ହ୍ଵାଟ୍‌ସ୍‌ଆପ୍‌ ସହ-ସଂସ୍ଥାପକଙ୍କ ଟୁଇଟ୍‌: ଫେସ୍‌ବୁକ୍‌ ଡିଲିଟ୍‌ କରିବାର ସମୟ ଆସିଛି

ନୂଆଦିଲ୍ଲୀ: ଫେସ୍‌ବୁକ୍‌ ଡିଲିଟ୍‌ କରିବାକୁ ହ୍ଵାଟ୍‌ସ୍‌ଆପ୍‌ ସହ-ସଂସ୍ଥାପକ ବ୍ରିଏନ୍‌ ଆକ୍ଟନ୍‌ ଆଜି ଟୁଇଟ୍‌ କରି ସମସ୍ତଙ୍କୁ କହିଛନ୍ତି।
ଆକ୍ଟନ୍‌ ଟୁଇଟ୍‌ କରିଛନ୍ତି: ସମୟ ଆସିଯାଇଛି। ଫେସ୍‌ବୁକ୍‌ ଡିଲିଟ୍‌ କରନ୍ତୁ।

ଫେସ୍‌ବୁକ୍‌ ଗୋଳମାଳିଆ ପରିସ୍ଥିତିରେ ଥିବାବେଳେ ଆକ୍ଟନ୍‌ ଏ ଭଳି ଟୁଇଟ୍‌ କରିଛନ୍ତି। ବିନା ଅନୁମତିରେ କେମ୍ବ୍ରିଜ୍‌ ଆନାଲିଟିକା ନାମକ ଏକ ରାଜନୈତିକ ତଥ୍ୟ ବିଶ୍ଳେଷଣକାରୀ କମ୍ପାନି ୫୦ ନିୟୁତ ଫେସ୍‌ବୁକ୍‌ ବ୍ୟବହାରକାରୀଙ୍କ ତଥ୍ୟ ନେଇଯାଇଥିବା ରିପୋର୍ଟ ପ୍ରକାଶ ପାଇବା ପରେ ଏ ଭଳି ସ୍ଥିତି ଉପୁଜିଛି।

୧୯ ବିଲିୟନ୍‌ ଆମେରିକୀୟ ଡଲାର୍‌ ବିନିମୟରେ ୨୦୧୪ ମସିହାରେ ଫେସ୍‌ବୁକ୍‌ ହ୍ଵାଟ୍‌ସ୍‌ଆପ୍‌କୁ ଖରିଦ କରିଥିଲା। ବିକ୍ରି ହେବା ପରେ ମଧ୍ୟ ଆକ୍ଟନ୍‌ ଫେସ୍‌ବୁକ୍‌ରେ ରହିଥିଲେ। କିନ୍ତୁ, ଏ ବର୍ଷ ଆଦ୍ୟରେ ସେ ଫେସ୍‌ବୁକ୍‌ ଛାଡ଼ି ‘ସିଗ୍‌ନାଲ୍‌ ଫାଉଣ୍ଡେସନ୍‌’ ନାମକ ଅନ୍ୟ ଏକ କମ୍ପାନି ଆରମ୍ଭ କରିଛନ୍ତି।

ସୋମବାର ଦିନ ଫେସ୍‌ବୁକ୍‌ର ସେୟାର୍‌ ୭% କମିଯାଇଛି। ରିପୋର୍ଟ ଅନୁସାରେ, ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ଙ୍କ ନିର୍ବାଚନୀ ପ୍ରଚାର ଅଭିଯାନରେ କନ୍‌ସଲ୍‌ଟାଣ୍ଟ୍‌ ଥିବା ‘କେମ୍ବ୍ରିଜ୍‌ ଆନାଲିଟିକା’ ବିନା ଅନୁମତିରେ ଫେସ୍‌ବୁକ୍‌ ବ୍ୟବହାରକାରୀଙ୍କ ଡାଟା ସଂଗ୍ରହ କରି ନଭେମ୍ବର ୨୦୦୬ରେ ଅନୁଷ୍ଠିତ ନିର୍ବାଚନକୁ ପ୍ରଭାବିତ କରିଥିଲା।

ଦୁଇଦିନ ତଳେ ଫେସ୍‌ବୁକ୍‌ ଘୋଷଣା କରିଥିଲା କି, ଡାଟା ଲିକ୍‌ ସଂବନ୍ଧରେ ତଦନ୍ତ କରିବାକୁ ଡିଜିଟାଲ୍‌ ଫୋରେନ୍‌ସିକ୍‌ ଫାର୍ମ ‘ଷ୍ଟ୍ରୋଜ୍‌ ଫ୍ରାଏଡ୍‌ବର୍ଗ’କୁ ନିଯୁକ୍ତ କରାଯାଇଛି।

ସମ୍ବନ୍ଧିତ ଖବର