କାହିଁକି ବଦଳିଲା ସାଉଦି ଯୁବରାଜଙ୍କ ପାକିସ୍ତାନ ଗସ୍ତ ?

ରିୟାଦ : ଆଜି ପାକିସ୍ତାନ ଗସ୍ତରେ ଆସିବାକୁ ଥିବା ସାଉଦି ଆରବର ଯୁବରାଜ ମହମ୍ମଦ ବିନ ସଲମାନ ନିଜର କାର୍ଯ୍ୟକ୍ରମକୁ ଗୋଟିଏ ଦିନ ବିଳମ୍ବିତ କରିଛନ୍ତି  । ନୂଆ କାର୍ଯ୍ୟକ୍ରମ ଅନୁସାରେ ସେ ଆସନ୍ତା କାଲି ଇସ୍ଲାମାବାଦରେ ପହଞ୍ଚିବେ । ଏକ ବ୍ୟବସାୟିକ ପ୍ରତିନିଧିମଣ୍ଡଳ ସହ ସେ ପାକିସ୍ତାନକୁ ଆସୁଛନ୍ତି । ଏହି ପରିବର୍ତ୍ତିତ କାର୍ଯ୍ୟସୂଚୀ ସଂପର୍କରେ ପାକିସ୍ତାନର ବୋର୍ଡ ଅଫ ଇନଭେଷ୍ଟମେଣ୍ଟ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଭାରତ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଦୃଷ୍ଟିରେ ରଖି ସେ ଏହି କାର୍ଯ୍ୟକ୍ରମ ବଦଳାଇଥିବା ଆଲୋଚନା ହେଉଛି । କାରଣ ଏହି ଆତଙ୍କବାଦୀ ଆକ୍ରମଣ ପରେ ଆତଙ୍କବାଦ ବିରୋଧରେ ସମଗ୍ର ବିଶ୍ବ ଏକଜୁଟ ହେବାକୁ ଭାରତ ଆହ୍ବାନ ଜଣାଇଥିଲା । ଏହାକୁ ସମ୍ମାନ ଜଣାଇ ସାଉଦି ଏହା କରିଥିବା ଜଣାଯାଇଛି । ଭାରତ ସରକାର ମଧ୍ୟ ସାଉଦି ରାଷ୍ଟ୍ରଦୂତଙ୍କୁ ଡକାଇ ନିଜର ପ୍ରତିବାଦ ଜଣାଇଥିଲେ  ଓ ଆତଙ୍କବାଦବିରୋଧୀ ଯୁଦ୍ଧ ପାଇଁ ସହଯୋଗ ମାଗିଥିଲେ ।

ପୂର୍ବ କାର୍ଯ୍ୟସୂଚୀ ଅନୁସାରେ ସଲମାନ ଦୁଇଦିନିଆ ଗସ୍ତରେ ପାକିସ୍ତାନ ଆସିବାର ଥିଲା । କିନ୍ତୁ ଏବେ ଏହାକୁ ଗୋଟିଏ ଦିନରେ ସୀମିତ ରଖାଯାଇଛି । ପାକିସ୍ତାନ ପାଇଁ ସଲମାନଙ୍କ ଗସ୍ତ ବେଶ ଗୁରୁତ୍ବପୂର୍ଣ୍ଣ କାରଣ ପାକିସ୍ତାନର ଅର୍ଥନୀତି ଏବେ ସଂକଟ ସମୟ ଦେଇ ଗତି କରୁଛି । ଏଥିପାଇଁ ସାଉଦି ଆରବର ସହାୟତା ଲୋଡିଛି ପାକିସ୍ତାନ । ଅନ୍ୟପକ୍ଷରେ ସଲମାନ ଆସନ୍ତା ସପ୍ତାହରେ ଭାରତ ଗସ୍ତରେ ମଧ୍ୟ ଆସୁଛନ୍ତି । ତେବେ ସେ ଇଣ୍ଡୋନେସିଆ ଓ ମାଲେସିଆ ଗସ୍ତରେ ମଧ୍ୟ ପରିବର୍ତ୍ତନ କରିଛନ୍ତି ।

ସମ୍ବନ୍ଧିତ ଖବର