୧୧ମାସ ପରେ, ରେଳ ଷ୍ଟେସନ ଉନ୍ନତୀକରଣ ବାଟ ଖୋଲିଲା

ଏମ୍ଓୟୁ ସ୍ବାକ୍ଷର ପାଇଁ ରାଜ୍ୟ ସରକାର ରାଜି, ରେଳ ମନ୍ତ୍ରଣାଳୟ ସ୍ଥାନ ଓ ଦିନ ଧାର୍ଯ୍ୟ କରିବ

ଭୁବନେଶ୍ବର: ଭୁବନେଶ୍ବର ରେଳ ଷ୍ଟେସନ ଉନ୍ନତୀକରଣ ପାଇଁ ବାଟ ଖୋଲିଛି। ରେଳ ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ବୁଝାମଣା ହୋଇଛି। ଏହି ପ୍ରକଳ୍ପ ନେଇ ଆଉ ଟଣାଓଟରା ନକରି ଖୁବ୍ ଶୀଘ୍ର ଏମ୍ଓୟୁ ସ୍ବାକ୍ଷର କରିବାକୁ ଉଭୟ ରାଜି ହୋଇଛନ୍ତି। ଏମ୍ଓୟୁ କେଉଁଠି ଓ କେବେ ସ୍ବାକ୍ଷର ହେବ, ସେନେଇ ରେଳ ମନ୍ତ୍ରଣାଳୟ ସ୍ଥାନ ଓ ଦିନ ଧାର୍ଯ୍ୟ କରିବାକୁ ରାଜ୍ୟ ସରକାର ସହମତି ଦେଇଛନ୍ତି। ଏନେଇ ନଗର ଉନ୍ନୟନ ବିଭାଗ ସଚିବ ଜି.ମାଥିଭାଥନନ୍‌ ପୂର୍ବତଟ ରେଳପଥର ପ୍ରମୁଖ ଯନ୍ତ୍ରୀ ଲକ୍ଷ୍ମୀ ନାରାୟଣଙ୍କୁ ଚିଠି ଲେଖି ଜଣାଇଛନ୍ତି। ଭୁବ‌େନଶ୍ବର ରେଳ ଷ୍ଟେସନ୍‌ର ଉନ୍ନତୀକରଣ ପାଇଁ ଓଡ଼ିଶା ସରକାର, ରେଳ ମନ୍ତ୍ରଣାଳୟ ଏବଂ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌ ପକ୍ଷରୁ ବହୁ ଯୋଜନା ହୋଇଛି। ହେଲେ ପୂର୍ବତଟ ରେଳପଥ କର୍ତ୍ତୃପକ୍ଷ ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ଏମ୍‌ଓୟୁ ସ୍ବାକ୍ଷର ହୋଇପାରିନଥିବାରୁ ଏହି ପ୍ରକଳ୍ପ ଆଗେଇ ପାରୁନି। କିନ୍ତୁ ଏବେ ରାଜ୍ୟ ଓ କେନ୍ଦ୍ର ସରକାର ଆଉ ବିଳମ୍ବ କରିବାକୁ ଚାହୁନଥିବାରୁ ଏହି ପ୍ରକଳ୍ପର ଭାଗ୍ୟ ଖୋଲିବାକୁ ଯାଉଛି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଚଳିତ ମାସରେ ଏହି ଏମ୍‌ଓୟୁ ସ୍ବାକ୍ଷର ହୋଇପାରେ।

ଭୁବନେଶ୍ବର ରେଳ ‌ଷ୍ଟେସନ୍‌ର ଉନ୍ନତୀକରଣ ପାଇଁ ପୂର୍ବରୁ ଦୁଇଥର ଏମ୍‌ଓୟୁ ହେବାକୁ ସ୍ଥାନ ଓ ଦିନ ଧାର୍ଯ୍ୟ ହୋଇଥିଲେ ହେଁ ଏହା ଶେଷ ମୁହୂର୍ତ୍ତରେ ବାତିଲ୍ ହୋଇଯାଇଥିଲା। ଏହାପରେ ଗତ ମେ ୨୨ ତାରିଖରେ ନଗର ଉନ୍ନୟନ ବିଭାଗ ସଚିବ ଏମ୍‌ଓୟୁରେ କିଛି ପରିବର୍ତ୍ତନ କରିବା ସହ ଭୁବନେଶ୍ବରରେ ଏମ୍‌ଓୟୁ ସ୍ବାକ୍ଷର କରିବା ପାଇଁ ରେଳ ମନ୍ତ୍ରଣାଳୟକୁ ଚିଠି ଲେଖିଥିଲେ। ରେଲୱେ ବୋର୍ଡ ରାଜ୍ୟ ସରକାରଙ୍କ ସଂଶୋଧିତ ଏମ୍ଓୟୁକୁ ଅଗଷ୍ଟ ୩୦ରେ ଅନୁମୋଦନ କରି ରାଜ୍ୟ ସରକାରଙ୍କ ନିକଟକୁ ପଠାଇଥିଲା। ଏହାପରେ ରାଜ୍ୟ ସରକାର ଏହା ଉପରେ ବହୁ ବିଚାରବିମର୍ଶ କରିବା ପରେ ଡିସେମ୍ବର ୧ ତାରିଖରେ ନିଜର ସହମତି ଜଣାଇଛନ୍ତି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପୂର୍ବତଟ ରେଳପଥ କର୍ତ୍ତୃପକ୍ଷ ଆଜି ଚିଠି ପାଇଥିବା ବେଳେ ଏହାକୁ ରେଳ ମନ୍ତ୍ରଣାଳୟକୁ ପଠାଇ ଦେଇଛନ୍ତି। ପରବର୍ତ୍ତୀ ନିଷ୍ପତ୍ତି ରେଳ ମନ୍ତ୍ରଣାଳୟ ନେବ। ଅପରପକ୍ଷେ ଏନେଇ ନଗର ଉନ୍ନୟନ ବିଭାଗ ସଚିବ ଜି.ମାଥିଭାଥନନ୍‌ଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ ଆମେ ଏମ୍ଓୟୁ ସ୍ବାକ୍ଷର କରିବାକୁ ରାଜି ହୋଇଛୁ। ଆମେ ଏମ୍ଓୟୁରେ ସ୍ବାକ୍ଷର କରିବା ପାଇଁ ଯେଉଁ ସବୁ ସଂଶୋଧନ ଆଣିଥିଲୁ, ତାହାକୁ ରେଳ ମନ୍ତ୍ରଣାଳୟ ମଞ୍ଜୁର କରିଥିବାରୁ ରାଜ୍ୟ ସରକାର ଖୁବ୍ ଶୀଘ୍ର ଏମ୍‌ଓୟୁ ସ୍ବାକ୍ଷର କରିବେ। ରେଳ ମନ୍ତ୍ରଣାଳୟ ଯେଉଁଠି ଓ ଯେବେ କହିବ ସେହିଦିନ ଏମ୍ଓୟୁ ସ୍ବାକ୍ଷର କରିବୁ।

କନକୋର୍ସ ଡିଜାଇନ୍‌କୁ ରେଲୱେ ବୋର୍ଡର ମଞ୍ଜୁରୀ
ଚଳିତ ମାସରେ ଏମ୍ଓୟୁ ସ୍ବାକ୍ଷର ହେବ!

କେମିତି ସୃଷ୍ଟି ହେଲା ବିବାଦ
ଭୁବନେଶ୍ବର ରେଳ ଷ୍ଟେସନ୍‌ ଉନ୍ନତୀକରଣ ନେଇ ଗତ ଜାନୁଆରି ୨୦ରେ ପୂର୍ବତଟ ରେଳପଥ କର୍ତ୍ତୃପକ୍ଷ ଏବ˚ ରାଜ୍ୟ ସରକାରଙ୍କ ପକ୍ଷରୁ ବିଡିଏ ମଧୢରେ ଏମ୍‌ଓୟୁ ସ୍ବାକ୍ଷର ହେବାକୁ ଥିବାବେଳେ ଏହା ଶେଷ ମୁହୂର୍ତ୍ତରେ ବାତିଲ୍ ହୋଇଯାଇଥିଲା। ସେ ସମୟରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ପୂର୍ବତଟ ରେଳପଥ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏମ୍‌ଓୟୁ ସ୍ବାକ୍ଷର କରିବାକୁ ଥିବା ଖୋର୍ଦ୍ଧା ରୋଡ ଡିଭିଜନର ରେଲେଵ ମ୍ୟାନେଜର ବ୍ରିଜମୋହନ ଅଗ୍ରଵାଲ ହଠାତ୍‌ ଅସୁସ୍ଥ ହୋଇଯାଇଥିବାରୁ ଏମ୍‌ଓୟୁ ବାତିଲ୍‌ ହୋଇଥିଲା। ଏହିଠାରୁ ବିବାଦ ଆରମ୍ଭ ହୋଇଥିଲା। ଏହାକୁ ନେଇ ରାଜନୀତି ଜୋର‌୍‌ ହୋଇଥିଲା। ଏହାପରେ ମୁଖ୍ୟ ଶାସନ ସଚିବ ରେଳବୋର୍ଡ ଅଧୢକ୍ଷଙ୍କୁ ଚିଠି ଲେଖି ଏମ୍‌ଓୟୁ ତାରିଖ ଧାର୍ଯ୍ୟ କରିବାକୁ କହିଥିଲେ। ରେଳ ମନ୍ତ୍ରୀ ପୀୟୂଷ ଗୋୟଲ ଗତ ଏପ୍ରିଲ ୨୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ମେ’ ୨୩ ତାରିଖରେ ଏମ୍‌ଓୟୁ ସ୍ବାକ୍ଷର କାର୍ଯ୍ୟକ୍ରମରେ ଯୋଗଦେବାକୁ ଆମନ୍ତ୍ରଣ କରିଥିଲେ। ଏପରିକି ରେଳ ଭବନରେ ହେବାକୁ ଥିବା ଏମ୍‌ଓୟୁ ସ୍ବାକ୍ଷର କାର୍ଯ୍ୟକ୍ରମ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲା। ହେଲେ ଶେଷ ମୁହୂର୍ତ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରେଳ ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ, ଭୁବନେଶ୍ବର ରେଳ ଷ୍ଟେସନର ସମସ୍ତ ଉନ୍ନତୀକରଣ କାର୍ଯ୍ୟ ପାଇଁ ଗୋଟିଏ ପର୍ଯ୍ୟାୟରେ ଏମ୍‌ଓୟୁ ହେଉ। ଅଲଗା ଅଲଗା ଏମ୍‌ଓୟୁ କରନି। ଏହାସହ ରେଳଷ୍ଟେସନ୍‌ ଉନ୍ନତୀକରଣ ପାଇଁ ରାଜ୍ୟ ସରକାର ସମସ୍ତ ଅର୍ଥ ଖର୍ଚ୍ଚ ବହନ କରୁଥିବାରୁ ଭୁବନେଶ୍ବରରେ ଏମ୍‌ଓୟୁ ସ୍ବାକ୍ଷର ହେଉ। ଏବେ ରାଜ୍ୟ ସରକାର ଏମ୍ଓୟୁ ସ୍ବାକ୍ଷର ପାଇଁ ସହମତି ଜଣାଇବା ସହ ରେଳ ମନ୍ତ୍ରଣାଳୟ ଦ୍ବାରା ଧାର୍ଯ୍ୟ ହେବାକୁ ଥିବା ସ୍ଥାନରେ ଏମ୍ଓୟୁ ସ୍ବାକ୍ଷର କରିବାକୁ କହିଥିବାରୁ ଏମ୍ଓୟୁ ଭୁବନେଶ୍ବରରେ ନା ନୂଆଦିଲ୍ଲୀରେ ସ୍ବାକ୍ଷର ହେଉଛି ତାହାକୁ ଅପେକ୍ଷା।

