ଷ୍ଟେରଇଲ୍‌ଟ ପ୍ଲାଣ୍ଟ୍‌ ସମ୍ପ୍ରସାରଣ ଉପରେ ରହିତାଦେଶ ଜାରି କଲେ ମାଡ୍ରାସ୍‌ ହାଇକୋର୍ଟ

ଚେନ୍ନାଇ: ବୁଧବାର ଦିନ ମାଡ୍ରାସ୍‌ ହାଇକୋର୍ଟର ମଦୁରାଇ ଖଣ୍ଡପୀଠ ଷ୍ଟେରଇଲ୍‌ଟ ଇଣ୍ଡଷ୍ଟ୍ରିଜ୍‌ ଦ୍ୱାରା ନିର୍ମାଣ ହେଉଥିବା ନୂଆ କପର ସ୍ମଲଟର  ପ୍ଲାଣ୍ଟ ନିର୍ମାଣ ଉପରେ ରହିତାଦେଶ ଜାରି କରିଛନ୍ତି।

ପ୍ରଦୂଷଣ ଜନିତ ଆଶଙ୍କା ଯୋଗୁଁ ତୁତିକୋରିନ ଠାରେ ଷ୍ଟେରଇଲ୍‌ଟ କପର୍‌ ପ୍ଲାଣ୍ଟ୍‌ ନିର୍ମାଣ ବନ୍ଦ ଦାବି କରି ପ୍ରତିବାଦ କରୁଥିବା ଲୋକଙ୍କ ଉପରେ ପୁଲିସ ଗୁଳି ଚଳାଇବାରୁ ୧୧ ଜଣ ଲୋକ ନିହତ ହେବା ସହ ଅନ୍ୟ ୬୫ ଜଣ ଆହତ ହୋଇଥିଲେ।

ଆଜି ରାୟ ଶୁଣାଇ ହାଇକୋର୍ଟ ସମ୍ପ୍ରସାରଣ କାମ ସ୍ଥଗିତ କରିବା ସହ ଏହି ମାମଲାର ଏକ ସାର୍ବଜନିନ ଶୁଣାଣି ପାଇଁ ଆଦେଶ ଦେଇଛନ୍ତି।
ପୁଲିସ କହିବାନୁସାରେ, ମାଡ୍ରାସ୍‌ ହାଇକୋର୍ଟଙ୍କ ଆଦେଶ ପାଳନପୂର୍ବକ କାରଖାନା ମଧ୍ୟରେ ଏବଂ ଆଖପାଖରେ ୧୪୪ ଧାରା ଜାରି କରାଯାଇଛି।

ଷ୍ଟେରଇଲ୍‌ଟ କପର୍‌ ତରଫରୁ କୁହାଯାଇଛି କି, ସମ୍ପ୍ରତି ତୁତିକୋରିନ୍‌ ଜିଲ୍ଲାରେ ଥିବା କାରଖାନା ବନ୍ଦ ଅଛି। କାମ ଚାଲୁ କରିବାକୁ କର୍ତ୍ତୃକ୍ଷଙ୍କ ଠାରୁ ଅନୁମୋଦନ ଅପେକ୍ଷା କରାଯାଇଛି। ଷ୍ଟେରଇଲ୍‌ଟ ପୁଣି କହିଛି ଯେ ମାର୍ଚ ୨୭ ତାରିଖ ଠାରୁ କାରଖାନା ବନ୍ଦ ରଖି ବର୍ଷିକିଆ ମରାମତି କାମ ଚାଲିଛି।

ଉପକୂଳବର୍ତ୍ତୀ ସହରରେ କାରଖାନା ସମ୍ପ୍ରସାରଣ ପାଇଁ କମ୍ପନି ଏ ବର୍ଷ ଫେବ୍ରୁଆରି ମାସରେ ପରିବେଶ ଅନୁମୋଦନ ପାଇବାକୁ ଆବେଦନ କରିଥିଲା।

ସଂପ୍ରସାରଣ ଦ୍ୱାରା କମ୍ପାନିର ବାର୍ଷିକ ବିଗଳନ ସାମର୍ଥ୍ୟ ଦୁଇ ଗୁଣ ଅର୍ଥାତ୍‌ ୮୦୦, ୦୦୦ ଟନ୍‌ ହୋଇଯିବ।

ମଙ୍ଗଳବାର ଦିନ ପ୍ରତିବାଦ ୧୦୦ ଦିନରେ ପହଞ୍ଚି ଥିଲା। ସେଦିନ ୨୫୦୦୦ ଲୋକ କାରଖାନା ବନ୍ଦ କରିବା ଦାବି ନେଇ କଲେକ୍ଟରେଟ୍‌ ଆଡ଼କୁ ମୁହାଁଇଥିଲେ।

ସମ୍ବନ୍ଧିତ ଖବର