ଆନ୍ଦୋଳନକାରୀ ଚାଷୀ ଫୋନ୍‌ ଚାର୍ଜ କରିବାକୁ ମୁଣ୍ଡରେ ବୋହିଲେ ସୋଲାର୍‌ ପ୍ୟାନେଲ୍‌, ଚାଲିଲେ ୧୮୦ କିଲୋମିଟର୍‌ର ରାସ୍ତା

ମୁମ୍ବାଇ: ଲଗାତର ଛଅ ଦିନ ଧରି ଚାଲିବା ଯେକୌଣସି ବି ଲୋକ ପାଇଁ ଏକ କଷ୍ଟକର ବ୍ୟାପାର। ୧୮୦ କିଲୋମିଟର୍‌ର ରାସ୍ତା ପାଦରେ ଚାଲିବା କିଛି ଛୋଟ କଥା ନୁହେଁ। ସେଥିରେ ପୁଣି ବିନା ଖାଦ୍ୟ ଓ ପାଣି ଗ୍ରହଣ କରି। ଏପରି ଏକ କାର୍ଯ୍ୟ କରି ଚର୍ଚ୍ଚା ପାଲଟିଛନ୍ତି କିଛି ବିକ୍ଷୋଭକାରୀ କୃଷକ। ସେମାନେ ମାର୍ଚ ୬ ତାରିଖରୁ ନାସିକରୁ ଚାଲିବା ଆରମ୍ଭ କରି ମୁମ୍ବାଇରେ ରବିବାର ପହଞ୍ଚିଛନ୍ତି।

ଫଟୋରୁ ଦେଖିବାକୁ ମିଳୁଛି ଯେ ଚାଷୀମାନେ ମୁଣ୍ଡରେ ଗୋଟାଏ ଲେଖାଏ ନାଲି ରଂଗର ଟୋପି ପିନ୍ଧିଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଏତେ ଦିନ ଚାଲିବା ଭିତରେ ତାଙ୍କ ଫୋନ୍‌ରୁ ଚାର୍ଜ ସରିଯିବ ବୋଲି ସେମାନେ ମୁଣ୍ଡରେ ସୋଲାର୍‌ ପ୍ୟାନେଲ୍‌ ଧାରଣ କରି ଚାଲିଥିବାର ଦୃଶ୍ୟ ଚାରିଆଡ଼େ ଚର୍ଚ୍ଚା ପାଲଟିଛି। ସେହି ସୋଲାର୍‌ ପ୍ୟାନେଲ୍‌ରୁ ଶକ୍ତିି ବାହାର କରି ତାହାକୁ ଫୋନ୍‌ ଚାର୍ଜ କରିବାରେ ଲଗାଉଛନ୍ତି। ସେମାନେ କହିଛନ୍ତି ଯେ ମାତ୍ର ଅଧଘଣ୍ଟା ଖରାରେ ପ୍ୟାନେଲ୍‌ଟି ଯେତିକି ଚାର୍ଜ ହୋଇଥାଏ ତାହା ଫୋନ୍‌ ଚାର୍ଜ ହେବା ପାଇଁ ଯଥେଷ୍ଟ ଶକ୍ତି ପ୍ରଦାନ କରିଥାଏ। ଅଧଘଣ୍ଟା ଖରାରେ ଫୋନ୍‌ଟି ଯେତିକି ଚାର୍ଜ ହୋଇଥାଏ ତାହା ପୂରା ୨ ଘଣ୍ଟା ପର୍ଯ୍ୟନ୍ତ ଗପିବା ପାଇଁ ଯଥେଷ୍ଟ।

ଏହାଛଡ଼ା ମୁମ୍ବାଇର ଆଜାଦ ମୈଦାନରେ ହୋଇଥିବା ଆନ୍ଦୋଳନରେ କିଛି ଚାଷୀ ଖରାରୁ ରକ୍ଷା ପାଇବାକୁ ମୁଣ୍ଡ ଉପରେ କିଛି ନା କିଛି ଛାଉଣୀ ପକାଇଥିବାର ନଜର ଆସୁଛନ୍ତି। ଉଲ୍ଳେଖଯୋଗ୍ୟ, ନିଜର ଶସ୍ୟକୁ ଉଚିତ୍‌ ମୂଲ୍ୟରେ କ୍ରୟ କରାଯାଉ ବୋଲି ଦାବି କରି ମହାରାଷ୍ଟ୍ର ସରକାର ଦେବେନ୍ଦ୍ର ଫଡନାଭିସ୍‌ଙ୍କ ନିକଟରେ ଅଲ୍‌ ଇଣ୍ଡିଆ କିସାନ୍‌ ସଭା ପକ୍ଷରୁ ଆନ୍ଦୋଳନ ହୋଇଛି।

ସମ୍ବନ୍ଧିତ ଖବର