ଝଡ଼ ତୋଫାନ: ୪୦ ମୃତ

ନୂଆଦିଲ୍ଲୀ: ଦେଶର ବିଭିନ୍ନ ଅଂଚଳରେ ଆଜି ଝଡ଼ ତୋଫାନ ଯୋଗୁଁ ୪୦ରୁ ଅଧିକ ଲୋକଙ୍କ ପ୍ରାଣହାନି ଘଟିଛି। କେବଳ ଉତ୍ତର ପ୍ରଦେଶରେ ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏଥିରେ ୮ ଜଣ ପର୍ଯ୍ୟଟକ ଅଛନ୍ତି। ସେହିଭଳି ପଶ୍ଚିମ ବଂଗରେ ୧୨ ଜଣ, ତେଲେଙ୍ଗାନା ଓ ଆନ୍ଧ୍ର ପ୍ରଦେଶରେ ୯ ଜଣ ଏବଂ ଦିଲ୍ଲୀରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଛି। ଝଡ଼ତୋଫାନ ଯୋଗୁଁ ୨ ଶହରୁ ଊର୍ଦ୍ଧ୍ୱ ଆହତ ହୋଇଥିବା ଆକଳନ କରାଯାଇଛି। ୟୁପିର କାଶଗଂଜ୍‌, କେନୌଜ, ଆଲିଗଡ଼, ଗାଜିଆବାଦ, ନୋଏଡ଼ା ଏବଂ ବୁଲନ୍ଦସହରରେ ବ୍ୟାପକ କ୍ଷୟକ୍ଷତି ଖବର ମିଳିଛି। କ୍ଷତିଗ୍ରସ୍ତ ଅଂଚଳରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ଓ ସହାୟତା କାର୍ଯ୍ୟ ଜାରି ରହିଛି। ଏଥିରେ ଏନ୍‌୍‌ଡିଆର୍‌ଏଫ୍‌୍‌ ଏବଂ ଏସ୍‌୍‌ଡିଆର୍‌୍‌ଏଫ୍‌ ଟିମ୍‌ ନିୟୋଜିତ ହୋଇଛନ୍ତି। ଉତ୍ତର ଭାରତର ବିଭିନ୍ନ ଅଂଚଳରେ ଶତାଧିକ ଘର ଭୁଶୁଡ଼ିଥିବା ବେଳେ ବଡ଼ ବଡ଼ ଗଛ ଭାଙ୍ଗି ପଡ଼ିବାରୁ ରାସ୍ତା ଅବରୋଧ ହୋଇଛି ଏବଂ ବିଦ୍ୟୁତ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଉତ୍ତରାଖଣ୍ଡରେ ବର୍ଷା ବିତ୍ପାତ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଦିଲ୍ଲୀ-ଏନ୍‌ସିଆରରେ ମଧ୍ୟ ଆଜି ଅପରାହ୍ନରେ ଅଚାନକ ଝଡ଼ତୋଫାନ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଅପରାହ୍ନ ୪ଟାରୁ ଦିଲ୍ଲୀ, ଗୁରୁଗ୍ରାମ, ନୋଏଡ଼ା ଏବଂ ଫରିଦାବାଦରେ ଘୂର୍ଣ୍ଣିଝଡ଼ ସାଙ୍ଗକୁ ବର୍ଷା ଆରମ୍ଭ ହୋଇଯାଇଥିଲା। ଧୂଳିଝଡ଼ ସାଙ୍ଗକୁ ଅନ୍ଧକାର ଯୋଗୁଁ ଯାନବାହନ ଚଳାଚଳରେ ସଙ୍କଟ ଦେଖାଦେଇଥିଲା। ଦିଲ୍ଲୀରେ ଘଣ୍ଟା ପ୍ରତି ପବନର ବେଗ ୧୧୦ କିମି ରହିଛି। ରାଜଧାନୀରେ ପ୍ରାୟ ୩ ଶହ ବଡ଼ ଗଛ ଉପୁଡ଼ି ପଡ଼ିବାରୁ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହୋଇଛି। ଖରାପ ପାଗକୁ ଦେଇ ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ସମସ୍ତ ବିମାନ ଉଡ଼ାଣକୁ ସ୍ଥଗିତ ରଖାଯାଇଛି। ବିସ୍ତାରା ଶ୍ରୀନଗର-ଦିଲ୍ଲୀ ବିମାନକୁ ଗତିପଥ ପରିବର୍ତ୍ତନ କରି ଅମୃତସର କରାଯାଇଛି। ଇନ୍ଦିରା ଗାନ୍ଧୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରୁ ୪୦ଟି ବିମାନର ଉଡ଼ାଣରେ ପରିବର୍ତ୍ତନ କରାଯାଇଛି। ଟ୍ରେନ୍‌ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି। ଗତକାଲି ପାଣିପାଗ ବିଭାଗ ଉତ୍ତରାଖଣ୍ଡ, ଜମ୍ମୁ କଶ୍ମୀର ଏବଂ ହିମାଚଳରେ ଘୂର୍ଣ୍ଣିଝଡ଼ ସମ୍ଭାବନା ଆଶାଙ୍କା କରିଥିଲେ। ବିଗତ ୧୫ ଦିନ ମଧ୍ୟରେ ଉତ୍ତର ଭାରତରେ ପାଣିପାଗରେ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି। ଉତ୍ତର ପ୍ରଦେଶରେ ଆସନ୍ତାକାଲି ମଧ୍ୟ ଏଭଳି ଝଡ଼ତୋଫାନ ଜାରି ରହିବ ବୋଲି ପାଣିପାଗ ବିଭାଗ କହିଛି। ଗତ ୨ ତାରିଖ ଦିନ ଉତ୍ତର ଭାରତର ବ୍ୟାପକ ଅଂଚଳରେ ଝଡ଼ ତୋଫାନ ଯୋଗୁଁ ୧୩୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା ଏବଂ ୫ ଶହରୁ ଅଧିକ ଆହତ ହୋଇଥିଲେ।

ସମ୍ବନ୍ଧିତ ଖବର