ଏଏସ୍‌ଓ ପରୀକ୍ଷାରେ ଅନିୟମିତତା ଅଭିଯୋଗ, ଏବିଭିପି ପକ୍ଷରୁ ବିକ୍ଷୋଭ

ଭୁବନେଶ୍ବର : ଓପିଏସ୍‌ସି ଦ୍ବାରା ପରିଚାଳିତ ଏଏସ୍‌ଓ ପରୀକ୍ଷାରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ରାସ୍ତାକୁ ଓହ୍ଲାଇଛି। ଦିବ୍ୟାଙ୍ଗ ପରୀକ୍ଷାର୍ଥୀଙ୍କ ପାଇଁ ପରୀକ୍ଷା କେନ୍ଦ୍ରରେ ଉପଯୁକ୍ତ ବ୍ୟବସ୍ଥା କରା ନଯିବା, ଭୁବନେଶ୍ବରର ଏକ ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ପ୍ୟାକେଟ୍‌ ସିଲ୍‌ ଖୋଲା ଯାଇଥିବା ନେଇ ସଙ୍ଗଠନ ପକ୍ଷରୁ ଅଭିଯୋଗ କରାଯାଇଛି। ପରୀକ୍ଷାରେ କପି ଧରାପଡ଼ିବା, ବିଳମ୍ବରେ ଆରମ୍ଭ ହେବା ଭଳି ଘଟଣା ଓପିଏସ୍‌ସି ଓ ସରକାରଙ୍କ ମନ୍ଦ ଉଦ୍ଦେଶ୍ୟ ପ୍ରତି ଆଙ୍ଗୁଳି ନିର୍ଦ୍ଦେଶ କରୁଛି ବୋଲି ଏବିଭିପିର କର୍ମକର୍ତ୍ତାମାନେ କହିଛନ୍ତି।

ସଙ୍ଗଠନର ଅଭିଯୋଗ ହେଉଛି ଯେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କ ପ୍ରତି ସରକାରଙ୍କ ସମ୍ବେଦନଶୀଳତା ବଦଳରେ ରୁଗ୍‌ଣ ମାନସିକତା ପଦାକୁ ଆସିଛି। ଏଏସ୍‌ଓ ପରୀକ୍ଷାରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନେ ନିଜ ସାଙ୍ଗରେ ସ୍କାଇବ୍‌ ନେଇଯିବାର ବ୍ୟବସ୍ଥା ଥିଲେ ମଧ୍ୟ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଦିବ୍ୟାଙ୍ଗମାନଙ୍କୁ ସୁଯୋଗ ମିଳିନଥିଲା। ଯେଉଁଥିପାଇଁ ୪୦୦ରୁ ଅଧିକ ଦିବ୍ୟାଙ୍ଗ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି। ଏହି ଛାତ୍ରଛାତ୍ରୀ କର୍ତ୍ତୃପକ୍ଷଙ୍କୁ ଭେଟି ନିଜର ସମସ୍ୟା କହିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ କେହି ଶୁଣି ନଥିଲେ। ଦେଖା କରି ସମସ୍ୟା ବୁଝି ନଥିଲେ। ଦିବ୍ୟାଙ୍ଗମାନଙ୍କୁ ପରୀକ୍ଷା ଦେବା ପାଇଁ ସୁଯୋଗ ନଦେବା ଓଡ଼ିଶା ପାଇଁ ଲଜ୍ଜା। ଏ ଦିଗରେ ତୁରନ୍ତ ପଦ‌କ୍ଷେପ ଗ୍ରହଣ କରିବା ସହ ଦିବ୍ୟାଙ୍ଗଙ୍କ ଲାଗି ସ୍ବତନ୍ତ୍ର ପରୀକ୍ଷା କରିବାକୁ ଏବିଭିପି ରାଷ୍ଟ୍ରୀୟ ସମ୍ପାଦକ ଅଭିଳାଷ ପଣ୍ତା ଦାବି କରିଛନ୍ତି।

ଏବିଭିପି ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ଅନୁଷ୍ଠିତ ପ୍ରତିବାଦ ଶୋଭାଯାତ୍ରାରେ ଶତାଧିକ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ। ଏବିଭିପି ମହାନଗର ସମ୍ପାଦକ ଦୀପକ ସ୍ବାଇଁ, ସ˚ଯୋଜକ ସ˚ଜୟ ମଲ୍ଲିକ ପ୍ରମୁଖ ନେତୃତ୍ବ ନେଇଥିଲେ। କାର୍ତ୍ତିକ ସାହୁ, ମନୋଜ ନାୟକ, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, କଲ୍ୟାଣୀ ପଲେଇ, ଗଣେଶ୍ବର ଖୁଣ୍ଟିଆ, ବୁଦ୍ଧଦେବ ବାଗ, ସୋମୁ ଦେ, ପ୍ରଦ୍ୟୁମ୍ନ ନାୟକ, ମିତାଲି ରଥ, ସ୍ବପ୍ନା ମହାନ୍ତି, ହରମୋହନ ବେହେରା ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର