ଆଣ୍ଡାମାନର ‘ମୁତ୍ୟୁର ଦ୍ୱୀପ’ ମଧ୍ୟକୁ ଯାଇ କେମିତି ଓ କ’ଣ ଦେଇ ସେଣ୍ଟିନିଲିଜ୍‌ମାନଙ୍କ ସହ ବନ୍ଧୁତ୍ୱପୂର୍ଣ୍ଣ ସ୍ଥାପନ କରିଥିଲେ ଏଇ ଭାରତୀୟ ମହିଳା ଜାଣନ୍ତୁ…

ଆଣ୍ଡାମାନ: ଦେଶର କେନ୍ଦ୍ରଶାସିତ ଅଞ୍ଚଳ ଆଣ୍ଡାମାନ ନିକୋବାର ଦ୍ୱୀପପୁଞ୍ଜକୁ ନେଇ କେବଳ ଭାରତ କାହିଁକି ସମଗ୍ର ବିଶ୍ୱରେ ଉତ୍କଣ୍ଠା ଯେତିକି ରହିଛି ଭୟ ମଧ୍ୟ ରହିଛି ତା’ଠାରୁ ବହୁଗୁଣାରେ ଅଧିକ। କାରଣ ଏଠାରେ ଅବସ୍ଥାନ କରୁଛନ୍ତି, ହଜାର ହଜାର ବର୍ଷ ତଳର ବିଶ୍ୱର ବିଲୁପ୍ତ ପ୍ରାୟ ୬ଟି ଆଦିମ ଅଧିବାସୀ। ଆଣ୍ଡାମାନ ଦ୍ୱୀପରେ, ଗ୍ରେଟ୍‌ ଆଣ୍ଡାମାନିଜ୍‌, ଅଞ୍ଜେସ୍‌, ଜରଓ୍ଵା ଓ ସେଣ୍ଟିନିଲିଜ୍‌ ଆଦିମ ଅଧିବାସୀମାନେ ବସବାସ କରୁଥିବା ବେଳେ ନିକୋବାର ଦ୍ୱୀପରେ ରହିଛନ୍ତି ଶୋମ୍‌ପେନ୍‌ ଏବଂ ନିକୋବରିସ୍‌। ଏମାନେ ସମସ୍ତେ ବାହାର ଦୁନିଆ ଦୁନିଆ ସଂପର୍କରେ ସଂପୂର୍ଣ୍ଣ ଅଜ୍ଞ ଆଉ ଅତି ଭୟଙ୍କର ମଧ୍ୟ। ଯିଏବି ଏମାନଙ୍କ ନିକଟକୁ ଯାଇଛି ବା ଯିବାକୁ ଚେଷ୍ଟା କରିଛି, ଏମାନଙ୍କ ଆକ୍ରମଣର ଶିକାର ହୋଇଛି। ସେହି କାରଣରୁ ବୋଧହୁଏ, ଏହି ଦ୍ୱୀପ ପୁଞ୍ଜକୁ ମିଳିଛି ‘ମୁତ୍ୟୁର ଦ୍ୱୀପ’ ଅପଖ୍ୟାତି। ତେବେ, ଏମାନଙ୍କ ବିରଳତାକୁ ଦୃଷ୍ଟିରେ ରଖି ସରକାର ଏମାନେ ବସବାସ କରୁଥିବା ଅଞ୍ଚଳକୁ ସଂରକ୍ଷିତ ଅଞ୍ଚଳ ରୂପେ ଘୋଷଣା କରିବା ସହ ବିନା ପ୍ରଶାସନିକ ଅନୁମତିରେ ସେଠାକୁ ଅନ୍ୟମାନଙ୍କର ପ୍ରବେଶ ଉପରେ ନିଷେଧାଦେଶ ଘୋଷଣା କରିଛନ୍ତି। ଏହା ସତ୍ତ୍ୱେ ଗତ ନଭେମ୍ବର ମାସରେ ଭାରତକୁ ଆସିଥିବା ଜଣେ ଆମେରିକୀୟ ପର୍ଯ୍ୟଟକ ବିନାଅନୁମତିରେ ଆଣ୍ଡାମାନର ସେଣ୍ଟିନିଲିଜ୍‌ମାନେ ରହୁଥିବା ଦ୍ୱୀପ ମଧ୍ୟକୁ ପ୍ରବେଶ କରିଥିବା ବେଳେ ଏମାନଙ୍କ ତୀର ମାଡ଼ରେ ମୁତ୍ୟୁବରଣ କରିବା ପରେ ଏବେ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି ଏମାନେ।

ଏଥିସହ ଏବେ ମଧୁମାଲା ଚଟ୍ଟୋପାଧ୍ୟାୟଙ୍କୁ ନେଇ ମଧ୍ୟ ଆରମ୍ଭ ହୋଇଛି ବିଶ୍ୱବ୍ୟାପି ଚର୍ଚ୍ଚା ଓ ଆଲୋଚନା। ମଧୁମାଲା ହେଉଛନ୍ତି ସେହି ଭାରତୀୟ ମହିଳା ନୃତତ୍ତ୍ୱବିତ୍‌ ଯିଏକି ୩୦ ବର୍ଷ ପୂର୍ବେ ସେଣ୍ଟିନିଲିଜ୍‌ମାନେ ବସବାସ କରୁଥିବା ଆଣ୍ଡାମାନର ସେଇ ଦ୍ୱୀପକୁ ଯାଇ ସେମାନଙ୍କ ସହ ‘ବନ୍ଧୁତ୍ୱପୂର୍ଣ୍ଣ’ ସଂପର୍କ ସ୍ଥାପନ କରିବାରେ ସମର୍ଥ ହୋଇଥିଲେ। ଏବେ ମଧୁମାଲା ତାଙ୍କର ସେଇ ସ୍ମୃତିକୁ ମନେ ପକାଇ କହିଛନ୍ତି, ସେ କେମିତି ଯାଇଥିଲେ ସେଠାକୁ କିପରି ଭାବେ ସେମାନଙ୍କ ସହ ‘ବନ୍ଧୁତ୍ୱପୂର୍ଣ୍ଣ’ ସଂପର୍କ ସ୍ଥାପନ କରିଥିଲେ।

ସେଣ୍ଟିନିଲିଜ୍‌ମାନେ ଅବସ୍ଥାନ କରୁଥିବା ଆଣ୍ଡାମାନର ସେଇ ଦ୍ୱୀପ ଅଭିମୁଖେ ମଧୁମାଲା ଯେତେବେଳେ ସାଙ୍ଗରେ ଅନ୍ୟ ଦୁଇ ଗବେଷକଙ୍କୁ ଧରି ତାଙ୍କର ଯାତ୍ରା ଆରମ୍ଭ କଲେ ସେତେବେଳେ ସେମାନଙ୍କ ମନରେ ଥିଲା ଅନେକ ଆଶା ଓ ଆଶଙ୍କା। କାରଣ, ତାଙ୍କ ପୂର୍ବରୁ ଛଅ ମାସ ତଳେ ସେଠାକୁ ଯାଇଥିବା ଅନ୍ୟ ଏକ ଗବେଷକ ଦଳ ସେଣ୍ଟିନିଲିଜ୍‌ମାନଙ୍କ ଠାରୁ ତୀର ମାଡ଼ ଖାଇ ବିଫଳ ମନୋରଥରେ ସେଠାରୁ ଫେରିଥିଲେ। ସେଥିପାଇଁ ୧୯୮୯ ଜାନୁଆରି ୪ ତାରିଖରେ ସେମାନେ ଯେତେବେଳେ ଯାଇ ସେଠାରେ ପହଞ୍ଚିଲେ ସେମାନେ ସିଧା ଦ୍ୱୀପ ମଧ୍ୟକୁ ନଯାଇ ସେମାନଙ୍କ ବୋଟ୍‌ରେ କିଛି ଦୂରରେ ସମୁଦ୍ର ମଧ୍ୟରେ ରହି ସେମାନଙ୍କ ଗତିବିଧିକୁ ଲକ୍ଷ୍ୟ କଲେ। ପ୍ରଥମେ ସେମାନଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରାଇବା ପାଇଁ ସାଙ୍ଗରେ ନେଇଥିବା କିଛି ପଇଡ଼କୁ କୂଳରେ ପକାଇଦେଇ ଆସିଲେ। ଯେତେବେଳେ ଦେଖିଲେ ଯେ ସେଣ୍ଟିନିଲିଜ୍‌ମାନେ ଆସି ସେଇ ପଇଡ଼କୁ ଆଗ୍ରହ ସହକାରେ ସଂଗ୍ରହ କରୁଛନ୍ତି ସେତେବେଳେ ସେମାନେ ସେମାନଙ୍କୁ ଦେଖାଇ ଦେଖାଇ ଆଉକିଛି ପଇଡ଼ ସମୁଦ୍ର ପାଣିରେ ପକାଇଲେ ଓ ସେମାନଙ୍କ ବୋଟକୁ ପଛକୁ ପଛକୁ ଫେରାଇ ନେବାକୁ ଲାଗିଲେ।

ଯେତେବେଳେ ଦେଖିଲେ ସେମାନେ ପଇଡ଼ ନେବାକୁ ସେମାନଙ୍କ ଆଡ଼କୁ ଆସୁଛନ୍ତି ସେମାନେ ସେମାନଙ୍କ ବୋଟକୁ ଅଟକାଇ ଦେଇ ସେମାନଙ୍କୁ ଆହୁରି ପଇଡ଼ ଦେଲେ। ଏମିତି ବେଶ କିଛିଦିନ ଚାଲିବା ପରେ ସେମାନେ ଶେଷରେ ଦିନେ ପହଁରି ପହଁରି ସେମାନଙ୍କ ବୋଟ ନିକଟକୁ ଆସିଲେ ଆଉ ସେମାନଙ୍କ ବୋଟକୁ ହାତ ମାରି ପରୀକ୍ଷା କରି ଦେଖିବା ପରେ ଏମାନଙ୍କ ହାତରୁ ପଇଡ଼ ନେଇ ସେଣ୍ଟନିଲିଜ୍‌ମାନେ ସେମାନଙ୍କ ଭାଷାରେ, ‘ନରିୟଲ ଜବା ଜବା’ କହି ଏମାନଙ୍କ ସହ ସ୍ଥାପନ କରିଥିଲେ ବନ୍ଧୁତ୍ୱ। ପରେ, ଏମାନେ ସେମାନଙ୍କ ସହ ମଧୁମାଲା ଯାଇଥିଲେ ସେଇ ନିଷିଧାଞ୍ଚଳ ମଧ୍ୟକୁ ଆଉ ସେଠାରେ ସେମାନଙ୍କ ଉପରେ ଗବେଷଣା କରିବା ସହ ସେମାନଙ୍କ ଗହଣରେ ବିତାଇଥିଲେ ବର୍ଷାଧିକ କାଳ। ଏବେ ଆଣ୍ଡାମାନର ପ୍ରାୟ ୫୦ ବର୍ଗ କିଲୋମିଟର ବ୍ୟାପି ସେଇ ଦ୍ୱୀପରେ ପ୍ରାୟ ୮୦ରୁ ୧୫୦ ସେଣ୍ଟନିଲିଜ୍‌ ଅଧିବାସୀ ବସବାସ କରୁଥିବା କହିଛନ୍ତି ମଧୁବାଲା।

ଉଲ୍ଲେଖଯୋଗ୍ୟ, ୧୯୮୯ରେ ଅନ୍ଥ୍ରୋପୋଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆ (ଏଏସ୍‌ଆଇ) ପକ୍ଷରୁ ଏକ ଫେଲୋସିପ୍‌ ପାଇ ମଧୁମାଲା ସେଠାକୁ ଯିବା ସହ ୧୯୯୬ ପର୍ଯ୍ୟନ୍ତ ସେଠାରେ ରହିଥିଲେ ସେମାନଙ୍କ ଗହଣରେ। ଏସମ୍ପର୍କରେ ମଧୁମାଲାଙ୍କର ଗୋଟିଏ ପୁସ୍ତକ ସମେତ ଗବେଷଣାତ୍ମକ ଆଲେଖ୍ୟ ମଧ୍ୟ ପ୍ରକାଶିତ ହୋଇଛି।

ସମ୍ବନ୍ଧିତ ଖବର