୩୧ ବରିଷ୍ଠ ଡାକ୍ତରଙ୍କ ପଦୋନ୍ନତି ସହ ବଦଳି: ଏସ୍‌ସିବିରୁ ଗଲେ ୧୬, ଆସିଲେ ମାତ୍ର ଜଣେ

କଟକ: ରାଜ୍ୟ ସ୍ବାସ୍ଥ୍ୟବିଭାଗ ପକ୍ଷରୁ ଏସ୍‌ସିବି ଓ ଏମ୍‌କେସିଜିର ବରିଷ୍ଠ ବିଶେଷଜ୍ଞ ଡାକ୍ତର ସ୍ତରରେ ପଦୋନ୍ନତି ସହ ବଦଳି ତାଲିକା ପ୍ରକାଶ ପାଇଛି। ୧୩ଜଣ ଆସୋସିଏଟ୍‌ ପ୍ରଫେସରଙ୍କୁ ପ୍ରଫେସର ଓ ୧୮ଜଣ ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ଆସୋସିଏଟ୍‌ ପ୍ରଫେସରକୁ ପଦୋନ୍ନତି ଦିଆଯାଇଛି। ତେବେ ଏହି ପଦୋନ୍ନତି ପରେ ଏସ୍‌ସିବିରୁ ୧୬ଜଣଙ୍କୁ ଅନ୍ୟ ମେଡିକାଲ କଲେଜକୁ ବଦଳି କରାଯାଇଛି। ସେଥିରେ ୪ଜଣ ପ୍ରଫେସର ଓ ୧୨ଜଣ ଆସୋସିଏଟ୍‌ ପ୍ରଫେସର ରହିଛନ୍ତି। ପ୍ରଫେସର ପଦୋ‌ନ୍ନତି ତା‌ଲିକାରେ ୧୩ଜଣଙ୍କ ମଧ୍ୟରୁ କେବଳ ଏସ୍‌ସିବିରୁ ୭ଜଣ ଓ ଏମ୍‌କେସିଜିରୁ ୫ଙ୍କୁ ପଦୋନ୍ନତି ମିଳିଛି। ଅନ୍ୟପଟେ ଏସ୍‌ସିବିରୁ ୧୬ଜଣ ବିଶେଷଜ୍ଞ ଅନ୍ୟତ୍ର ବଦଳି କରାଯାଇଥିବା ବେଳେ ମାତ୍ର ଜଣେ ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ଏସ୍‌ସିବିକୁ ଅଣାଯାଇଛି।

