ଯୋଗୀଙ୍କ ପାଇଁ ଅଡ଼ୁଆ ବଢ଼ୁଛି

ଉନ୍ନାଓ ଦୁଷ୍କର୍ମ ଓ ହାଜତ ମୃତ୍ୟୁ ମାମଲା

ସୁପ୍ରିମକୋର୍ଟରେ ହେବ ଶୁଣାଣି
ଲକ୍ଷ୍ନୌ: ଉନ୍ନାଓ ଦୁଷ୍କର୍ମ ଏବଂ ହାଜତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ସୁପ୍ରିମକୋର୍ଟରେ ଶୁଣାଣି ହେବ। ଆଜି ପ୍ରଧାନ ବିଚାରପତି ଦୀପକ ମିଶ୍ର, ବିଚାରପତି ଏ ଏମ୍‌ ଖାନ୍‌ଓ୍ଵିଲକର ଏବଂ ବିଚାରପତି ଡି ଓ୍ଵାଇ ଚନ୍ଦ୍ରଚୁଡ଼ଙ୍କ ଖଣ୍ଡପୀଠ କହିଛନ୍ତି ଯେ ଆସନ୍ତା ସପ୍ତାହରେ ଉନ୍ନା ଦୁଷ୍କର୍ମ ଓ ହାଜତ ମୃତ୍ୟୁ ମାମଲାର ଶୁଣାଣି ହେବ। ଆଇନଜୀବୀ ମନୋହର ଲାଲ୍‌ ଶର୍ମା ଏନେଇ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ଏବଂ ଶର୍ମାଙ୍କ ଆବେଦନକୁ ଆଧାର କରି ସୁପ୍ରିମକୋର୍ଟ ଆସନ୍ତା ସପ୍ତାହରେ ଶୁଣାଣି କରିବେ ବୋଲି କହିଛନ୍ତି।

ନାର୍କୋଟେଷ୍ଟ୍‍ ଦାବି କଲେ ବିଧାୟକଙ୍କ ପତ୍ନୀ
ଲକ୍ଷ୍ନୌ: ଦୁଷ୍କର୍ମ ମାମଲାରେ ଛନ୍ଦି ହୋଇପଡ଼ିଥିବା ବିଜେପି ବିଧାୟକଙ୍କ ପତ୍ନୀ ସଙ୍ଗୀତା ସେଙ୍ଗର ଆଜି ଲକ୍ଷ୍ନୌ ପୁଲିସ ମହାନିର୍ଦ୍ଦେଶକ ଓପି ସିଂହଙ୍କୁ ଭେଟି ତାଙ୍କ ସ୍ୱାମୀଙ୍କୁ ନ୍ୟାୟ ମିଳୁ ବୋଲି ଅନୁରୋଧ କରିଛନ୍ତି। ସେ କହିଛନ୍ତି ତାଙ୍କ ସ୍ୱାମୀ ନିର୍ଦ୍ଦୋଷ। ଏହି ମାମଲାରେ ଉଭୟ ପୀଡ଼ିତା ଓ ତାଙ୍କ ସ୍ୱାମୀଙ୍କ ନାର୍କୋ ଟେଷ୍ଟ କରାଯିବାକୁ ସେ ଦାବି କରିଛନ୍ତି। ପରିବାରକୁ ବଦନାମ କରିବା ପାଇଁ ବଡ଼ ଷଡ଼ଯନ୍ତ୍ର ହୋଇଥିବା ସେ କହିଛନ୍ତି।

