୍ତିଗତ ବଣ୍ଡ୍‌ରେ ଜାମିନ ପ୍ରଦାନ କରାଯାଇଛି। ଅନ୍ୟପକ୍ଷରେ ମେ’ ୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି କୋର୍ଟ ଧାର୍ଯ୍ୟ କରିଛନ୍ତି ଏବଂ ଏହିଦିନ ସଲମାନ୍‌ ପୁଣି କୋର୍ଟରେ ହାଜର ହେବେ। ଏବେ ସଲମାନ ତାଙ୍କ ଦଣ୍ଡାଦେଶ ବିରୋଧରେ ଉଚ୍ଚ ନ୍ୟାୟାଳୟରେ ଆବେଦନ କରିପାରିବେ। ଆଜି ଶୁଣାଣି ସମୟରେ ସଲମାନଙ୍କ ଦୁଇ ଭଉଣୀ ଅଲଭିରା ଏବଂ ଅର୍ପିତା କୋର୍ଟରେ ଉପସ୍ଥିତ ଥିଲେ। ଜାମିନ ମଞ୍ଜୁର ପରେ ବିଷ୍ଣୋଇ ସମ୍ପ୍ରଦାୟ ପକ୍ଷରୁ ମାମଲା ଳଢ଼ୁଥିବା ଆଇନଜୀବୀ ମହିପାଲ ବିଷ୍ଣୋଇ କହିଥିଲେ ଯେ ସଲମାନ୍‌ କୋର୍ଟଙ୍କ ବିନା ଅନୁମତିରେ ଦେଶ ଛାଡ଼ି କୁଆଡ଼େ ଯାଇପାରିବେ ନାହିଁ ବୋଲି ସର୍ତ୍ତ ରଖାଯାଇଛି। ଏହି ଜାମିନ ବିରୋଧରେ ବିଷ୍ଣୋଇ ସଂପ୍ରଦାୟ ରାଜସ୍ଥାନ ହାଇକୋର୍ଟରେ ଆବେଦନ କରିବ ବୋଲି ଆଜି ଘୋଷଣା କରିିଛି।

ଜାମିନ ମିଳିବାପରେ ସଲମାନ୍‌ ଆଜି ଅପରାହ୍ନରେ କଡ଼ା ସୁରକ୍ଷା ବଳୟରେ ଯୋଧପୁର ଜେଲ୍‌ରୁ ବାହାରି ବିମାନବନ୍ଦରରେ ପହଞ୍ଚିଥିଲେ ଏବଂ ସେଠାରୁ ଦୁଇ ଭଉଣୀଙ୍କ ସହ ଏକ ଚାର୍ଟଡ ବିମାନରେ ମୁମ୍ବାଇ ଅଭିମୁଖେ ଯାତ୍ରା କରିଥିଲେ। ଜାମିନ ଆବେଦନର ଶୁଣାଣି ସମୟରେ ସଲମାନ୍‌ଙ୍କ ଓକିଲ ମହେଶ ବୋରା ନିମ୍ନ ଅଦାଲତଙ୍କ ରାୟକୁ ଚ୍ୟାଲେଞ୍ଜ୍‌ କରିଥିଲେ। ବୋରା ଜିଲ୍ଲା କୋର୍ଟରେ କହିଥିଲେ ଯେ ଟ୍ରାଏଲ କୋର୍ଟ ତାଙ୍କର ନିଷ୍ପତ୍ତିରେ ଅନେକ ଦିଗକୁ ଅଣଦେଖା କରିଛନ୍ତି।

ଓକିଲଙ୍କୁ ହତ୍ୟା ଧମକ
ସଲମାନ୍‌ ଖାନ୍‌ଙ୍କ ପାଇଁ ମାମଲା ଲଢ଼ୁଥିବା ଆଇନଜୀବୀ ମହେଶ ବୋରାଙ୍କୁ ହତ୍ୟା ଧମକ ମିଳିଛି। ବୋରା ସଲମାନଙ୍କ ମାମଲାରୁ ଓହରିଯିବାପାଇଁ ତାଙ୍କୁ ରବି ପୂଜାରା ନାମକ ଜଣେ ଗ୍ୟାଙ୍ଗ୍‌ଷ୍ଟର ହତ୍ୟା ଧମକ ଦେଇଛି ବୋଲି ସେ କହିଛନ୍ତି। ଗ୍ୟାଙ୍ଗଷ୍ଟର ଜଣକ ବୋରାଙ୍କ ମୋବାଇଲ୍‌କୁ ଏକ ମେସେଜ୍‌ ପଠାଇ କହିଛି ଯେ ସଲମାନ୍‌ଙ୍କ ମାମଲାରୁ ଓହରି ଆସ ନଚେତ୍‌ ଗୁଳି କରି ମାରି ଦିଆଯିବ। ତେବେ ବରିଷ୍ଠ ଆଇଜୀବୀ ବୋରା ଏନେଇ ଯୋଧପୁର ପୁଲିସ କମିସନରଙ୍କୁ ଜଣାଇବାପରେ ତାଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। କୋର୍ଟ ବାହାରେ ବୋରା ପୁଲିସ ସୁରକ୍ଷା ଭିତରେ ଥିବା ଦେଖିବାକୁ ମିଳିଥିଲା। ଯୋଧପୁର ପୁଲିସ କମିସନର ଅଶୋକ ରାଥୋଡ଼ କହିଛନ୍ତି ଯେ ମୁମ୍ବାଇ ପୁଲିସ ରେକର୍ଡରେ ପୂଜାରା ଜଣେ ଗ୍ୟାଙ୍ଗଷ୍ଟର ଏବଂ ସେ ଏବେ ଅଷ୍ଟ୍ରେଲିଆରେ ଆତ୍ମଗୋପନ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର