ଏବେ ପ୍ରଦର୍ଶନୀ ପଡ଼ିଆରେ ଆଦିବାସୀ ମେଳା

ଭୁବନେଶ୍ୱର : ୟୁନିଟ-୧ ସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ଆଉ ଆଦିବାସୀ ମେଳା ହେବନି। ଆସନ୍ତା ବର୍ଷରୁ ୟୁନିଟ-୩ସ୍ଥିତ ପ୍ରଦର୍ଶନ ପଡ଼ିଆରେ ଆଦିବାସୀ ମେଳା ହେବ। ଆଦିବାସୀ ପଡ଼ିଆରେ ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି ହେଉଥିବାରୁ କମିସନରେଟ୍‌ ପୁଲିସର ପରାମର୍ଶ ଅନୁଯାୟୀ ଏହିଭଳି ନିଷ୍ପତ୍ତି ନିଆଯାଇଛି ବୋଲି କର୍ତ୍ତୃପକ୍ଷ ସଫେଇ ଦେଇଛନ୍ତି। ଏହି ନିଷ୍ପତ୍ତି ଦ୍ୱାରା ଏବେ ରାଜଧାନୀର ସବୁଠୁ ପୁରୁଣା ଓ ବଡ଼ ମେଳା ପଡ଼ିଆ ‘ଆଦିବାସୀ ପଡ଼ିଆ’ର ପରିଚୟ ହଜିଯିବ ବୋଲି ଏବେ ଆଶଙ୍କା ସୃଷ୍ଟି ହୋଇଛି।

ଅଣ ଆଦିବାସୀଙ୍କ ପାଖରେ ଆଦିବାସୀଙ୍କ କଳା, ସଂସ୍କୃତି ଓ ପରମ୍ପରାକୁ ପହଞ୍ଚାଇବା। ସହରବାସୀଙ୍କ ପାଖରେ ଆଦିବାସୀଙ୍କ ଜୀବନଶୈଳୀ ଓ ସେମାନଙ୍କ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପହଞ୍ଚାଇବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିଲା ଆଦିବାସୀ ମେଳା। ରାଜ୍ୟର ରାଜଧାନୀ ଭୁବନେଶ୍ୱର ହୋଇଥିବାରୁ ଏବଂ ଏଠାରେ ରାଜ୍ୟର ସମସ୍ତ ଅଞ୍ଚଳର ଲୋକ ବାସ କରୁଥିବାରୁ ଏଠାରେ ଆଦିବାସୀ ମେଳା କରିବାକୁ କେବଳ ଆଦିବାସୀ ମେଳା ପାଇଁ ୟୁନିଟ-୧ ସ୍ଥିତ ପଡ଼ିଆକୁ ସ୍ୱତନ୍ତ୍ର ଭାବେ ବଛା ଯାଇଥିଲା। ୧୯୬୦ ମସିହାରୁ ଲଗାତର ୫୭ବର୍ଷ କାଳ ଏହି ପଡ଼ିଆରେ ଆଦିବାସୀ ମେଳା ହେବା ପଛରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଅବଦାନ ଥିଲା। କଟକରେ ୧୦ବର୍ଷ ଆଦିବାସୀ ମେଳା ହେବା ପରେ ବିଜୁ ପଟ୍ଟନାୟକଙ୍କ ଉଦ୍ୟମରେ ଆଦିବାସୀ ପଡ଼ିଆର ପରିକଳ୍ପନା ହୋଇଥିଲା। ପ୍ରଥମେ ୭ଦିନ ପାଇଁ ମେଳା ହେଉଥିବାବେଳେ ଲୋକଙ୍କ ଚାହିଦାକୁ ଦେଖି ପରବର୍ତ୍ତୀ ସମୟରେ ୧୫ଦିନ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଥିଲା। ହେଲେ ତାଙ୍କ ପୁଅ ନବୀନ ପଟ୍ଟନାୟକ ୫୭ବର୍ଷର ପରମ୍ପରାକୁ ଭାଙ୍ଗି ଏହାକୁ ପ୍ରଦର୍ଶନୀ ପଡ଼ିଆକୁ ଘୁଞ୍ଚାଇ ଦେଇଛନ୍ତି। ଏହାଦ୍ୱାରା ଆଦିବାସୀ ପଡ଼ିଆର ସ୍ୱତନ୍ତ୍ର ପରିଚୟ ହଜାଇ ଦେବାକୁ ଷଡ୍‌ଯନ୍ତ୍ର ହେଉଛି ବୋଲି ଏବେ ଚର୍ଚ୍ଚା ହେଉଛି।

ଆଦିବାସୀ ପଡ଼ିଆରୁ ଆଦିବାସୀ ମେଳାକୁ ସ୍ଥାନାନ୍ତର କରିବା ନେଇ ମେଳାର ଆୟୋଜକ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ୧୫ଦିନ ବ୍ୟାପୀ ହେଉଥିବା ଏହି ମେଳାରେ ଲକ୍ଷାଧିକ ଲୋକଙ୍କ ଭିଡ଼ ଜମୁଛି। ଏପରିକି ଅଧିକାଂଶ ସମୟରେ ଦଳାଚକଟା ଭଳି ପରିସ୍ଥିତି ଉପୁଜୁଛି। ଛୋଟ ସ୍ଥାନରେ ଏହିଭଳି ବଡ଼ ମେଳା କରିବା ସମ୍ଭାବନା ନୁହେଁ। କମିସନରେଟ୍‌ ପୁଲିସ ମଧ୍ୟ ଆମକୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଯୋଗାଇପାରିବନି ବୋଲି କହିଛି। କମିସନରେଟ୍‌ ପୁଲିସ ମେଳାସ୍ଥଳୀ ପ୍ରଦର୍ଶନୀ ପଡ଼ିଆ କିମ୍ବା ଜନତା ମଇଦାନକୁ ସ୍ଥାନାନ୍ତର କରିବାକୁ କହିଥିଲା। ତେଣୁ ପୁଲିସ ରିପୋର୍ଟ ଆଧାରରେ ଆମେ ଆଦିବାସୀ ମେଳାକୁ ପ୍ରଦର୍ଶନୀ ପଡ଼ିଆକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଛୁ।

ଆସନ୍ତା ଜାନୁଆରି ୨୬ରେ ହେବାକୁ ଥିବା ଆଦିବାସୀ ମେଳା ଜନତା ମଇଦାନରେ ହିଁ ହେବ। ପୂର୍ବପରି ଏହା ଫେବ୍ରୁଆରି ୯ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଏସ୍‌ସିଏସ୍‌ଟିଆରଟିଆଇର ନିର୍ଦ୍ଦେଶକ ଏ.ବି ଓତା କହିଛନ୍ତି।

ଅନୁସୂଚିତ ଜାତି ଓ ଜନଜାତି ବିଭାଗ କମିସନରେଟ୍‌ ପୁଲିସର ରିପୋର୍ଟ ଆଧାରରେ ଆଦିବାସୀ ମେଳା ପ୍ରଦର୍ଶନୀ ପଡ଼ିଆକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଥିବା କହୁଥିଲେ ହେଁ କମିସନରେଟ୍‌ ପୁଲିସ ପକ୍ଷରୁ ଏହାକୁ ଅସ୍ୱୀକାର କରାଯାଇଛି। ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ଆଦିବାସୀ ମେଳା ସ୍ଥାନାନ୍ତର କରିବା ନେଇ ଆମେ କୌଣସି ରିପୋର୍ଟ ଦେଇନୁ। ଏହି ମେଳାରେ ଭିଡ଼କୁ ଦେଖି ଆମେ ବ୍ୟାପକ ପୁଲିସ ଯୋଗାଇଥାଉ। ଟ୍ରାଫିକ ବ୍ୟବସ୍ଥା ମଧ୍ୟ ସେହି ଅନୁଯାୟୀ ହୋଇଥାଏ। ଏଠାରେ କେବଳ ଟ୍ରାଫିକ୍‌ ସମସ୍ୟା ଉପୁଜୁଛି ବୋଲି ରିପୋର୍ଟ ଦେଇଛୁ। କମିସନରେଟ୍‌ ପୁଲିସ ଆଦିବାସୀ ପଡ଼ିଆରୁ ମେଳା ସ୍ଥାନାନ୍ତର ନେଇ କୌଣସି ରିପୋର୍ଟ ଦେଇ ନ ଥିବାବେଳେ ଅନୁସୂଚିତ ଜାତି ଓ ଜନଜାତି ବିଭାଗ କାହିଁକି ମନମାନି କରୁଛି ଓ ରାଜଧାନୀର ପ୍ରମୁଖ ସ୍ଥାନରୁ ଏହି ମେଳାକୁ ସ୍ଥାନାନ୍ତର କରୁଛି ବୋଲି ଏବେ ପ୍ରଶ୍ନ ଉଠିଛି। ଏପରିକି ଆଦିବାସୀ ପଡ଼ିଆ ଯେଉଁ ପରିଚୟ ନେଇ ବଞ୍ଚିଥିଲା ତାହାକୁ ହଜାଇ ଦେବାକୁ ଯୋଜନା ହେଉଛି ବୋଲି ବୁଦ୍ଧିଜୀବୀ ମହଲରେ ଅଭିଯୋଗ ହେଲାଣି।

