୫ବର୍ଷର ହିସାବ ନିକାଶ ୱାର୍ଡ ୩୦:ସଂଭ୍ରାନ୍ତ ଅଞ୍ଚଳର ସାମାଜିକ ଦୁଃଖ

ଭୁବନେଶ୍ବର: ରାଜଧାନୀର ଏକ ସମ୍ଭ୍ରାନ୍ତ ଅଞ୍ଚଳ ହେଉଛି ସହିଦ ନଗର। ସ୍ମାର୍ଟ ସିଟି ଓ ବିଏମ୍‌ସିର ନଜରରେ ସହିଦ ନଗର ରହିଛି। ୱାର୍ଡ ନଂ ୩୦ ଅଧୀନରେ ଥିବା ସହିଦ ନଗରରେ ଅଞ୍ଚଳରେ ଗତ କିଛିବର୍ଷ ମଧ୍ୟରେ ଭିତ୍ତିଭୂମିର ବିକାଶ ହୋଇଛି। ରାସ୍ତାଘାଟ ନିର୍ମାଣକୁ ବାଦ୍ ଦେଲେ ଅନ୍ୟାନ୍ୟ‌ କ୍ଷେତ୍ରରେ ବିକାଶ ହୋଇଥିବା କର୍ପୋରେଟର ଦାବି କରୁଛନ୍ତି। ମାତ୍ର ବିରୋଧୀଙ୍କ ଅଭିଯୋଗ, ରାଜଧାନୀର ଏକ ପ୍ରମୁଖ ଅଞ୍ଚଳରେ ରହିବା ସତ୍ତ୍ବେ ସ୍ଥାନୀୟ ଲୋକଙ୍କୁ ଯେଉଁ ସୁବିଧା ସୁଯୋଗ ମିଳିବା କଥା, ତାହା ମିଳୁନାହିଁ। ୫ବର୍ଷ ମଧ୍ୟରେ ସେହିଭଳି କିଛି ଆଖିଦୃଶିଆ କାର୍ଯ୍ୟ ହୋଇନି। ସହିଦନଗର ଏବେ ଆପାର୍ଟମେଣ୍ଟ ନଗରରେ ପରିଣତ ହୋଇଛି। ଅଞ୍ଚଳର ସାମାଜିକ ଜୀବନ ଏକପ୍ରକାର ବିପର୍ଯ୍ୟସ୍ତ ହୋଇପଡ଼ିଛି। ବିରୋଧୀଙ୍କ ଅଭିଯୋଗ ଯେ ସହିଦ ନଗରର ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅନେକ ବରିଷ୍ଠ ନାଗରିକ। କିନ୍ତୁ ବରିଷ୍ଠ ନାଗରିକଙ୍କ ପାଇଁ ଏହି ଅଞ୍ଚଳ ସୁରକ୍ଷିତ ନୁହେଁ। ମାଳମାଳ ଆପାର୍ଟମେଣ୍ଟ, ହଷ୍ଟେଲ ଓ ମଲ୍ ଯୋଗୁଁ ସ୍ଥାନୀୟ ଲୋକମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ୱାର୍ଡରେ ନିୟମିତ ସଫେଇ ହେଉନାହିଁ। ମଶାଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବଢ଼ିବାରେ ଲାଗିଛି। ଯାହା ବି ଭିତ୍ତିଭୂମିର ବିକାଶ ହେଉଛି ତାହା ନାମକୁ ମାତ୍ର। ବିଭିନ୍ନ ସ୍ଥାନରେ ଷ୍ଟ୍ରିଟ୍‌ ଲାଇଟ୍‌ ଲଗାଯାଇଛି, କିନ୍ତୁ ସମ୍ବେଦନଶୀଳ ସ୍ଥାନରେ ଅନ୍ଧାର ରାଜୁତି କରୁଛି। ସ୍ଥାନୀୟ ଅଞ୍ଚଳରେ ଯେଉଁ ବନୀକରଣ କଥା କୁହାଯାଉଛି, ତାହା ସଂପୂର୍ଣ୍ଣ ମିଛ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି।

