ତାମିଲନାଡୁର ଥେନି ଜିଲ୍ଲାରେ ଭୋଟରଙ୍କୁ ବଣ୍ଟା ଯାଉଥିଲା ଟଙ୍କା, ସୂଚନା ପାଇ ୧.୪୮କୋଟି ଟଙ୍କା ଜବତ କଲା ଆୟକର ବିଭାଗ

ଥେନି : ଗୁରୁବାର ବିଧାନସଭା ଉପନିର୍ବାଚନ ହେବାକୁ ଥିବା ବେଳେ ତାମିଲନାଡୁର ଥେନି ଜିଲ୍ଲାରେ ମଙ୍ଗଳବାର ରାତି ସାରା ଚଢ଼ାଉ କରି ଆୟକର ବିଭାଗ ୧.୪୮କୋଟି ଟଙ୍କା ଜବତ କରିଥିବା ଜଣାପଡ଼ିଛି । ନିର୍ବାଚନ ହେବାକୁ ଥିବା ନିର୍ବାଚନ ମଣ୍ଡଳୀର ଲୋକମାନଙ୍କୁ ଭୋଟ୍‌ ଦେବା ପାଇଁ ଟଙ୍କା ଦିଆ ଯାଉଥିବାର ସୂଚନା ମିଳିବା ପରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା ଆୟକର ବିଭାଗ । ପୂର୍ବରୁ ତାମିଲନାଡୁର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଆୟକର ବିଭାଗ ଟଙ୍କା ଜବତ କରିଥିବା ବେଳେ ମଙ୍ଗଳବାର ଥେନିରେ ଚଢ଼ାଉ କରାଯାଇଥିଲା ।

ଏ ଚଢ଼ାଉ ସମୟରେ ଟିଟିଭି ଦିନାକରନଙ୍କ ପରିଚାଳିତ ଦଳ  ଏଏମ୍‌ଏମ୍‌କେର କାର୍ଯ୍ୟକର୍ତ୍ତା ଏବଂ ନିର୍ବାଚନ ଅଧିକାରୀଙ୍କ ମଧ୍ୟରେ ପାଟିତୁଣ୍ଡ ଆରମ୍ଭ ହୋଇ ଯାଇଥିଲା । ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ମୁତୟନ ଥିବା ପୁଲିସ ଟିମ୍‌ ଫାଙ୍କା ଗୁଳିଚାଳନା କରିଥିଲେ । ଗୁଳିଚାଳନାରେ କେହି ଆହତ ହୋଇ ନଥିବା ସୂଚନା ମିଳିଛି । ଏହି ଘଟଣାକୁ କେନ୍ଦ୍ର କରି ୪ଜଣ ଏଏମ୍‌ଏମ୍‌କେର କାର୍ଯ୍ୟକର୍ତ୍ତାଙ୍କୁ ପୁଲିସ ହେପାଜତକୁ ନେଇଥିବା ଜଣାପଡ଼ିଛି ।

www.deccanchronicle.com

ସୂଚନା ମୁତାବକ, ନିର୍ବାଚନ ଅଧିକାରୀଙ୍କ ସମେତ ଆୟକର ବିଭାଗର କର୍ମଚାରୀମାନେ ମଙ୍ଗଳବାର ରାତିରେ ଏକ ଷ୍ଟୋରରେ ଚଢ଼ାଉ କରିଥିଲେ। ବୁଧବାର ସକାଳ ୫.୩୦ ପର୍ଯ୍ୟନ୍ତ ଚଢ଼ାଉ ଜାରି ରହିଥିଲା । ଆୟକର ବିଭାଗର ମହାନିର୍ଦ୍ଦେଶକ ବି.ମୁରଲୀ କୁମାରଙ୍କ କହିବା ଅନୁଯାୟୀ, ଜବତ ହୋଇଥିବା ୧.୪୮କୋଟି ଟଙ୍କା ଥିବା ୯୪ଟି ପ୍ୟାକେଟ ଏବଂ ବନ୍ଦ ଲଫାଫରରେ ଭୋଟରଙ୍କ ନାଁ ,ଓ୍ଵାର୍ଡ ନମ୍ବର ଏବଂ ଫୋନ ନମ୍ବର ଲେଖା ଯାଇଥିବା ଦେଖା ଯାଇଥିଲା । ଏହି ଚଢ଼ାଉ ସମୟରେ ଏଏମ୍‌ଏମ୍‌କେର କାର୍ଯ୍ୟକର୍ତ୍ତା ଆସି ପହଞ୍ଚିବା ସହ ଆମମାନଙ୍କ ସହ ପାଟି ତୁଣ୍ଡ କରିବା ଆରମ୍ଭ କରି ଦେଇଥିଲେ । କିଛି କାର୍ଯ୍ୟକର୍ତ୍ତା ଟଙ୍କା ପ୍ୟାକେଟ ମଧ୍ୟ ଛଡ଼ାଇ ନେବାକୁ ଚେଷ୍ଟା କରିଥିଲେ, ଯାହାକୁ ଦେଖି ପୁଲିସ ଫାଙ୍ଗା ଗୁଳି ଚାଳନା କରିବାକୁ ବାଧ୍ୟ ହୋଇଥିଲା ।

ସମ୍ବନ୍ଧିତ ଖବର