ହଂସପାଳ ଛକରେ ଦୁର୍ଘଟଣା: ଟ୍ରଲର୍‌ ଧକ୍କାରେ ବାଇକ ଚାଳକଙ୍କ ମୃତ୍ୟୁ

ଜାତୀୟ ରାଜପଥ ଅବରୋଧ, କଟକ-ଭୁବନେଶ୍ୱର ରାସ୍ତା ୨ ଘଣ୍ଟା ଜାମ୍‌

ଭୁବନେଶ୍ୱର: ଆଜି ସକାଳ ପ୍ରାୟ ୯ଟାବେଳେ ମଞ୍ଚେଶ୍ୱର ଥାନା ଅଧୀନ ହଂସପାଳ ଛକରେ ଏକ ଭୟଙ୍କର ଦୁର୍ଘଟଣା ଘଟିଥିଲା। ଏଥିରେ ଜଣେ ବାଇକ୍‌ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ମୃତ ଯୁବକ ଜଣକ ହେଲେ ପୁରୀ ବଡ଼ଶଙ୍ଖର ସୋମନାଥ ପଣ୍ଡା(୪୬)। ଆହତ ଯୁବକ ଜଣକ ହେଉଛନ୍ତି କଟକ ଜିଲ୍ଲା ବାଙ୍କୀର ପ୍ରଶାନ୍ତ ଜେନା। ତେବେ ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ହଂସପାଳ ଛକରେ ଓଭରବ୍ରିଜ୍‌ ନିର୍ମାଣ ତୁରନ୍ତ ଶେଷ କରିବାକୁ ଦାବି କରି ସ୍ଥାନୀୟ ଲୋକେ ଜାତୀୟ ରାଜପଥକୁ ଅବରୋଧ କରିିଥିଲେ। ଫଳରେ କଟକ-ଭୁବନେଶ୍ୱର ରାସ୍ତା ଦୀର୍ଘ ଦୁଇ ଘଣ୍ଟା କାଳ ଜାମ ହୋଇ ଯାଇଥିଲା। ଖବର ପାଇ ଡିସିପି ଅନୁପ ସାହୁଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀ ଫୋର୍ସ ସହିତ ପହଞ୍ଚି ଥିଲେ। ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟି ଥିଲା। ପ୍ରକାଶଥାଉକି, ସ୍ଥାନୀୟ ଲୋକ ଯାହା ଅଭିଯୋଗ କରି ଆସୁଥିଲେ ତାହା ହିଁ ଘଟିଲା। ଓଭରବ୍ରିଜ୍‌ ନିର୍ମାଣରେ ବିଳମ୍ବ ଘଟୁଥିବାରୁ ହଂସପାଳ ଛକ ଏବେ ଦୁର୍ଘଟଣା ପ୍ରବଣ ଛକ ପାଲଟି ଯାଇଛି। ଏଥିପାଇଁ ଉତ୍ତର ଭୁବନେଶ୍ୱର ଉନ୍ନୟନ ପରିଷଦ ପକ୍ଷରୁ ଗତ ତିନ ଦିନ ଧରି ହଂସାପାଳ ଛକରେ ପ୍ରତିବାଦ କରାଯାଉଥିଲା।

ପୁଲିସ ସୂଚନା ଅନୁଯାୟୀ, ଆଜି ସକାଳେ ମୃତ ଯୁବକ ସୋମନାଥ କଟକରୁ ବାଇକ୍‌ ଯୋଗେ ପୁରୀ ଫେରୁଥିଲେ। ବାଇକ୍‌ ପଛରେ ପ୍ରଶାନ୍ତ ବସିଥିଲେ। ହଂସପାଳ ଛକ ନିକଟରେ ପଛପଟୁ ତାଙ୍କୁ ଏକ ଟ୍ରଲର୍‌ ଧକ୍କା ଦେବାରୁ ସେ ୩୦ ଫୁଟ ପର୍ଯ୍ୟନ୍ତ ଘୋଷାରି ହୋଇ ଯାଇଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ପରେ ସେଠାରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ଗୋଟିଏ ପଟେ କମିସନରେଟ ପୁଲିସ, ପ୍ରଶାସନ ସଡ଼କ ସୁରକ୍ଷା ସପ୍ତାହ ପାଳନ କରୁଥିବା ବେଳେ ଏଭଳି ଏକ ଘଟଣାକୁ ଜନସାଧାରଣ ଗ୍ରହଣ କରି ପାରିନାହାନ୍ତି। ବାରମ୍ବାର ଏଭଳି ଅଘଟଣ ପାଇଁ ଏଠାରେ ଏକ ଓଭର ବ୍ରିଜ୍‌ ଦାବିରେ ଧାରଣା ଜାରି ରଖିଥିବା ଉତ୍ତର ଭୁବନେଶ୍ୱର ଉନ୍ନୟନ ପରିଷଦ ରାସ୍ତା ଉପରେ ମୃତଦେହ ପଡ଼ିଥିବା ଅବସ୍ଥାରେ ହିଁ ରାଜରାସ୍ତା ଅବରୋଧ କରିଥିଲା। ଏଣୁ ଦୀର୍ଘ ୧ ଘଣ୍ଟା କାଳ ଯାନ ବାହାନ ଚଳାଚଳ ବନ୍ଦ ରହିଥିଲା। କେତେକ ଗାଡ଼ି ଗଳି ରାସ୍ତା ଦେଇ ଯିବା ଆସିବା କରିଥିବା ବେଳେ ଏହି ଅବରୋଧ ଯୋଗୁ ଶହ ଶହ ଗାଡ଼ି ରାସ୍ତା ଉପରେ ଛିଡ଼ା ହୋଇ ରହଥିଲା। ପରିସ୍ଥିତି ଅଣାୟତ୍ତ ହେବାରୁ ଘଟଣାସ୍ଥଳରେ ଡିସିପି ଶ୍ରୀ ସାହୁ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲେ। ଏହା ପରେ ରାସ୍ତାରୋକ ହଟିଥିଲା। ଏ ନେଇ ମଞ୍ଚେଶ୍ୱର ଥାନାରେ ଏକ ମାମଲା ରୁଜୁ ହେବା ସହ ଟ୍ରଲର୍‌କୁ ଜବତ କରାଯାଇଛି। ଏହି ମାମଲାରେ ଦୁର୍ଘଟଣା ଘଟାଇଥିବା ଟ୍ରଲର୍‌ ଚାଳକ ବୀଣା ନାୟକଙ୍କୁ ପୁଲିସ୍‌ ଅଟକ ରଖି କାଗଜପତ୍ର ଯାଞ୍ଚ କରୁଛି। ପରିବାର ବର୍ଗ ଭୁବନେଶ୍ୱରରେ ପହଞ୍ଚିବା ପରେ ମୃତଦେହ ହସ୍ତାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର