ତୃତୀୟ ଭୁବନେଶ୍ୱର ବାଣିଜ୍ୟ ମେଳା ୫ରୁ

ଭୁବନେଶ୍ୱର: ଗୁପ୍ତା ଇଭେଣ୍ଟ ମ୍ୟାନେଜମେଣ୍ଟ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ‘ତୃତୀୟ ଭୁବନେଶ୍ୱର ବାଣିଜ୍ୟ ମେଳା’ ଆସନ୍ତା ୫ ତାରିଖରୁ ସ୍ଥାନୀୟ ଜନତା ମଇଦାନଠାରେ ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ ଦେଶ ତଥା ବିଦେଶରୁ ବହୁ ହସ୍ତଶିଳ୍ପୀ ଓ ହସ୍ତକଳା କାରିଗର ଆସି ନିଜ ପ୍ରସ୍ତୁତ ସାମଗ୍ରୀକୁ ପ୍ରଦର୍ଶିତ କରିବେ। ଏଥିରେ ବିଭିନ୍ନ ରାଜ୍ୟ ଯଥା ଜମ୍ମୁ-କଶ୍ମୀର, ଦିଲ୍ଲୀ, ପଞ୍ଜାବ, ହରିୟାନା, ଓଡ଼ିଶା, ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ, ତାମିଲନାଡୁ ସମେତ ପାକିସ୍ତାନ, ଆଫଗାନିସ୍ଥାନ, ତୁର୍କି, ବାଂଲାଦେଶ, ମାଲେସିଆ, ଶ୍ରୀଲଙ୍କା ଓ ଥାଇଲାଣ୍ଡ ଆଦିରୁ କାରିଗରମାନେ ଆସି ନିଜ ଅଞ୍ଚଳର ପ୍ରସିଦ୍ଧ ହସ୍ତ ତିଆରି ସାମଗ୍ରୀକୁ ପ୍ରଦର୍ଶିତ କରିବେ। ମେଳା ପରିସରରେ ପ୍ରାୟ ୪୦୦ ଷ୍ଟଲ ସମେତ ୨୦୦ରୁ ଊର୍ଧ୍ୱ ଶୀତତାପ ନିୟନ୍ତ୍ରିତ ଷ୍ଟଲ୍‌ ରହିବ ବୋଲି ଆଜି ସ୍ଥାନୀୟ ପ୍ରେସ୍‌ କ୍ଲବ୍‌ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଟ୍ରଷ୍ଟର ନିର୍ଦ୍ଦେଶକ ସୁଜିତ ଗୁପ୍ତା ସୂଚନା ଦେଇଛନ୍ତି। ମେଳାର ମୁଖ୍ୟ ଆକର୍ଷଣ ପାକିସ୍ତାନର ମାର୍ବଲ କାମ, ଆଫଗାନ୍‌ର ଡ୍ରାଏ ଫ୍ରୁଟ୍‌ସ୍‌, ତୁର୍କିର ଆଲୋକସଜ୍ଜା, ବାଂଲାଦେଶର ପୋଷାକ ଆଦି ରହିବ। ମେଳାରେ ୧୫ରୁ ଅଧିକ ବିଦେଶୀ ସଂସ୍ଥା ଯୋଗ ଦେବେ। ପୁଣି ଆବାଳବୃଦ୍ଧବନିତା ଏହି ମେଳା ବୁଲି ନିଆରା ଅନୁଭୂତି ସାଉଁଟି ପାରିବେ। ଦେଶ ତଥା ବିଦେଶର ହାତ ତିଆରି ସାମଗ୍ରୀକୁ ରାଜଧାନୀ ବଜାରରେ ପ୍ରବେଶ କରାଇବା ମେଳାର ଲକ୍ଷ୍ୟ ରହିଛି। ମେଳା ୫ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଆଜିର ସାମ୍ବାଦିକ ସମ୍ମିଳନୀରେ ଟ୍ରଷ୍ଟର ଏମ୍‌ଡି ପାୟଲ ଆଚାର୍ଯ୍ୟ, ଉପଦେଷ୍ଟା ରଶ୍ମିରଞ୍ଜନ କାନୁନ୍‌ଗୋ ଓ ସଞ୍ଜୟ ମହାକୁଡ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର