ଶ୍ରୀଦେବୀ ପଞ୍ଚଭୂତରେ ଲୀନ

ମୁମ୍ବାଇ: ଭାରତୀୟ ସିନେମାର ମହାନାୟିକା ଶ୍ରୀଦେବୀ କପୁରଙ୍କ ପାର୍ଥିବ ଶରୀର ଆଜି ପଂଚଭୂତରେ ଲୀନ ହୋଇଯାଇଛି। ଅପରାହ୍ନ ୨ଟା ୧୦ ମିନିଟରେ ଶ୍ରୀଦେବୀଙ୍କ ଶେଷ ଯାତ୍ରା ମୁମ୍ବାଇର ପଶ୍ଚିମ ଅନ୍ଧେରି ସ୍ଥିତ ଲୋଖଣ୍ଡଓ୍ଵାଲା କମ୍ପ୍ଲେକ୍ସର ସ୍ପୋର୍ଟସ କ୍ଳବ୍‌ ଗାର୍ଡନ୍‌ରୁ ଆରମ୍ଭ ହୋଇଥିଲା। ଫୁଲରେ ସଜା ଯାଇଥିବା ଟ୍ରକ୍‌ରେ ଶ୍ରୀଦେବୀଙ୍କ ସହିତ ସ୍ୱାମୀ ବୋନି କପୁର, ଅର୍ଜୁନ କପୁର, ସଂଜୟ କପୁର, ଜାହ୍ନବୀ କପୁର, ଅମର ସିଂହ ମହଜୁଦ୍‌ ଥିଲେ। ପଦ୍ମଶ୍ରୀ ଶ୍ରୀଦେବୀଙ୍କ ଶେଷକୃତ୍ୟ ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ସଂପୂର୍ଣ୍ଣ ହୋଇଥିଲା। ତାଙ୍କ ମରଶରୀରକୁ ତିରଙ୍ଗାରେ ଆଚ୍ଛାଦିତ କରାଯାଇଥିବା ବେଳେ ମୁମ୍ବାଇ ପୁଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ ହୋଇଥିଲା। ଶେଷକୃତ୍ୟ ପୂର୍ବରୁ ତୋପ ସଲାମୀ ଦିଆଯାଇଥିଲା। ଅପରାହ୍ନ ୫ଟାରେ ମୁଖାଗ୍ନି ଦେବା ପୂର୍ବରୁ ବୋନି କପୁର ଅନ୍ତିମ କ୍ରିୟା ପାଇଁ ପୂଜା କରିଥିଲେ ଏବଂ ୫ଟା ୧୫ ମିନିଟ୍‌ ସମୟରେ ମୁଖାଗ୍ନି ଦେଇଥିଲେ। ଶ୍ରୀଦେବୀଙ୍କୁ ଶେଷ ବିଦାୟ ଦେବାପାଇଁ ହଜାର ହଜାର ଜନତା ସମବେତ ହୋଇଥିବା ବେଳେ ବଲିଉଡର ଶତାଧିକ କଳାକାର, ନିର୍ମାତା ନିର୍ଦ୍ଦେଶକ ମଧ୍ୟ ଉପସ୍ଥିତ ରହି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଶୋଭାଯାତ୍ରା ଆରମ୍ଭ ସ୍ଥଳରୁ ବିଲେ ପାର୍ଲେ ସେବା ସମାଜ କ୍ରିମେଟରିଅମ୍‌ ପର୍ଯ୍ୟନ୍ତ ସମଗ୍ର ଅଂଚଳ ଜନସମୁଦ୍ର ପାଲଟିଯାଇଥିଲା।

ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଶେଷକୃତ୍ୟ ସଂପନ୍ନ,

ବିଲେ ପାର୍ଲେ ଶ୍ମଶାନ ଅଞ୍ଚଳ ଜନସମୁଦ୍ର,

ସ୍ୱାମୀ ବୋନି କପୁର ଦେଲେ ମୁଖାଗ୍ନି,

ଲୁହ ଓ କୋହରେ ବିଦାୟ

ଆଜି ସକାଳୁ ଶ୍ରୀଦେବୀଙ୍କ ଶେଷ ଦର୍ଶନ ପାଇଁ ଲୋଖଣ୍ଡଓ୍ଵାଲା ସ୍ପୋର୍ଟ୍‌୍‌ସ କ୍ଲବ୍‌ ପରିସରରେ ସକାଳ ୬ଟାରୁ ଭିଡ଼ ଜମିବା ଆରମ୍ଭ ହୋଇଥିଲା। କ୍ଲବ୍‌ ପରିସରରେ ଫୁଲରେ ସଜା ଯାଇଥିବା ମରଶରୀର ପହଞ୍ଚିବା ପରେ ପ୍ରଶଂସକମାନେ ଲୁହ ଓ କୋହ ସମ୍ବରଣ କରିପାରିନଥିଲେ। ଗତ ୨୪ ତାରିଖ ରାତି ପ୍ରାୟ ୧୧ଟାରେ ଦୁବାଇରେ ଅଚାନକ ପାଣିକୁଣ୍ଡରେ ବୁଡ଼ିଯାଇ ଶ୍ରୀଦେବୀଙ୍କ ମୃତ୍ୟୁ ଘଟିଥିଲା। ଉଲ୍ଲେଖଯୋଗ୍ୟ, ନିଜ ଭଣଜା ମୋହିତ୍‌ ମାରଓ୍ଵାଙ୍କର ବିବାହ ଉତ୍ସବରେ ଯୋଗଦେବାକୁ ଗତ ସପ୍ତାହରେ ସ୍ୱାମୀ ବୋନି କପୁର ଏବଂ ସାନ ଝିଅ ଖୁସି କପୁର ସହ ଦୁବାଇ ଯାଇଥିବା ଶ୍ରୀଦେବୀ ସେଠାରେ ଜୁମୈରା ଏମିରେଟ୍‌ସ ଟାଓ୍ଵାର ହୋଟେଲର ୨୨୦୧ ନମ୍ବର ପ୍ରକୋଷ୍ଠରେ ରହୁଥିଲେ। ବଡ଼ ଝିଅ ଜାହ୍ନବୀ ସିନେମା ସୁଟିଂ ପାଇଁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଥିବାରୁ ସେ ମୁମ୍ବାଇରେ ରହିଥିଲେ। ଏଣେ ବୋନି କପୁର ଭଣଜାର ବାହାଘର ସାରି ଝିଅ ଖୁସିକୁ ଧରି ମୁମ୍ବାଇ ଫେରି ଆସିଥିବା ବେଳେ ଉକ୍ତ ହୋଟେଲରେ ଶ୍ରୀଦେବୀ ଏକାକୀ ରହୁଥିଲେ। ସେଦିନ ସନ୍ଧ୍ୟାରେ ଶ୍ରୀଦେବୀ ପ୍ରସାଧନ ପାଇଁ ଗାଧୁଆ ଘରକୁ ଯାଇ ଦୀର୍ଘ ସମୟ ଧରି ନଫେରିବାରୁ ବୋନି ଗାଧୁଆ ଘର କବାଟ ବାଡ଼େଇଥିଲେ। ଉତ୍ତର ନମିଳିବାରୁ ସେ ଧକ୍କା ମାରି କବାଟ ଭାଙ୍ଗି ଦେଖିଲା ବେଳକୁ ଶ୍ରୀଦେବୀ ପାଣିଭରା ଗାଧୁଆ କୁଣ୍ଡରେ ଅଚେତ ଅବସ୍ଥାରେ ପଡ଼ିରହିଛନ୍ତି। ଡାକ୍ତରୀ ଦଳ ଓ ପୁଲିସ ସେଠାରେ ପହଞ୍ଚିବା ପରେ ଶ୍ରୀଦେବୀଙ୍କୁ ମୃତ ଘୋଷଣା କରାଯାଇଥିଲା। ଶ୍ରୀଦେବୀଙ୍କର ହୃଦ୍‌ସ୍ପନ୍ଦନ ବନ୍ଦ ହୋଇଯିବାରୁ ମୃତ୍ୟୁ ଘଟିଥିଲା ବୋଲି ପ୍ରଥମେ ଖବର ପ୍ରଚାରିତ ହୋଇଥିଲା। ମାତ୍ର ଗାଧୁଆ କୁଣ୍ଡରେ ଦୁର୍ଘଟଣାବଶତଃ ଅଚାନକ ବୁଡ଼ିଯିବାରୁ ଅଣନିଃଶ୍ୱାସୀ ହୋଇ ତାଙ୍କର ମୃତ୍ୟୁ ହୋଇଛି ବୋଲି ସୋମବାର ବ୍ୟବଚ୍ଛେଦ ରିପୋର୍ଟ ସ୍ପଷ୍ଟ କରିଥିଲା।

ସମ୍ବନ୍ଧିତ ଖବର