ପୂର୍ବତନ ସେନା କ୍ୟପଟେନ୍‌ଙ୍କୁ ରାସ୍ତାରେ ପିଟିପିଟି ହତ୍ୟା

ପୁନେ: ପୁନେର ସେନା କ୍ୟାମ୍ପ୍‌ ନିକଟରେ ଜଣେ ପୂର୍ବତନ ସେନା କ୍ୟାପ୍‌ଟେନ୍‌ଙ୍କୁ କିଛି ଦୁର୍ବୃତ୍ତ ପିଟିପିଟି ହତ୍ୟା କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ମୃତ ଅଧିକାରୀଙ୍କ ନାମ ରବୀନ୍ଦ୍ର ବାଲି ବୋଲି ପୁଲିସ୍‌ ସୂତ୍ରରୁ ଜଣାପଡ଼ିଛି। ଏନେଇ ଏକ ହତ୍ୟା ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ କରାଯାଉଥିବା ପୁଲିସ୍‌ କହିଛି। ପୁଲିସ୍‌ ସୂଚନା ମୁତାବକ, ଗୁରୁବାର ବିଳମ୍ବିତ ରାତିରେ ରବୀନ୍ଦ୍ରଙ୍କୁ ଦୁଇ ଜଣ ଅଜ୍ଞାତ ଲୋକ ପିଟିପିଟି ହତ୍ୟା କରିଥିଲେ ଏବଂ ଜଣେ ହୋମ୍‌ଗାର୍ଡ ଏ ବାବଦରେ ପୁଲିସ୍‌କୁ ଖବର ଦେଇଥିଲେ। ଦୀର୍ଘ ବର୍ଷ ହେବ ରବୀନ୍ଦ୍ର ନିଜ ପରିବାର ସହ ସମ୍ପର୍କରେ ନଥିଲେ ଏବଂ ଏକୁଟିଆ ଏକ ତମ୍ବୁରେ ଜୀବନ ବିତାଉଥିଲେ। ତଦନ୍ତ ବେଳେ ତାଙ୍କ ପରିବାର ସହ ସମ୍ପର୍କ ଆସିବାରୁ ରବୀନ୍ଦ୍ରଙ୍କ ବିଷୟରେ ପୁଲିସ ଜାଣିବାକୁ ପାଇଥିଲା। ରୋଗାକ୍ରାନ୍ତ ପିତା-ମାତାଙ୍କ ସେବା କରିବା ପାଇଁ ସେ ଚାକିରିରୁ ଅବସର ନେଇଯାଇଥିଲେ। ୨୦ ବର୍ଷ ଚାକିରି ପୂରଣ କରିନଥିବାରୁ ତାଙ୍କୁ ପେନ୍‌ସନ ମଧ୍ୟ ମିଳୁନଥିଲା। ଫଳରେ ଅର୍ଥିକ ଅନଟନ ମଧ୍ୟରେ ଗତି କରୁଥିବା ରବୀନ୍ଦ୍ର କିଣିଥିବା ଏକ ଫ୍ଲାଟ୍‌ର ଋଣ ସୁଝି ନପାରିବାରୁ ତାହା ମଧ୍ୟ ହାତରୁ ଚାଲିଯାଇଥିଲା। ୨୦୧୩ ମସିହାରୁ ସେ କ୍ୟାମ୍ପ ନିକଟସ୍ଥ ଏହି ତମ୍ବୁରେ ରହୁଥିଲେ ବୋଲି ସ୍ଥାନୀୟ ଲୋକଙ୍କଠାରୁ ଜାଣିବାକୁ ମିଳିଛି। ତେବେ କେଉଁ କାରଣ ପାଇଁ ରବୀନ୍ଦ୍ରଙ୍କୁ ହତ୍ୟା କରାଯାଇଛି ତାହା ରହସ୍ୟାବୃତ୍ତ ହୋଇ ରହିଛି ।

ସମ୍ବନ୍ଧିତ ଖବର