ସେହିପରି କମିସନରେଟ୍‌ ପୁଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଆଦିବାସୀ ପଡ଼ିଆରେ ଭିଡ଼ ନିୟନ୍ତ୍ରଣ ପାଇଁ ତିନିଟି ପ୍ରସ୍ଥାନ ଫାଟକ ରହିଥିବାରୁ ଲୋକଙ୍କ ଯାତାୟାତରେ କିଛି ଅସୁବିଧା ହେଉନି। ଯଦି କର୍ତ୍ତୃପକ୍ଷଙ୍କୁ ଭିଡ଼ ଚିନ୍ତା ଘାରୁଛି ତେବେ ଏହି ପଡ଼ିଆ ଚାରିକଡ଼େ ଗଢ଼ି ଉଠିଥିବା ବେଆଇନ ବସ୍ତି ଓ ଜବରଦଖଲକୁ ଉଚ୍ଛେଦ କରାଯାଉ। ଏହାଦ୍ୱାରା ସମସ୍ୟାର ସମାଧାନ ହୋଇପାରିବ।

ଆଦିବାସୀ ପଡ଼ିଆରୁ ଆଦିବାସୀ ମେଳା ସ୍ଥାନାନ୍ତର ହେବା ନିଷ୍ପତ୍ତିକୁ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ମଧ୍ୟ ଦୃଢ଼ ନିନ୍ଦା କରିଛନ୍ତି। ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଆଦିବାସୀ ମେଳା ହେବା ଦିନଠାରୁ ଏଠାରେ କେବେ କୌଣସି ପ୍ରକାରର ଦଳଚକଟା ଘଟି ନାହିଁ। ବିଭାଗୀୟ କର୍ତ୍ତୃପକ୍ଷ ମନଇଚ୍ଛା ନିଷ୍ପତ୍ତି ନେଉଛନ୍ତି। ଆଦିବାସୀ ପଡ଼ିଆ ଆଦିବାସୀଙ୍କୁ ଉତ୍ସର୍ଗ କରି ହୋଇଥିଲା। ଏଠାରେ ବହୁ ଆଦିବାସୀ ନେତାଙ୍କ ପ୍ରତିମୂର୍ତ୍ତି ରହିଛି, ଛାତ୍ରାବାସ, ଆଦିବାସୀଙ୍କ ଜୀବନଶୈଳୀ ସହିତ ସଂପୃକ୍ତ ବହୁ ସାମଗ୍ରୀ ରହିଛି। ତେଣୁ ଏହାଠାରୁ ଭଲ ଓ ଉପଯୁକ୍ତ ସ୍ଥାନ ଆଉ ମିଳିବନି। ପ୍ରଦର୍ଶନୀ ପଡ଼ିଆରେ ତ ବର୍ଷତମାମ୍‌ ବିଭିନ୍ନ ମେଳା ହେଉଛି। ସେଠାକୁ ଆଦିବାସୀ ମେଳା ସ୍ଥାନାନ୍ତର ହେଲେ ଏହାର ବିଶେଷତ୍ୱ କିଛି ରହିବନି।

ସମ୍ବନ୍ଧିତ ଖବର