ଆଧାରକୁ ମାନ୍ୟତା, କିନ୍ତୁ..

ସାମ୍ବିଧାନିକ ଦିଗରୁ ବୈଧ, ସର୍ତ୍ତ ଲାଗୁ, ସଂପୂର୍ଣ୍ଣ ବାଧ୍ୟତାମୂଳକ ନୁହେଁ, ସର୍ବୋତ୍ତମଠାରୁ ଅନନ୍ୟ ଉତ୍ତମ, ନକଲ ହୋଇପାରିବ ନାହିଁ

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କର ଏକକ ପରିଚୟ ବ୍ୟବସ୍ଥା ‘ଆଧାର’କୁ ନେଇ ଲାଗି ରହିଥିବା ବାଦବିବାଦ, ଦ୍ବନ୍ଦ୍ବ ଏବଂ ଆଶଙ୍କାର ଆଜି ପରିସମାପ୍ତି ଘଟିଛି। ସୁପ୍ରିମ୍ କୋର୍ଟଙ୍କ ପାଞ୍ଚଜଣିଆ ସମ୍ବିଧାନ ପୀଠ ଆଧାର ସଂକ୍ରାନ୍ତ ସମସ୍ତ ସନ୍ଦେହ ଦୂର କରି ଏହାକୁ ସାମ୍ବିଧାନିକ ବୈଧ ବୋଲି ରାୟ ଦେଇଛନ୍ତି। ସାଧାରଣ ଜନତାଙ୍କର ଏହା ପରିଚୟ ଏବଂ ଶକ୍ତି ବୋଲି ଦର୍ଶାଇ ସମ୍ବିଧାନ ପୀଠ କହିଛନ୍ତି, ଆଧାର ଉପରେ ଅଙ୍କୁଶ ଲଗାଇବା ଅର୍ଥ ସମ୍ବିଧାନକୁ ପ୍ରହାର କରିବା। ସୁପ୍ରିମ୍ କୋର୍ଟ ଯଦିଓ ଆଧାରକୁ ସମ୍ବିଧାନସିଦ୍ଧ ବୋଲି ଘୋଷଣା କରିଛନ୍ତି, ତେବେ ଏହାର ବ୍ୟବହାର ଉପରେ କେତେକ ସର୍ତ୍ତ ଲାଗୁ କରି ଏହାର ଶକ୍ତିକୁ ସଂକୁଚିତ କରିଦେଇଛନ୍ତି। କେନ୍ଦ୍ର ସରକାର ଯେଉଁ ଯେଉଁ ଜାଗାରେ ଆଧାରକୁ ବାଧ୍ୟତାମୂଳକ କରିବାକୁ ଚାହୁଥିଲେ, ସୁପ୍ରିମ୍‌ କୋର୍ଟ ସେଭଳି କରିବାକୁ ଅନୁମତି ଦେଇନାହାନ୍ତି।

ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ପାଞ୍ଚଜଣିଆ ସମ୍ବିଧାନ ପୀଠ ସ୍ପଷ୍ଟ ଭାବେ ଆଧାରକୁ ୩ଟି କ୍ଷେତ୍ରରେ ଜରୁରୀ ବୋଲି ଦର୍ଶାଇଛନ୍ତି। ଆୟକର ରିଟର୍ଣ୍ଣ ଫାଇଲ୍ କରିବା, ପାନ୍ ହାସଲ କରିବା ଏବଂ ସରକାରଙ୍କ ସାମାଜିକ ମଙ୍ଗଳକାରୀ ସ୍କିମ୍‌ଗୁଡ଼ିକର ଫାଇଦା ‌େନବା ପାଇଁ ଏହାକୁ ଜରୁରୀ ବୋଲି କୁହାଯାଇଛି। କିନ୍ତୁ ଏହାକୁ ବାଧ୍ୟତାମୂଳକ କରିନାହାନ୍ତି। କୌଣସି ପରିସ୍ଥିତିରେ ଆଧାର ଜରିଆରେ ଜଣେ ଲୋକର ପରିଚୟ ପ୍ରମାଣୀକରଣରେ ଯଦି ସମସ୍ୟା ଦେଖାଦିଏ, ତେବେ ତାଙ୍କୁ ଏସବୁ ସୁବିଧାରୁ ବଂଚିତ କରାଯିବ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଦେଇଛନ୍ତି।

ଅନ୍ୟପକ୍ଷରେ ଖଣ୍ଡପୀଠ ଅନେକ କ୍ଷେତ୍ରରେ ଏହାର ବାଧ୍ୟତାମୂଳକ ଆବଶ୍ୟକତାକୁ ହଟାଇ ସାଧାରଣ ଜନତାଙ୍କୁ ଆଶ୍ବସ୍ତି ପ୍ରଦାନ କରିଛନ୍ତି। ଏଣିକି ମୋବାଇଲ୍ ସିମ୍ ଏବଂ ବ୍ୟାଙ୍କ ଆକାଉଣ୍ଟ ଖୋଲିବାରେ ଆଧାରକୁ ବାଧ୍ୟତାମୂଳକ କରାଯିବ ନାହିଁ। ସେହିଭଳି ବିଦ୍ୟାଳୟରେ ନାମଲେଖା ପାଇଁ ଛାତ୍ରଛାତ୍ରୀଙ୍କୁ ଆଧାର ନମ୍ବର ମଗାଯିବ ନାହିଁ। ସିବିଏସ୍ଇ, ନିଟ୍ ଓ ୟୁଜିସି ପରୀକ୍ଷା ନିମନ୍ତେ ଆଧାରକୁ ବାଧ୍ୟତାମୂଳକ କରାଯିବ ନାହିଁ। ପୂର୍ବରୁ ଏ ସବୁଥିରେ ଆଧାରକୁ ବାଧ୍ୟତାମୂଳକ କରାଯାଉଥିଲା। ଏହାବ୍ୟତୀତ ସିବିଏସ୍ଇ ଓ ବୋର୍ଡ ପରୀକ୍ଷାରେ ମଧ୍ୟ ଆଉ ଆଧାରକୁ ବାଧ୍ୟତାମୂଳକ କରାଯିବ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି। ୧୪ ବର୍ଷରୁ କମ୍ ବୟସର ପିଲାମାନଙ୍କ କ୍ଷେତ୍ରରେ ଆଧାର ନଥିବା ଦର୍ଶାଇ ସେମାନଙ୍କୁ କେନ୍ଦ୍ର ଅଥବା ରାଜ୍ୟ ସରକାରଙ୍କ ବିଭିନ୍ନ ସ୍କିମ୍‌ର ଲାଭ ଉଠାଇବାରୁ ବଞ୍ଚିତ କରାଯାଇ ପାରିବ ନାହିଁ।

ଦେଶର ବେସରକାରୀ କମ୍ପାନି ଓ ସଂସ୍ଥା ଏଣିକି ଲୋକଙ୍କଠାରୁ ଆଧାର ନମ୍ବର ହାସଲ କରିପାରିବେ ନାହିଁ। ବିଭିନ୍ନ ଉତ୍ପାଦ ଓ ସେବା ବିକ୍ରି କ୍ଷେତ୍ରରେ ସେମାନେ ଲୋକଙ୍କ ଅନ୍ୟ ପରିଚୟପତ୍ର ମାଗିପାରିବେ। କିନ୍ତୁ ଆଧାରକୁ ବାଧ୍ୟତାମୂଳକ ଭାବେ ମାଗିପାରିବେ ନାହିଁ ବୋଲି ସୁପ୍ରିମ୍ କୋର୍ଟ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି। ଅର୍ଥାତ୍ ଟେଲିକମ୍ କମ୍ପାନି ଅଥବା ମୋବାଇଲ୍ ୱାଲେଟ୍ ସେବା ପ୍ରଦାନକାରୀ ପେଟିଏମ୍ ଭଳି ସଂସ୍ଥା ଲୋକଙ୍କୁ ଆଉ ଆଧାର ତଥ୍ୟ ମାଗିପାରିବେ ନାହିଁ।
ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଖଣ୍ଡପୀଠ ଆଧାରର ସକାରାତ୍ମକ ଦିଗ ଉପରେ ଟିପ୍ପଣୀ ଦେଇ କହିଛନ୍ତି, ପ୍ରତ୍ୟେକ କ୍ଷେତ୍ରରେ ସର୍ବୋତ୍ତମ ଖୋଜାଯାଇ ପାରିବ ନାହିଁ। ଏହା ସମ୍ଭବ ବି ନୁହେଁ। ତେଣୁ ଆଧାରକୁ ସର୍ବୋତ୍ତମଠାରୁ ଅନନ୍ୟ ଉତ୍ତମ ବୋଲି ଖଣ୍ଡପୀଠ କହିଥିଲେ। ଏଥିରେ ରହିଥିବା ଅସାଧାରଣ ବୈଶିଷ୍ଟ୍ୟ ଦ୍ବାରା ଲୋକମାନେ ବେଶ୍ ଉପକୃତ ହେବେ। ସାଧାରଣ ଖଟିଖିଆ ସେମାନଙ୍କ ନ୍ୟାଯ୍ୟ ପ୍ରାପ୍ୟ ପାଇପାରି‌େ‌ବ। ସରକାରୀ ସ୍କିମ୍‌ଗୁଡ଼ିକର ବାଟମାରଣା ହେବନାହିଁ। ତା’ଛଡ଼ା ଆଧାର ନକଲ କରାଯିବା ସମ୍ଭବ ନୁହେଁ। ତେଣୁ ପ୍ରକୃତ ହିତାଧିକାରୀଙ୍କୁ ଚିହ୍ନଟ କରିବାରେ ଏହା ବେଶ୍ ସହାୟକ ହୋଇପାରିବ। ‌େତଣୁ ଆଧାରରେ ସର୍ବୋତ୍ତମ ଗୁଣ ଖୋଜିବା ଅପେକ୍ଷା ଏଥିରେ ରହିଥିବା ଅନନ୍ୟ ଗୁଣାବଳିକୁ ଦେଖି ଖଣ୍ଡପୀଠ ଆଜି ଏହି ସିଦ୍ଧାନ୍ତରେ ପହଞ୍ଚିଥିବା ଦର୍ଶାଇଛନ୍ତି। ଖଣ୍ଡପୀଠରେ ବିଚାରପତି ଜଷ୍ଟିସ୍ ଏ କେ ସିକ୍ରି, ଏ ଏମ୍ ଖାନୱିଲକର, ଅଶୋକ ଭୂଷଣ ଏବଂ ଡି ୱାଇ ଚନ୍ଦ୍ରଚୂଡ଼ ମଧ୍ୟ ରହିଛନ୍ତି।

ଆଧାରରେ ଲୋକଙ୍କ ଗୋପନୀୟତା ସୁରକ୍ଷିତ ରହିବ କି ନାହିଁ ସେ ପ୍ରସଙ୍ଗରେ ସୁପ୍ରିମ୍ କୋର୍ଟ ଖଣ୍ଡପୀଠ କହିଛନ୍ତି, ଲୋକଙ୍କ ତଥ୍ୟକୁ ସୁରକ୍ଷିତ ରଖିବା ଲାଗି ସରକାର ଯଥେଷ୍ଟ ନିରାପତ୍ତା ପଦକ୍ଷେପ ଗ୍ରହଣ କରିଛନ୍ତି। ଆଗକୁ ମଧ୍ୟ ଏଥିରେ ଅଧିକ ସୁଧାର ଆଣିବା ଲାଗି ସରକାର ପଦକ୍ଷେପ ନେବେ। ତେବେ ଆଧାର ଦ୍ବାରା ଲୋକଙ୍କ ଉପରେ ନଜର ରଖାଯାଇ ପାରିବ ବୋଲି ଯେଉଁ ଦାବି ହେଉଛି, ସେମିତି କିଛି ହେବାର ନାହିଁ। ଲୋକଙ୍କ ଉପରେ କେହି ନଜର ରଖିବେ ନାହିଁ ଏବଂ ସେମାନଙ୍କ ଗୋପନୀୟତା ମଧ୍ୟ ସୁରକ୍ଷିତ ରହିବ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି। ଏହା କହିବା ପରେ ସୁପ୍ରିମ୍ କୋର୍ଟ ଆଧାରର ନିରାପତ୍ତା ବୈଶିଷ୍ଟ୍ୟକୁ ଅଧିକ ଶକ୍ତିଶାଳୀ କରିବାକୁ ପଦକ୍ଷେପ ନେବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ ଆଧାର ତଥ୍ୟ ଗଚ୍ଛିତ ଅବଧିକୁ କମାଇବା ପାଇଁ ପଦକ୍ଷେପ ନେବାକୁ ମଧ୍ୟ କହିଥିଲେ। ତୁରନ୍ତ ତଥ୍ୟ ସୁରକ୍ଷା ନିମନ୍ତେ ଏକ ଉପଯୁକ୍ତ ନିୟମ ଲାଗୁ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ସୁପ୍ରିମ୍ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର