ଉନ୍ନାଓ ଦୁଷ୍କର୍ମ ମାମଲା: ବିଜେପି ବିଧାୟକଙ୍କୁ ଗିରଫ କରିବା ପାଇଁ ସିବିଅାଇକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଆହ୍ଲାବାଦ: ଶୁକ୍ରବାର ଆହ୍ଲାବାଦ ହାଇକୋର୍ଟ ସିବିଆଇକୁ ଉତ୍ତରପ୍ରଦେଶର ଉନ୍ନାଓଠାରେ ୧୭ବର୍ଷର ବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ ଭାରତୀୟ ଜନତା ପାର୍ଟି ବିଧାୟକ କୁଲଦୀପ ସିଂ ସେନ୍‌ଗର୍‌ଙ୍କୁ ଗିରଫ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି।

ଆହ୍ଲାବାଦ ହାଇକୋର୍ଟର ମୁଖ୍ୟବିଚାରପତି ଜଷ୍ଟିସ ସି.ବି ଭୋଁସଲେ ଏବଂ ଜଷ୍ଟିସ ସୁନୀତ କୁମାରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଷ୍ଟାଟସ ରିପୋର୍ଟ ମେ ୨ ସୁଦ୍ଧା ଦାଖଲ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ କୋର୍ଟ କହିଛନ୍ତି ଯେ ଏହି ମାମଲାର ତଦନ୍ତ କାର୍ଯ୍ୟକୁ ଖଣ୍ଡପୀଠ ଅନୁଧ୍ୟାନ କରିବେ।

ହାଇକୋର୍ଟ ସିବିଆଇକୁ ଏହି ସ୍ପର୍ଶକାତର ମାମଲାର ତଦନ୍ତ କଡାକଡି ଭାବେ ଆଇନ ଅନୁସାରେ କରିବା ସହ ମାମଲାରେ ଜଡ଼ିତ ଅନ୍ୟ ଅଭିଯୁକ୍ତଙ୍କ ଜାମିନ୍‌ ରଦ୍ଦ ଲାଗି ଆବେଦନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଗତବର୍ଷ ଏ ନେଇ ଦାଖଲ ହୋଇଥିବା ଏଫଆଇଆର୍‌ ଆଧାରରେ ସିବିଆଇ ତଦନ୍ତ କରିପାରେ ଅଥବା ମାମଲାକୁ ପୁଣିଥରେ ମୂଳରୁ ତଦନ୍ତ କରିପାରେ ବୋଲି ହାଇକୋର୍ଟ କହିଛନ୍ତି।

ଗୁରୁବାର ଆହ୍ଲାବାଦ ହାଇକୋର୍ଟ ଅଭିଯୁକ୍ତ ବିଧାୟକ ଗିରଫ ହୋଇ ନ ଥିବା ହେତୁ ରାଜ୍ୟ ସରକାରଙ୍କୁ ଭର୍ସନା କରିଥିଲେ। ଏଫଆଇଆର୍‌ ପଞ୍ଜିକୃତ ହୋଇଥିଲେ ହେଁ ଶାସକ ଦଳ ବିଧାୟକ ସେନ୍‌ଗାର୍‌ଙ୍କୁ ଗିରଫ କରିବା ଲାଗି ରାଜ୍ୟ ସରକାର ପ୍ରଚେଷ୍ଟା କରି ନ ଥିବାରୁ ଏହି ପରିସ୍ଥିତିକୁ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିର ବିପର୍ଯ୍ୟୟ  ବୋଲି  କହିବାକୁ ଆମେ ବାଧ୍ୟ ହେଉଛୁ ବୋଲି ହାଇକୋର୍ଟ ମତ ରଖିଥିଲେ।

ଉଲ୍ଲେଖଯୋଗ୍ୟ କି ଗତବର୍ଷ ଜଣେ ୧୭ବର୍ଷୀୟ ବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗ ବିଧାୟକଙ୍କ ନାମରେ ଆସିଥିଲା।

ସମ୍ବନ୍ଧିତ ଖବର