ଏସ୍‌ସିବି ମେଡିସିନ୍‌ ବିଭାଗର ୯ଜଣଙ୍କ ବଦଳି ହୋଇଥିବା ବେଳେ ସର୍ଜରି ବିଭାଗର ୩ଜଣଙ୍କର ଅନ୍ୟ ମେଡିକାଲ କଲେଜକୁ ବଦଳି କରାଯାଇଥିବା ଜଣାପଡିଛି। ସୂଚନା ଅନୁସାରେ, ରାଜ୍ୟ ସ୍ବାସ୍ଥ୍ୟବିଭାଗ ପତ୍ର (ସଂଖ୍ୟା-୪୮୯୨, ତା-୧୭.୨.୨୦୨୦) ଅନୁସାରେ ଏସ୍‌ସିବି ମେଡିକାଲ କଲେଜର ଏଣ୍ଡୋକ୍ରାଇନ୍‌ ସର୍ଜରି ବିଭାଗର ଡାକ୍ତର ଚିତ୍ତରଞ୍ଜନ ଷଡଙ୍ଗୀଙ୍କୁ ଆସୋସିଏଟ୍‌ ପ୍ରଫେସରରୁ ପ୍ରଫେସରକୁ ପଦୋନ୍ନତି ଦିଆଯାଇ ଏସ୍‌ସିବିରେ ରଖାଯାଇଛି। ସେହିପରି ମେଡିସିନ୍‌ ବିଭାଗ ଡାକ୍ତର ରୀନା ମହାନ୍ତିଙ୍କୁ ପଦୋନ୍ନତି ଦିଆଯାଇ ଏସ୍‌ସିବିରୁ ଏମ୍‌କେସିଜି, ମେଡିସିନ୍‌ ବିଭାଗ ଡାକ୍ତର ସରୋଜ କୁମ‌ାର ତ୍ରିପାଠୀଙ୍କୁ ଏସ୍‌ସିବିରୁ କୋରାପୁଟ ମେଡିକାଲ କଲେଜ, ମାଇକ୍ରୋବାୟୋଲୋଜି ବିଭାଗ ଡାକ୍ତର ସଂଘମିତ୍ରା ପାଢୀଙ୍କୁ ଏମ୍‌କେସିଜିରୁ ବଲାଙ୍ଗୀର ମେଡିକାଲ କଲେଜ, ସ୍ତ୍ରୀ-ରୋଗ ଓ ପ୍ରସୂତି ବିଭାଗ ଡାକ୍ତର ରୀତାଞ୍ଜଳି ବେହେରାଙ୍କୁ ଏମ୍‌କେସିଜିରୁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ, ଶିଶୁରୋଗ ବିଭାଗ ଡାକ୍ତର ନରେନ୍ଦ୍ର ବେହେରାଙ୍କୁ ଏସ୍‌ସିବିରୁ ଏମ୍‌କେସିଜି, ପେଡିଆଟିକ୍‌ ସର୍ଜରି ଶିଶୁଭବନର ଡାକ୍ତର ପ୍ରମୋଦ କୁମାର ମହାନ୍ତିଙ୍କୁ ପଦୋନ୍ନତି ଦିଆଯାଇ ଶିଶୁଭବନରେ ହିଁ ଅବସ୍ଥାପିତ କରାଯାଇଛି। ପ୍ଲାଷ୍ଟିକ୍‌ ସର୍ଜରି ବିଭାଗର ଡାକ୍ତର ବିଭୂତି ଭୂଷଣ ନାୟକ, ସର୍ଜରି ବିଭାଗର ଡାକ୍ତର ଭୁବନ ମୋହନ ଦାସଙ୍କୁ ପଦୋନ୍ନତି ଦିଆଯାଇ ପୁଣି ଏସ୍‌ସିବିରେ ଅବସ୍ଥାପିତ କରାଯାଇଛି। ସେହିପରି ଏମ୍‌କେସିଜି ସର୍ଜରି ବିଭାଗର ଡାକ୍ତର ସୁଧାଂଶୁ ଶେଖର ମହାନ୍ତିଙ୍କୁ ପଦୋନ୍ନତି ଦିଆଯାଇ ସେଇ ଏମ୍‌‌କେସିଜିରେ, ସର୍ଜରି ବିଭାଗ ଡାକ୍ତର ଈଶ୍ବର ଚନ୍ଦ୍ର ମୁଦୁଲିଙ୍କୁ ଏମ୍‌କେସିଜିରୁ କୋରାପୁଟ ମେଡିକାଲ କଲେଜ, ସର୍ଜରି ବିଭାଗ ଡାକ୍ତର ଶିବ ପ୍ରସାଦ ପଟ୍ଟନାୟକଙ୍କୁ ଏମ୍‌କେସିଜିରୁ ବାରିପଦା ମେଡିକାଲ କଲେଜ, ସର୍ଜରୀ ବିଭାଗର ଡାକ୍ତର ସୁଶିଲ କୁମାର ପଟ୍ଟନାୟକଙ୍କୁ ଏସ୍‌ସିବିରୁ ବାଲେଶ୍ବର ମେଡିକାଲ କଲେଜକୁ ଆସୋସିଏଟ୍‌ ପ୍ରଫେସରରୁ ପ୍ରଫେସର ଭାବେ ପଦୋନ୍ନତି ଦିଆଯାଇ ବଦଳି କରାଯାଇଛି। ସେହିପରି ୧୮ଜଣ ଆସିଷ୍ଟାଣ୍ଡ ପ୍ରଫେସରଙ୍କୁ ଆସୋସିଏଟ୍‌ ପ୍ରଫେସରକୁ ପଦୋନ୍ନତି ଦିଆଯାଇଛି, ସେଥିରୁ କେବଳ ଏସ୍‌ସିବିର ଅଛନ୍ତି ୧୪ଜଣ।

ସମ୍ବନ୍ଧିତ ଖବର