ସ୍ପଷ୍ଟ ଏବଂ ବଡ଼ ଅକ୍ଷରରେ ପ୍ରେସ୍‌କ୍ରିପ୍‌ସନ୍‌ ଲେଖିବାକୁ ଡାକ୍ତରମାନଙ୍କୁ କହିଲେ ଝାଡ଼ଖଣ୍ଡ ସରକାର

ଧାନବାଦ: ରୋଗୀମାନଙ୍କ ପାଇଁ ବଡ଼ ଅକ୍ଷର ବା କ୍ୟାପିଟାଲ୍‌ ଲେଟର୍ସରେ ପ୍ରେସ୍‌କ୍ରିପ୍‌ସନ୍‌ ଲେଖିବାକୁ ସରକାରୀ ଓ ଘରୋଇ ଡାକ୍ତରମାନଙ୍କ ପ୍ରତି ଝାଡ଼ଖଣ୍ଡ ସରକାର ବାଧ୍ୟତାମୂଳକ କରିଛନ୍ତି।

ଶୁକ୍ରବାର ଦିନ ଜାରି ହୋଇଥିବା ଏକ ବିଜ୍ଞପ୍ତିରେ ରାଜ୍ୟ ସରକାର ସମସ୍ତ ସରକାରୀ ଡାକ୍ତରଖାନା ଏବଂ ଘରୋଇ ନର୍ସିଂହୋମ୍‌ର ଡାକ୍ତରମାନଙ୍କୁ ‘ଇଣ୍ଡିଆନ୍‌ ମେଡିକାଲ୍‌ କାଉନ୍‌ସିଲ୍‌ (ପ୍ରଫେସ୍‌ନାଲ୍‌ କଣ୍ଡକ୍ଟ୍‌, ଇଟିକ୍ୱେଟ୍‌ ଆଣ୍ଡ୍‌ ଏଥିକ୍ସ୍‍) ରେଗୁଲେସନ୍‌ସ୍‌, ୨୦୦୨ ମାନିବାକୁ ବାଧ୍ୟ କରିଛନ୍ତି। ଏହି ରେଗୁଲେସନ୍‌ରେ କୁହାଯାଇଛି ଯେ ଡାକ୍ତରମାନେ ଔଷଧର ଜେନେରିକ୍‌ ନାଁ ଲେଖିବା ବ୍ୟତୀତ ପ୍ରେସ୍‌କ୍ରିପ୍‌ସନ୍‌ କେବଳ ବଡ଼ ଅକ୍ଷରରେ ଲେଖନ୍ତୁ।
ପ୍ରେସ୍‌କ୍ରିପ୍‌ସନ୍‌ ସବୁ ସ୍ପଷ୍ଟ, ବଡ଼ ଅକ୍ଷରରେ ଲେଖାଯିବା ସହ ସେଥିରେ କେବଳ ପ୍ରାସଙ୍ଗିକ ଔଷଧ ଲେଖାଯାଇଛି ବୋଲି ନିଶ୍ଚିତ ହେବାକୁ ଡାକ୍ତରୀ ଶିକ୍ଷା ଏବଂ ପରିବାର କଲ୍ୟାଣ ବିଭାଗର ଡେପୁଟି ସ୍ୱାସ୍ଥ୍ୟ ସଚିବ ଅକ୍ଷୌରି ଶଶାଙ୍କ ସିହ୍ନାଙ୍କ ଦ୍ୱାରା ଜାରି ଏହି ବିଜ୍ଞପ୍ତି ଡକ୍ତରମାନଙ୍କୁ ନିର୍ଦେଶ ଦିଆଯାଇଛି।

ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ବିଜ୍ଞାପିତ ଏମ୍‌ସିଆଇ ରେଗୁଲେସନ୍‌ସ୍‌ ଉଲ୍ଲଂଘନ କଲେ ପ୍ରଥମେ ଚେତାବନୀ ଦିଆଯିବ, ଦ୍ୱିତୀୟରେ କିଛି ଦିନ ପାଇଁ ରେଜିଷ୍ଟ୍ରେସନ୍‌ ବାତିଲ୍‌ କରାଯିବ, ଏବଂ ତୃତୀୟରେ ରେଜିଷ୍ଟ୍ରେସନ୍‌ ରଦ୍ଦ କରିଦିଆଯିବ।

କିନ୍ତୁ, ଗତ ଦୁଇ ବର୍ଷ ହେବ ଝାଡ଼ଖଣ୍ଡର ସରକାରୀ ଏବଂ ଘରୋଇ ଡାକ୍ତରମାନେ ଏମ୍‌ସିଆଇର ନିର୍ଦେଶାବଳୀକୁ ଉପେକ୍ଷା କରି ଆସୁଛନ୍ତି।
ଶୁକ୍ରବାର ବିଜ୍ଞପ୍ତି କଥା ଜାଣିବା ପରେ ଉଭୟ ସରକାରୀ ଏବଂ ଘରୋଇ ଡାକ୍ତରୀ ସଂଘ ତରଫରୁ ଆଶଙ୍କା ପ୍ରକାଶ ପାଇଛି ଯେ ଏହାଦ୍ୱାରା ରୋଗୀମାନଙ୍କର ସମସ୍ୟା ବଢ଼ିବ। କାରଣ, ଦୈନିକ ଶହ ଶହ ରୋଗୀ ଆସୁଥିବାରୁ ସମସ୍ତଙ୍କ ପାଇଁ ସ୍ପଷ୍ଟ ଓ ବଡ଼ ଅକ୍ଷରରେ ପ୍ରେସ୍‌କ୍ରିପ୍‌ସନ୍‌ ଲେଖିବା ସୀମିତ ସମୟ ମଧ୍ୟରେ ସମ୍ଭବପର ନୁହେଁ।

ସମ୍ବନ୍ଧିତ ଖବର