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଉନ୍ନାଓ ବାଙ୍ଗରମଉରେ ନାବାଳିକାଙ୍କୁ ଦୁଷ୍କର୍ମ ଓ ତାଙ୍କ ପିତାଙ୍କ ହାଜତ ମୃତ୍ୟୁ ମାମଲା ନେଇ ଅନେକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଏହି ମାମଲାରେ ରାଜ ରାଜନୀତି ସରଗରମ ରହିଥିବାରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି । ଜେଲ୍‌ ଯିବା ପୂର୍ବରୁ ପୀଡ଼ିତାଙ୍କ ପିତାଙ୍କୁ ଅମାନୁଷିକ ନିର୍ଯାତନା ଦିଆଯାଇଥିଲା ବୋଲି ଜଣାପଡ଼ିଛି । ଏହା ସହିତ ମୃତ୍ୟୁ ପୂର୍ବରୁ ପିଡ଼ୀତାଙ୍କ ପିତା ହସ୍ପିଟାଲ ବେଡରେ ବିଧାୟକଙ୍କ ଭାଇ ଅତୁଲ ତାଙ୍କୁ ଆକ୍ରମଣ କରିଥିବା ନେଇ ଦେଇଥିବା ବୟାନର ଭିଡିିଓ ଏବେ ଭାଇରାଲ ହୋଇଛି। ଭିଡିଓର ତଥ୍ୟ ମୁତାବକ, ପୀଡ଼ିତାଙ୍କ ପିତା କହିଛନ୍ତି ଯେ, ନିଜ ଝିଅକୁ ନ୍ୟାୟ ଦେବା ପାଇଁ ସଂଘର୍ଷ ଜାରି ରଖିବାରୁ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି ଏବଂ ତାଙ୍କୁ ହତ୍ୟା କରିବାକୁ ଯୋଜନାବଦ୍ଧ ଷଡ଼ଯନ୍ତ୍ର ହୋଇଛି । ଏହି ଭିଡିିଓରେ ତାଙ୍କ ପେଟ ଓ ଛାତିରେ ଆଘାତ ଲାଗିଥିବା ସ୍ପଷ୍ଟଭାବେ ପରିଲକ୍ଷିତ ହେଉଛି। ସେ କହିଛନ୍ତି ଯେ, ବିଧାୟକଙ୍କ ଭାଇ ଅତୁଲ ସିଂହ ସେଂଗର ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ପୁଲିସ କର୍ମୀମାନେ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିନଥିଲେ। ଶବ ବ୍ୟବଚ୍ଛେଦ ରିପୋର୍ଟରୁ ମଧ୍ୟ ଜଣାପଡ଼ିଥିଲା ଯେ, ଶକ୍ତ ଆଘାତ ଯୋଗୁଁ ଅନ୍ତନଳି ଫାଟି ଯିବାରୁ ତାଙ୍କ ଶରୀରରେ ରକ୍ତ ସଂକ୍ରମଣ ହୋଇ ମୃତ୍ୟୁ ଘଟିଥିଲା। କିନ୍ତୁ ଉକ୍ତ ବ୍ୟବଚ୍ଛେଦ ରିପୋର୍ଟରେ ଏହା ମଧ୍ୟ ଦର୍ଶଯାଇଥିଲା ଯେ, ପୀଡ଼ିତା ପିତାଙ୍କ ଶରୀରର ୧୪ଟି ସ୍ଥାନରେ କ୍ଷତ ଚିହ୍ନ ରହିଛି। ରାଜ୍ୟ ସରକାର ଏହି ମାମଲାର ତଦନ୍ତ ପାଇଁ ଗଠନ କରିଥିବା ଏସ୍‌୍‌ଆଇଟି ଆଜି ପୀଡ଼ିତାଙ୍କ ବୟାନ ରେକର୍ଡ କରିଛି ।

ପୀଡ଼ିତାଙ୍କ ବିସ୍ଫୋରକ ବୟାନ
ଜିଲ୍ଲାପାଳ ହୋଟେଲ୍‌ ରୁମ୍‌ରେ ବଳପୂର୍ବକ ଅଟକାଇଥିଲେ
ଲକ୍ଷ୍ନୌ : ୟୁପି ବିଜେପି ବିଧାୟକଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିବା ଉନ୍ନାଓ ପୀଡ଼ିତା ଆଜି ଯେଉଁ ବିସ୍ଫୋରକ ବୟାନ ଦେଇଛନ୍ତି ତାହା ମାମଲାକୁ ଭିନ୍ନ ମୋଡ଼ ଦେଇଛି। ପୀଡ଼ିତା ଆଜି କହିଛନ୍ତି ଯେ ଜିଲ୍ଲାପାଳ ତାଙ୍କୁ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ଏକ ହୋଟେଲ୍‌ ରୁମ୍‌ରେ ବଳପୂର୍ବକ ରଖିଥିଲେ। ତେବେ ତାଙ୍କର ଭୁଲ୍‌ ଏତିକି ଥିଲା ଯେ ସେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କଠାରୁ ନ୍ୟାୟ ଭିକ୍ଷା କରିଥିଲେ ଏବଂ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଚାହିଥିଲେ। କିନ୍ତୁ ତାଙ୍କୁ ନ୍ୟାୟ ମିଳିବା ପରିବର୍ତ୍ତେ ଜିଲ୍ଲାପାଳ ତାଙ୍କୁ ଏକ ହୋଟେଲ୍‌ରେ ବଳପୂର୍ବକ ରଖିଥିଲେ ଏବଂ ସେ ପାଣି ପିଇବାକୁ ମାଗିଥିଲେ ମଧ୍ୟ ତାଙ୍କୁ ପାଣି ଦିଆଯାଇନଥିଲା। ଗତ ସୋମବାର ଦିନ ପୀଡ଼ିତାଙ୍କ ବାପାଙ୍କର ହାଜତ ମୃତ୍ୟୁ ହେବା ସମୟରେ ମଧ୍ୟ ସେ ହୋଟେଲ୍‌ ରୁମ୍‌ରେ ଆବଦ୍ଧ ଥିଲେ ବୋଲି କହିଛନ୍ତି। ଉଲ୍ଳେଖଯୋଗ୍ୟ ପୀଡ଼ିତା ଜଣଙ୍କ ଅଭିଯୋଗ ଆଣିଥିଲେ ଯେ ବିଜେପି ବିଧାୟକ କୁଲଦୀପ ସିଂ ସେଙ୍ଗର ଏବଂ ତାଙ୍କ ସହଯୋଗୀମାନେ ତାଙ୍କୁ ଗତବର୍ଷ ଦୁଷ୍କର୍ମ କରିଥିଲେ। ସେ ଏନେଇ ପୁଲିସରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ବିଜେପି ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା କି ଲିଖିତ ଏତଲା ଗ୍ରହଣ କରିନଥିଲା। ଅନ୍ୟପକ୍ଷରେ ତାଙ୍କ ବାପାଙ୍କୁ ମିଥ୍ୟା ମାମଲାରେ ଜେଲ୍‌କୁ ପଠାଇ ସେଠାରେ ଭୟଙ୍କର ନିର୍ଯାତନା ଦିଆଯାଇଥିଲା ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର