କର୍ଣ୍ଣାଟକରେ ହାର ମାନିଲେ ୟେଦୁରାପ୍ପା, ନିଜ ଜାଲରେ ନିଜେ ଛନ୍ଦି ହୋଇଗଲା ବିଜେପି

0 1,321

ବେଙ୍ଗାଲୁରୁ: ଶେଷରେ ସମସ୍ତ ପ୍ରକାର କଳ୍ପନା ଜଳ୍ପନାର ଅନ୍ତ ଘଟାଇ କର୍ଣ୍ଣାଟକ ନାଟକର ଯବନିକା ପତନ ଘଟିଛି। ମାତ୍ର ଅଢ଼େଇ ଦିନ ପାଇଁ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ପଦରେ ରହିବା ପରେ, ବିଧାନସଭା ମଧ୍ୟରେ ଆସ୍ଥା ଭୋଟର ସମ୍ମୁଖୀନ ହେବା ପୂର୍ବରୁ ଆଜି (ଶନିବାର) ଅପରାହ୍ନରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି କର୍ଣ୍ଣାଟକର ଭାରତୀୟ ଜନତା ପାର୍ଟି (ବିଜେପି) ମୁଖ୍ୟମନ୍ତ୍ରୀ ବି ଏସ୍‌ ୟେଦୁରାପ୍ପା।

ୟେଦୁରାପ୍ପାଙ୍କ ଇସ୍ତଫା ବିଜେପିର ପତିଆରାକୁ ସାଧାରଣରେ କ୍ଷୁଣ୍ଣ କରିଥିବା ବେଳେ ରାଜନୀତି ଗୋଟି ଚାଳନାରେ ବେଶ୍‌ ମାହିର, ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହାଙ୍କୁ ମଧ୍ୟ ବାଜିମାତ୍‌ କରି ଦେଇଛି। ଏଥିସହ ୟେଦୁରାପ୍ପାଙ୍କ ଇସ୍ତଫା ମଧ୍ୟ ଆଉ ଗୋଟିଏ ବଡ଼ ଓ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଘଟଣାର ପ୍ରମାଣ ବହନ କରୁଛି- ଆଉ ସେଇଟି ହେଉଛି ଭାରତରେ ଗଣତନ୍ତ୍ର ଓ ସମ୍ବିଧାନ ଏବେ ବି ବଞ୍ଚିଛି ଆଉ ଏହାର ସାମ୍ବିଧାନିକ ସଂସ୍ଥାଗୁଡ଼ିକ ଏବେବି ସ୍ୱାଧୀନ, ସକ୍ରିୟ ଓ ଜୀବନ୍ତ ରହିଛନ୍ତି। ଅନ୍ୟପକ୍ଷରେ କର୍ଣ୍ଣାଟକରେ ଅଭିନୀତ ବିଜେପିର ଏହି ବିୟୋଗାନ୍ତ ନାଟକ ଆସନ୍ତା ୨୦୧୯ରେ ଅନୁଷ୍ଠିତ ହେବାକୁ ଥିବା ସାଧାରଣ ନିର୍ବାଚନ ଓ ବିଶେଷ କରି ବିଜେପିକୁ କିପରି ଭାବେ ପ୍ରଭାବିତ କରିବ, ତାହା କେବଳ ମାତ୍ର ସମୟ ହିଁ କହିବ। କାରଣ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ପରାଜୟ ନୁହେଁ ବରଂ ରାଜ୍ୟରେ ସଂଖ୍ୟା ଗରିଷ୍ଠତା ନଥାଇ ଅତ୍ୟନ୍ତ ଚଞ୍ଚକତା ଓ ତରବରିଆ ଭାବେ ବିଜେପି ଯେଉଁ ସରକାର ଗଠନ କରିଥିଲା ତାହାକୁ ସମସ୍ତ ପ୍ରକାରର କଳ, ବଳ ଓ କୌଶଳ ପ୍ରୟୋଗ କରି ସୁଦ୍ଧା ବଞ୍ଚାଇବାରେ ଦଳର କାପର୍ଟଦାରମାନେ ସମର୍ଥ ହୋଇପାରିଲେ ନାହିଁ।

 ୨୨୨ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭାରେ ବିଜେପି ୧୦୪ ଆସନରେ ବିଜୟ ଲାଭ କରି ଏକକ ସଂଖ୍ୟା ଗରିଷ୍ଠତାର ମାନ୍ୟତା ପାଇଥିଲା ସତ; କିନ୍ତୁ ସରକାର ଗଠନ ପାଇଁ ଆବଶ୍ୟକ ‘ମ୍ୟାଜିକ୍‌ ନମ୍ବର’ ଠାରୁ ଦୂରରେ ଥିଲା। ଏପରିସ୍ଥିତରେ ନିର୍ବାଚନ ପରବର୍ତ୍ତୀ ସମୟରେ କଂଗ୍ରେସ ଓ ଜେଡିଏସ୍‌ ପରସ୍ପର ମଧ୍ୟରେ ମେଣ୍ଟ କରି କର୍ଣ୍ଣାଟକରେ ସରକାର ଗଠନ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ କର୍ଣ୍ଣାଟକ ରାଜ୍ୟପାଳ ଅତ୍ୟନ୍ତ ତରବରିଆ ଭାବେ ଏକକ ସଂଖ୍ୟା ଗରିଷ୍ଠ ନେତା ଭାବେ ବିଜେପିର ବିଧାୟକ ଦଳ ନେତା ବିଏସ୍‌ ୟେଦୁରାପ୍ପାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରାଇବା ସହ ତାଙ୍କର ଶପଥ ପାଠ ମଧ୍ୟ କରାଇ ଦେଲେ। ଏହାକୁ ନେଇ ଦେଶବ୍ୟାପି ଘୋର ପ୍ରତିକ୍ରିୟା ମଧ୍ୟ ପ୍ରକାଶ ପାଇଲା।

 କାରଣ, ଏହା ପୂର୍ବରୁ ନିକଟ ଅତୀତରେ ଅନୁଷ୍ଠିତ ହୋଇଥିବା ଗୋଆ, ମଣିପୁର ଓ ମେଘାଳୟ ରାଜ୍ୟ ବିଧାନସଭା ନିର୍ବାଚନମାନଙ୍କରେ କଂଗ୍ରେସକୁ ସର୍ବାଧିକ ଆସନ ମିଳିଥିବା ବେଳେ କଂଗ୍ରେସ ଏକକ ସଂଖ୍ୟା ଗରିଷ୍ଠ ଦଳ ହୋଇ ଉଭା ହୋଇଥିଲା। ଗୋଆରେ ୪୦ଟି ବିଧାନସଭା ଆସନ ମଧ୍ୟରୁ କଂଗ୍ରେସ ସର୍ବାଧିକ ୧୯ଟି ଆସନ ପାଇଥିବା ସତ୍ତ୍ୱେ ରାଜ୍ୟପାଳ ବିଜେପି ସମର୍ଥିତ ମେଣ୍ଟ ଦଳଙ୍କୁ ସରକାର ଗଢିବା ପାଇଁ ସୁଯୋଗ ଦେଇଥିଲେ। ସେହିଭଳି ମଣିପୁରରେ ୬୦ରୁ ୨୮ ଏବଂ ମେଘାଳୟରେ ୫୯ରୁ ୨୦ ଆସନ ପାଇ କଂଗ୍ରେସ ଏକକ ସଂଖ୍ୟା ଗରିଷ୍ଠ ଦଳ ହୋଇ ଉଭା ହୋଇଥିଲା ମଧ୍ୟ ଏହି ଦୁଇ ରାଜ୍ୟରେ ସରକାର ଗଠନ ପାଇଁ କଂଗ୍ରେସକୁ ସୁଯୋଗ ମିଳି ନଥିଲା; ବରଂ ସୁଯୋଗ ମଳିଥିଲା ବିଜେପିକୁ। ତେବେ, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ୨୦୧୫ରେ ହୋଇଥିବା ବିହାର ନିର୍ବାଚନରେ ମଧ୍ୟ ଲାଲୁ ଯାଦବଙ୍କ ନେତୃତ୍ୱାଧୀନ ଆରେଜେଡି ସର୍ବାଧିକ ୮୦ଟି ଆସନରେ ବିଜୟ ଲାଭ କରି ଏକକ ସଂଖ୍ୟା ଗରିଷ୍ଠ ଦଳର ମାନ୍ୟତା ହାସଲ କରିଥିଲେ ମଧ୍ୟ ତାଙ୍କୁ ବି ସରକାର ଗଠନ ପାଇଁ ସୁଯୋଗ ମିଳି ନଥିଲା। ତେଣୁ ଏହି ପରିପ୍ରେକ୍ଷୀରେ ରାଜ୍ୟପାଳଙ୍କ ନିୟମ ରାଜ୍ୟ ଅନୁସାରେ କିଭଳି ଭାବେ ବଦଳିପାରୁଛି ବୋଲି କର୍ଣ୍ଣାଟକ ରାଜ୍ୟପାଳଙ୍କ ନିଷ୍ପତ୍ତି ପରିପ୍ରେକ୍ଷୀରେ ସ୍ୱାଭାବିକ ଭାବେ ପ୍ରଶ୍ନ ଉଠିଥିଲା। ଏବଂ କର୍ଣ୍ଣାଟକର ଦୃଷ୍ଟାନ୍ତ ଦେଖାଇ ଏସମସ୍ତ ରାଜ୍ୟର ଏକକ ସଂଖ୍ୟା ଗରିଷ୍ଠତାର ମାନ୍ୟତା ପାଇଥିବା ଦଳମାନେ ଏବେ ସଂପୃକ୍ତ ରାଜ୍ୟପାଳମାନଙ୍କ ନିକଟରେ ସରକାର ଗଠନ ପାଇଁ ଦାବି ଉପସ୍ଥାପିତ କରିଛନ୍ତି।
ତେଣୁ, କର୍ଣ୍ଣାଟକରେ ସରକାର ଗଠନ ପାଇଁ ବିଜେପି ଯେଉଁ ଜାଲ ବିଛାଇ ଥିଲା, ଏବେ ସେହି ଜାଲରେ ନିଜେ ଛନ୍ଦି ହୋଇ ଯାଇଛି। ଆଉ, ଏଥିରୁ ମୁକୁଳିବାର ବାଟ ଏତେ ସହଜ ନୁହେଁ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.