ଭାଇରାଲ ହେବାରେ ଲାଗିଛି ‘ଜୋମାଟୋ’ର ଫୁଡ୍‌ ଡେଲିଭରି ବଏଙ୍କ କାର୍‌ନାମା ଭିଡିଓ; ଡେଲିଭର ଦେବାକୁ ଥିବା ଖାଦ୍ୟ ସହ କ’ଣ କରୁଛନ୍ତିି ଦେଖନ୍ତୁ

ନୂଆଦିଲ୍ଲୀ : ପୂର୍ବରୁ ଅନେକ ଫୁଡ୍‌ ଡେଲିଭରି ସାଇଟ୍‌ର ଦାୟିିତ୍ୱହୀନତା ଉପରେ ପ୍ରଶ୍ନ ଉଠି ସାରିଛି। ଏବେ ମଧ୍ୟ ପ୍ରତିଦିନ ଭିନ୍ନ ଭିନ୍ନ ମାମଲା ସାମ୍ନାକୁ ଆସୁଛି । ଖାଦ୍ୟରୁ ପୋକ ବାହାରିବାଠୁ ଆରମ୍ଭ କରି ଖାଦ୍ୟର ମାନ ଠିକ୍‌ ନ ରହିବା ପର୍ଯ୍ୟନ୍ତ ସମସ୍ୟାର ସାମ୍ନା ଗ୍ରାହକମାନେ କରି ସାରିଥିଲେ ବି କମ୍ପାନି ତରଫରୁ କୌଣସ ସତର୍କତା ଅବଲମ୍ବନ କରାଯାଉ ନାହିଁ । ଫୁଡ୍‌ ଡେଲିଭରି ସାଇଟ୍‌ ‘ଜୋମାଟୋ’ ଉପରେ ଅନେକ ଅଭିଯୋଗ ପୂର୍ବରୁ ଆସିଥିବା ବେଳେ ଏବେ ‘ଜୋମାଟୋ’ର ଜଣେ ଫୁଡ୍‌ ଡେଲିଭରି ବଏକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଠି ଗ୍ରାହକଙ୍କୁ ଡେଲିଭର କରିବାକୁ ଥିବା ଖାଦ୍ୟକୁ ଡେଲିଭରି ବଏ ଗୋଟେ ଗୋଟେ କରି କାଢ଼ି ଖାଇବାରେ ଲାଗିଥିବାର ଦେଖିବାକୁ ମିଳିଛି। ସଂପୁର୍ଣ୍ଣ ଖାଇଲେ ସନ୍ଦେହ ହେବାର ଆଶଙ୍କା ଥିବାରୁ ପ୍ରତି ପ୍ୟାକେଟ୍‌କୁ ଖୋଲି ସେଥିରୁ ଟିକେ ଖାଇବା ସହ ତାହାକୁ ପୂର୍ବ ପରି ପ୍ୟାକ୍‌ କରି ରଖୁଥିବା ଭାଇରାଲ ହୋଇଥିବା ଭିଡିଓରେ ଦେଖାଯାଇଛି । ଏହି ଦୃଶ୍ୟକୁ କେହି ଜଣେ ରେକର୍ଡ କରି ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଏହାକୁ ନେଇ ଏବେ ତୀବ୍ର ପ୍ରତିକ୍ରିୟା ଦେଖାଯାଇଛି ।

କିଛି ଲୋକ ନିଜ ଫୋନରୁ ‘ଜୋମାଟୋ’ ଆପ୍‌ ହଟାଇବାର କଥା କହିଥିବା ବେଳେ କିଛି ଲୋକ ଏଭଳି କାମକୁ ନେଇ ବିରକ୍ତି ପ୍ରକାଶ କରିଥିବା ଦେଖାଯାଇଛି । ଏ ନେଇ ସୂଚନା ମିଳିବା ପରେ ଜୋମାଟୋ ତରଫରୁ ଭିଡିଓରେ ନଜର ଆସୁଥିବା ଡେଲିଭରି ବଏକୁ ଚାକିରିରୁ ବାହାର କରି ଦିଆଯାଇଥିବା ଜଣା ପଡ଼ିଛି । ତଦନ୍ତ ପରେ ଘଟଣାଟି ମଦୁରାଇରେ ଘଟିଛି ବୋଲି କମ୍ପାନି ପକ୍ଷରୁ କୁହାଯାଇଛି ।

ସମ୍ବନ୍ଧିତ ଖବର