ଭାରତ-ଚୀନ ସୀମାରେ ପରିସ୍ଥିତି ଚିନ୍ତାଜନକ, ଯେ କୌଣସି ସମୟରେ ସ୍ଥିତି ଜଟିଳ ହୋଇପାରେ

ନୂଆଦିଲ୍ଲୀ : ଭାରତ ଓ ଚୀନ ମଧ୍ୟରେ ଗତ ବର୍ଷ ଦେଖାଦେଇଥିବା ଡୋକଲାମ ବିବାଦ ଶେଷ ହେବାର ଇତିମଧ୍ୟରେ ପ୍ରାୟ ଆଠ ମାସ ବିତିଗଲାଣି । କିନ୍ତୁ ସୀମାରେ ଏପର୍ଯ୍ୟନ୍ତ ଉତ୍ତେଜନା ରହିଛି ବୋଲି କେନ୍ଦ୍ର ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ସୁଭାଷ ଭାମ୍ରେ କହିଛନ୍ତି । ସେ କହିଛନ୍ତି ଯେ ଭାରତ ଓ ଚୀନ ମଧ୍ୟରେ ଥିବା ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଉଭୟ ଦେଶର ସେନା ମୁହାଁମୁହିଁ ଅଛନ୍ତି । ପ୍ରତିଦିନ ପାଟ୍ରୋଲିଂ, ମୁହାଁମୁହିଁ , ଅନୁପ୍ରବେଶ ଆଦି ନିତିଦିନିଆ ଘଟଣା ହୋଇଗଲାଣି । ଏହା ଯେକୌଣସି ସମୟରେ ବିସ୍ପୋରକ ରୂପ ନେଇପାରେ ବୋଲି ସେ କହିଛନ୍ତି ।

ସେ କହିଛନ୍ତି ଉଭୟ ଦେଶର ସରକାର ଓ ସେନା ମଧ୍ୟରେ ବିଶ୍ୱାସ ବୃଦ୍ଧି ପାଇଁ ଉଦ୍ୟମ କରାଯାଉଥିଲେ ମଧ୍ୟ ସୀମାର ସୁରକ୍ଷା ପାଇଁ ଯାହା କିଛି ଆବଶ୍ୟକ ତାହା କରାଯାଉଛି । ଗତ ଜାନୁୟାରୀ ମାସରେ ମଧ୍ୟ ସ୍ଥଳ ସେନାଧ୍ୟକ୍ଷ ଜେନେରାଲ ବିପିନ ରାଓ୍ଵାତ କହିଥିଲେ ଯେ ଭାରତ ପାକିସ୍ତାନ ସୀମା ଅପେକ୍ଷା ଚୀନ ସୀମା ଉପରେ ଅଧିକ ଫୋକସ କରିବାର ସମୟ ଆସିଛି । ଚୀନ ସୀମାରେ ଉପୁଜିଥିବା ଚିନ୍ତାଜନକ ପରିସ୍ଥିତି ସମ୍ପର୍କରେ ସେ ସୂଚାଇ ଦେଇଥିଲେ । ଗତ ବର୍ଷ ଜୁନ-ଜୁଲାଇ ମାସରେ ଭୁଟାନର ଡୋକଲାମଠାରେ ଉଭୟ ଦେଶର ସେନା ପ୍ରାୟ ୭୩ ଦିନ ଧରି ମୁହାଁମୁହିଁ ରହିଥିଲେ ।

ସମ୍ବନ୍ଧିତ ଖବର