ନୂଆଦିଲ୍ଲୀ: ଏଣିକି ନିଜ ପୁତ୍ର ବା କନ୍ୟାର ବିବାହରେ ପିତାମାତା କେତେ ପରିମାଣର ଅର୍ଥ କେଉଁ ବାଟରେ ଖର୍ଚ୍ଚ କରୁଛନ୍ତି, ତାହାର ସଂପୂର୍ଣ୍ଣ ହିସାବ ଆଞ୍ଚଳିକ ବିବାହ ପଞ୍ଜିକରଣ ଅଧିକାରୀଙ୍କ ନିକଟରେ ଦାଖଲ କରିବା ପାଇଁ ବାଧ୍ୟତାମୂଳକ କରିବାକୁ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ୍ କୋର୍ଟ ଆଜି କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏପରି ହେଲେ ଯୌତୁକ ପ୍ରଥା ବନ୍ଦ ହେବା ସହ, ଅନେକ ସମୟରେ ବିବାହ ପରେ ଅଧିକ ଯୌତୁକ ଦେଇଥିବାର ମିଥ୍ୟା ଦାବି କରି ଯେଉଁ ସବୁ ମିଥ୍ୟା ମାମଲା ଆଗତ ହେଉଛି ତାହା ଉପରେ ମଧ୍ୟ ଲଗାମ୍ ଲାଗି ପାରିବ। ଖାଲି ଏତିକି ନୁହେଁ; ଏହି ନିୟମ ଲାଗୁ ହେଲେ ଯାଇ ଦେଶରେ ଯୌତୁକ ନିଷେଧ ଆଇନ୍କୁ କଡ଼ାକଡ଼ି ଭାବେ ପାଳନ କରାଯାଇ ପାରିବ ବୋଲି କହିଛନ୍ତି ସୁପ୍ରିମ୍ କୋର୍ଟ। ତେଣୁ, ଏହି ନିୟମକୁ ଦେଶରେ ଯଥାଶୀଘ୍ର ଲାଗୁ କରିବାକୁ କେନ୍ଦ୍ର ସରକାରଙ୍କୁ କହିଛନ୍ତି ସୁପ୍ରିମ୍ କୋର୍ଟ।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ନିୟମ ଲାଗୁ ହେଲେ, ଏବଂ ବିବାହର ସଂପୂର୍ଣ୍ଣ ଖର୍ଚ୍ଚ ତାଲିକା ଆଞ୍ଚଳିକ ବିବାହ ପଞ୍ଜିକରଣ ଅଧିକାରୀଙ୍କ ନିକଟରେ ଦାଖଲ ହେଲେ ବିଭିନ୍ନ କ୍ଷେତ୍ରରେ ବିବାହ ପରବର୍ତ୍ତୀ ସମୟରେ ଉଠୁଥିବା ଯୌତୁକ ଜନିତ ବିବାଦକୁ ମଧ୍ୟ ରୋକାଯାଇ ପାରିବ। ଏଥିସହ ବିବାହ ସମୟରେ କନ୍ୟାମାନଙ୍କରେ ବ୍ୟାଙ୍କ୍ରେ ଏକ ଜମାଖାତା ଖୋଲି ସେଥିରେ ମଧ୍ୟ କିଛି ଅର୍ଥ ଜମା ରଖିବା ପାଇଁ ପରାମର୍ଶ ଦେଇଛନ୍ତି ସୁପ୍ରିମ୍ କୋର୍ଟ। ଯୌତୁକ ଏବେ ଅନେକ ବୈବାହିକ ବିବାଦର ମୁଖ୍ୟକାରଣ ପାଲଟିଥିବା ହୃଦବୋଧ କଲାପରେ କେନ୍ଦ୍ର ସରକାରଙ୍କୁ ସୁପ୍ରମ୍ କୋର୍ଟ ଏହି ପରାମର୍ଶ ଦେଇଥିବା କହିଛନ୍ତି।