ବହୁ ବିକାଶମୂଳକ କାର୍ଯ୍ୟ ହୋଇଛି
ଗତ ୫ ବର୍ଷ ଭିତରେ ୱାର୍ଡରେ ଅନେକ ବିକାଶ କାର୍ଯ୍ୟ ହୋଇଛି। ସ୍ଥାନୀୟ ଲୋକଙ୍କୁ ନଜରରେ ରଖି ଉନ୍ନତିମୂଳକ କାର୍ଯ୍ୟ କରାଯାଇଛି। ବିଦ୍ୟୁତ ଭବନ ଓ ଫ‌ରେଷ୍ଟ ନର୍ସରି ନିକଟରେ ଥିବା ବିଡିଏ ପାର୍କ କାର୍ଯ୍ୟ ଶେଷ ହୋଇଛି, ୫ଟି ସ୍ମାର୍ଟ ପାର୍କ, ଭିନ୍ନକ୍ଷମଙ୍କ ପାଇଁ ସେନ୍‌ସୋରି ପାର୍କ ନିର୍ମାଣ ହୋଇଛି। ଗୋଟିଏ ବିଲ୍ଡିଂରେ ମହିଳା ଓ ବରିଷ୍ଠ ନାଗରିକଙ୍କ ଚିତ୍ତ ବିନୋଦନ ପାଇଁ ହଲ ଓ ଗୋଟିଏ ସରକାରୀ କ୍ରେଚ୍ ଏବେ ନିର୍ମାଣାଧୀନ ଅଛି। ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ୱେଲନେ୍‌ସ ‌କେନ୍ଦ୍ର କାର୍ଯ୍ୟ ଶେଷ ହୋଇଥିବା ବେଳେ ବିଏମ୍‌ସି ହୋମିଓପ୍ୟାଥି ଡିସପେନସାରି ପାଇଁ ନୂତନ ବିଲ୍ଡିଂ ନିର୍ମାଣ, ବହୁତଳ ପାର୍କିଂ କାର୍ଯ୍ୟ ଜାରି ରହିଛି। ୱାର୍ଡରେ ଆଲୋକୀକରଣ ଓ ଜଳଯୋଗାଣ ଶତ ପ୍ରତିଶତ ରହିଛି। କେନ୍ଦ୍ର ସିଡିପିଓ କାର୍ଯ୍ୟାଳୟ ବିଲ୍ଡିଂ ନିର୍ମାଣ ଓ ୧.୫ ଗ୍ୟାଲନ୍‌ ଦକ୍ଷତା ବିଶିଷ୍ଟ ଭୂତଳ ଜଳାଶୟ ନିର୍ମାଣ କରାଯାଇଛି। କମ୍ୟୁନିଟି ଟଏଲେଟ୍‌ ନିର୍ମାଣ ହୋଇଛି। ବିଏମ୍‌ସି କଲ୍ୟାଣ ମଣ୍ଡପର ନବୀକରଣ ହୋଇଥିବା ବେଳେ ସାଂସ୍କୃତିକ ସମିତି ପରିସରରେ ପାଠାଗାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ସହିଦ ସ୍ପୋର୍ଟିଂ ପରିସରରେ ଆଲୋକୀକରଣ ଓ ପ୍ରେସ୍ ବକ୍ସର ନିର୍ମାଣ ହୋଇଛି। ତେବେ ନିୟମିତ ଅଳିଆ ଉଠୁ ନ ଥିବା ପଛରେ ସ୍ଥାନୀୟ ଲୋକମାନେ ହିଁ ଦାୟୀ। ଜାଗୃତି ପକ୍ଷରୁ ଯେଉଁ ସମୟରେ ଅଳିଆ ଉଠାଯାଉଛି ଲୋକମାନେ ସେ ସମୟରେ ଅଳିଆ ନ ଆଣି ପରବର୍ତୀ ସମୟରେ ଅଳିଆ ଆଣୁଛନ୍ତି। ସବୁ ଅଞ୍ଚଳରେ ଷ୍ଟ୍ରିଟ୍‌ ଲାଇଟ୍ ଲାଗିଛି। ଇମ୍ଫା ରୋଡ୍‌ରେ ବନୀକରଣ ହୋଇଛି।
ଶାଶ୍ବତୀ ମିଶ୍ର, କର୍ପୋରେଟର

କାମ ବାହାନାରେ ଠିକାଦାର ପୋଷା ଚାଲିଛି
ୱାର୍ଡରେ ଯାହା ବି କାମ ହେଉଛି, ତାହା ଲୋକଙ୍କ ପାଇଁ ନୁହେଁ ବରଂ ଠିକାଦାରଙ୍କ ପାଇଁ ହେଉଛି। ଅଧାପନ୍ତରିଆ କାର୍ଯ୍ୟ କରି କେବଳ ଠିକାଦାରଙ୍କୁ ପୋଷା ହେଉଛି। ନିର୍ବାଚନ ସମୟରେ ଆର୍ଥିକ ସହାୟତା ଯୋଗାଇଦେବା ଉଦ୍ଦେଶ୍ୟରେ ଏସବୁ କାମ କରାଯାଉଛି। ବହୁ ସ୍ଥାନରେ ଏବେ ବି ପାଇପ୍ ପାଣି ପହଞ୍ଚି ନାହିଁ। ସହିଦ ନଗରରେ ଥିବା ହାଟ ଉଚ୍ଛେଦ କରାଯାଇଥିଲା, ସେତେବେଳେ ଏହା ନିକଟରେ ହାଟ ପ୍ରତିଷ୍ଠା କରାଯିବା କଥା ବିଏମ୍‌ସି କହିଥିଲା। ଏହା ଭିତରେ ଦୀର୍ଘଦିନ ବିତିଗଲାଣି ହାଟ ବିଷୟରେ ସମେସ୍ତ ଭୁଲି ଯାଇଛନ୍ତି। ଅଞ୍ଚଳରେ ପରିମଳ ବ୍ୟବସ୍ଥା ସଂପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଛି। ଅସାମାଜିକ ଯୁବକଙ୍କ ଉତ୍ପାତ ବଢ଼ିଛି। ସ୍ଥାନୀୟ ଲୋକଙ୍କ ପରିବର୍ତେ ବହୁ ସଂଖ୍ୟାରେ ଲୋକମାନେ ବାହାରୁ ଆସି ଏଠାରେ ରହୁଥିବାରୁ ଅନେକ ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି।
ଶଶିପ୍ରଭା ରଥ, ନିକଟତମ ପ୍ରତିଦ୍ବନ୍ଦ୍ବୀ

ଡ୍ରେନ୍‌ ସମସ୍ୟା ଦୂର ହେଲାନି, ୮୦ ପ୍ରତିଶତ କାମ ହୋଇଛି
ଗତ ୫ବର୍ଷ ମଧ୍ୟରେ ୱାର୍ଡର ୮୦ ପ୍ରତିଶତ କାମ ହୋଇଛି। ବିଶେଷ କରି ରାସ୍ତା ନବୀକରଣ, ମରାମତି, ଆଲୋକୀକରଣ ଆଦି ମୌଳିକ ସମ୍ୟାର ସମାଧାନ ହୋଇଛି। ରାସନ କାର୍ଡ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର, ମାଗଣାରେ ବିଦ୍ୟୁତ ସଂଯୋଗ ପ୍ରକୃତ ହିତାଧିକାରୀଙ୍କୁ ଦିଆଯାଇଛି। ଦୁଇ ଦୁଇଟି ଭାଗବତ ଟୁଙ୍ଗି ଓ ଏକାଧିକ ମନ୍ଦିରର ବିକାଶ କରାଯାଇଛି। ବେହେରା ସାହି ଅଞ୍ଚଳର ପୋଖରୀକୁ ପୁନରୁଦ୍ଧାର କରାଯାଇଛି। ମାତ୍ର ପୋଖରୀ ଚାରିପଟେ ସୌନ୍ଦର୍ଯ୍ୟକରଣ କାମ ହୋଇପାରି ନାହିଁ। ହ୍ରଦର ବିକାଶ ପାଇଁ ୪କୋଟି ୨୭ଲକ୍ଷ ଟଙ୍କରା ମଞ୍ଜୁର ହୋଇଥିଲା। ହେଲେ ଜମି ବିବାଦ ଯୋଗୁଁ ହ୍ରଦର ପୁନରୁଦ୍ଧାର କାର୍ଯ୍ୟ ହୋଇପାରିନି। ସେହିପରି ୱାର୍ଡରେ ପାର୍କ ଓ ଡିସ୍‌ପେନ୍‌ସରି ପାଇଁ ଜମି ବାଧକ ସାଜିଛି। ଲୋକମାନେ ସରକାରୀ ଜମିକୁ ଜବରଦଖଲ କରିଛନ୍ତି। ଜବରଦଖଲ ଉଠାଇବା ପାଇଁ ପ୍ରୟାସ ଜାରି ରହିଛି। ଏନେଇ କୋର୍ଟରେ ମାମଲା ମଧ୍ୟ ଚାଲିଛି। ଅଞ୍ଚଳରେ ମହିଳା ସମିତି ଗୃହ, ବରିଷ୍ଠ ନାଗରିକ ସଭାଗୃହ ନିର୍ମାଣ କରାଯାଇଥିଲା। ହେଲେ ଜମି ସମସ୍ୟା ଯୋଗୁଁ ପରବର୍ତ୍ତୀ ସମୟରେ ଉକ୍ତ ଘରଗୁଡ଼ିକୁ ଭାଙ୍ଗି ଦିଆଯାଇଥିଲା। ଏହା ସତ୍ତ୍ବେ ମଧ୍ୟ ଉଭୟ ଗୃହର କାମ ଆରମ୍ଭ ହୋଇ ଶେଷ ପର୍ଯ୍ୟାୟରେ ରହିଛି। ଡ୍ରେନ୍‌ ସମସ୍ୟାର ସମାଧାନ ପାଇଁ ମାଷ୍ଟରପ୍ଲାନ ପ୍ରସ୍ତୁତ ହୋଇସାରିଛି। ସ୍ଥାନୀୟ ଅଞ୍ଚଳରେ କଲ୍ୟାଣମଣ୍ଡପ ଥିବାରୁ ନୂତନ କଲ୍ୟାଣମଣ୍ଡପ ପାଇଁ ବିଏମ୍‌ସି ଅନୁମତି ଦେଉନାହିଁ। ଦୁର୍ଗାପୂଜା ପାଣ୍ଠିରେ ଯେଉଁ ଟଙ୍କା ରହିଛି ତାହା ବିକାଶ ମୂଳକ କାମରେ ଲାଗିଛି।
ନବ କିଶୋର ବେହେରା, କର୍ପୋରେଟର

ଆଖି ଦୃଶିଆ ବିକାଶ ହୋଇ ନାହିଁ
ଗତ ୫ବର୍ଷ ମଧ୍ୟରେ ୱାର୍ଡରେ ସେମିତି କିଛି ଆଖି ଦୃଶିଆ ବିକାଶ ହୋଇ ନାହିଁ। କର୍ପୋରେଟର୍ କେବଳ ମିଥ୍ୟା ପ୍ରତିଶ୍ରୁତି ଦେଇ‌ ଲୋକଙ୍କୁ ଭଣ୍ଡାଇଛନ୍ତି। ସ୍ଥାନୀୟ ଅଞ୍ଚଳରେ ମୁଖ୍ୟ ସମସ୍ୟା ଡ୍ରେନ୍‌। ଡିସ୍‌ପେନ୍‌ସରି, କଲ୍ୟାଣମଣ୍ଡପ, ପାର୍କ ପାଇଁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଜମି ଚହ୍ନଟ କରିପାରିଲେ ନାହିଁ। ହ୍ରଦ, ଭାଗବତ ଟୁଙ୍ଗି, ଅଙ୍ଗନବାଡ଼ି ବିକାଶ ପାଇଁ କହି ଲୋକଙ୍କୁ ଭଣ୍ଡେଇଲେ। ଆସନ୍ତା ପୌର ନିର୍ବାଚନରେ ଅଞ୍ଚଳବାସୀ ଏହାର ଦୃଢ଼ ଜବାବ ଦେବେ।
ଅର୍ଜୁନ ବେହେରା, ନିକଟତମ ପ୍ରତିଦ୍ବନ୍ଦ୍ବୀ

ଭୁବନେଶ୍ବର: ଗତ ପୌର ନିର୍ବାଚନରେ ବିଜେଡି ଓ ସ୍ବାଧୀନ ପ୍ରାର୍ଥୀଙ୍କ ମଧ୍ୟରେ ଏଠାରେ ଲଢ଼େଇ ହୋଇଥିଲା। ବିଜେଡି ପ୍ରାର୍ଥୀ ନବ କିଶୋର ବେହେରା ସ୍ବାଧୀନ ପ୍ରାର୍ଥୀ ଅର୍ଜୁନ ବେହେରାଙ୍କୁ ୧୭୪୯ ଭୋଟ୍‌ରେ ପରାସ୍ତ କରିଥିଲେ। ପୂର୍ବରୁ ବିଜେପି ପ୍ରାର୍ଥୀ ହୋଇଥିବା ନବ କିଶୋର ଏଥର ବିଜେଡି ପ୍ରାର୍ଥୀ ହୋଇଥିଲେ। ଗତ ୫ବର୍ଷରେ ବହୁ ଉନ୍ନତିମୂଳକ କାର୍ଯ୍ୟ କରିବା ସହ ଲୋକଙ୍କ ସୁବିଧା ଅସୁବିଧାରେ ଛିଡ଼ା ହୋଇଥିବାରୁ ୨୦୧୪ରେ ବଡ଼ ବ୍ୟବଧାନରେ ଜିତିଥିଲେ। ଏହି ୫ବର୍ଷ ମଧ୍ୟରେ ୱାର୍ଡରେ ବିଭିନ୍ନ ମୌଳିକ ସମସ୍ୟାର ସମାଧାନ ହୋଇଥିବା ବେଳେ ଡ୍ରେନ୍‌ ସମସ୍ୟା କିନ୍ତୁ ଆଶାନୁରୂପ ‌ଭାବେ ଦୂର ହୋଇପାରିନି। ବହୁ ପ୍ରକଳ୍ପ ବି ଅଧାପନ୍ତରିଆ ଅବସ୍ଥାରେ ରହିଯାଇଛି। ଇସ୍କନ୍‌ ସମ୍ମୁଖ ଜାତୀୟ ରାଜପଥରୁ ବର୍ଷା ପାଣି ଆସି ୱାର୍ଡରେ ଜଳବନ୍ଦୀ ସୃଷ୍ଟି କରିବା ସ୍ଥାନୀୟ ବାସିନ୍ଦାଙ୍କ ବଡ଼ ସମସ୍ୟା ପାଲଟିଛି।

ସମ୍ବନ୍ଧିତ ଖବର