ଏମ୍‌ଓୟୁରେ କ’ଣ ସଂଶୋଧନ ଚାହୁଁଥିଲେ ରାଜ୍ୟ ସରକାର
ନଗର ଉନ୍ନୟନ ବିଭାଗ ସଚିବ ଜି.ମାଥିଭାଥନନ୍ ମେ ୨୨ରେ ଏମ୍ଓୟୁରେ ସଂଶୋଧନ ପାଇଁ ‌ପୂର୍ବତଟ ରେଳପଥର ପ୍ରମୁଖ ଯନ୍ତ୍ରୀ ଲକ୍ଷ୍ମୀ ନାରାୟଣଙ୍କୁ ଚିଠି ଲେଖିଥିଲେ। ସେ ଲେଖିଥିଲେ ଯେ ଏବେ ଭୁବନେଶ୍ବର ଷ୍ଟେସନ ଦେଇ ୬୫ ଯୋଡ଼ା ଟ୍ରେନ୍‌ ଯାତାୟାତ କରୁଥିବା ବେଳେ ଏହାର ଉନ୍ନତୀକରଣ ପାଇଁ ରାଜ୍ୟ ସରକାର ୨୦୧୪ ମସିହାରୁ ଯୋଜନା କରିଛନ୍ତି। ଏବେ ସ୍ମାର୍ଟ ସିଟି ଯୋଜନାରେ ରେଳ ଷ୍ଟେସନରେ ନୂଆ ଟର୍ମିନାଲ ବିଲଡି˚, ସିଟି ବସ୍‌ ଟର୍ମିନାଲ, ପବ୍ଲିକ କାର‌୍‌ ପାର୍କି˚ ଏବ˚ ରେଳ ଷ୍ଟେସନ୍‌ ମଲ୍ଟି ମୋଡାଲ୍‌ ହବ୍‌ ହେବ। ଏବେ ପୁରୁଣା ଯାତ୍ରୀ ସ˚ରକ୍ଷଣ ଟିକେଟ କେନ୍ଦ୍ର ବିଡିଏ ଦ୍ବାରା ନିର୍ମିତ ହୋଇଥିବା କୋଠାକୁ ସ୍ଥାନାନ୍ତର ହୋଇଯାଇଥିବାରୁ ଏହାକୁ ଭାଙ୍ଗିବା ପାଇଁ ପୂର୍ବତଟ ରେଳପଥ କର୍ତ୍ତୃପକ୍ଷ ବିଡିଏକୁ ହସ୍ତାନ୍ତର କରନ୍ତୁ। ୨ଲକ୍ଷ ବର୍ଗଫୁଟ ଅଞ୍ଚଳରେ ନୂଆ ଷ୍ଟେସନ ଅଞ୍ଚଳ ଉନ୍ନତୀକରଣ ହେବ। ଏଥିରେ ପ୍ଲାଟଫର୍ମ ୧ରୁ ୬କୁ ସ˚ଯୋଗ କରି ଏକ କନକୋର୍ସ ନିର୍ମାଣ କରାଯିବ। ଏହା ମାଷ୍ଟରକ୍ୟାଣ୍ଟିନ୍ ପାର୍ଶ୍ବରୁ ପୁରୁଣା ଷ୍ଟେସନ୍ ବଜାର ଅଞ୍ଚଳକୁ ସଂଯୋଗ କରିବ। ଏହାକୁ ବିଡିଏ ନିର୍ମାଣ କରିବ। ଏ ସମ୍ପର୍କିତ ଡିଜାଇନ୍‌କୁ ପୂର୍ବତଟ ରେଳପଥ କର୍ତ୍ତୃପକ୍ଷ ଅନୁମୋଦନ କରିବାକୁ ପଠାଯିବ। ସେହିପରି ନୂଆ ଷ୍ଟେସନ ଅଞ୍ଚଳ ନିର୍ମାଣ ପାଇଁ ବିଡିଏ ପକ୍ଷରୁ ସିଙ୍ଗାପୁରର ସୁବର୍ଣ୍ଣ ଜୁରୋଙ୍ଗ ସ˚ସ୍ଥାକୁ ନିୟୋଜିତ କରାଯାଇଥିବା ବେଳେ ଇଲେକ୍ଟ୍ରିକ୍‌ ଏବ˚ ଟେଲିକମ୍‌ ଡ୍ରଇଙ୍ଗ୍‌ ପୂର୍ବତଟ ରେଳପଥ କର୍ତ୍ତୃପକ୍ଷ ପ୍ରସ୍ତୁତ କରିବାକୁ କୁହାଯାଇଛି। ଏହାବାଦ୍‌ ରେଳ ଷ୍ଟେସନରେ ବିଡିଏ ଅଞ୍ଚଳ ପାଇଁ ଏବ˚ ରେଲେଵ ଅଞ୍ଚଳ ପାଇଁ ସ୍ବତନ୍ତ୍ର ପ୍ରବେଶ ଓ ପ୍ରସ୍ଥାନ ରାସ୍ତା ରହିବ। ଜରୁରୀକାଳୀନ ସ୍ଥିତିରେ ଏହା ଖୋଲା ଯାଇପାରିବ। ଏହି ସମସ୍ତ କାର୍ଯ୍ୟ ପାଇଁ ରାଜ୍ୟ ସରକାର ଏବ˚ ପୂର୍ବତଟ ରେଳପଥ ଅଧିକାରୀଙ୍କୁ ନେଇ ତିନିଟି କମିଟି ଗଠନ ହେବ। ଏଥିରେ ମୁଖ୍ୟ ଶାସନ ସଚିବଙ୍କ ଅଧୢକ୍ଷତାରେ ହାଇପାଵାର ଷ୍ଟିଅରି˚ କମିଟି, ବିଡିଏ ଉପାଧୢକ୍ଷଙ୍କ ଅଧୢକ୍ଷତାରେ କୋର୍ଡିନେସନ୍‌ କମିଟି, ବିଡିଏ ମୁଖ୍ୟଯନ୍ତ୍ରୀଙ୍କ ଅଧୢକ୍ଷତାରେ ଫିଲ୍ଡ ଲେଭେଲ୍‌ ଟିମ୍‌ ଗଠନ ହେବ ବୋଲି ନଗର ଉନ୍ନୟନ ବିଭାଗ ପ୍ରସ୍ତୁତ କରିଥିବା ଏମ୍‌ଓୟୁରେ କୁହାଯାଇଥିଲା। ଏହାକୁ ରେଳ ମନ୍ତ୍ରଣାଳୟ ଅନୁମୋଦନ କରିବା ସହ କନକୋସ୍ ଡିଜାଇନ୍‌କୁ ବି ମଞ୍ଜୁରୀ ଦେଇଛି।

‌ଷ୍ଟେସନ ପାଇଁ ପୂର୍ବତଟ ରେଳପଥ କର୍ତ୍ତୃପକ୍ଷଙ୍କ ଯୋଜନା
ପୂର୍ବତଟ ରେଳପଥର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଭୁବନେଶ୍ବର ରେଳ ଷ୍ଟେସନରେ ଏବେ ଥିବା ଷ୍ଟେସନ ବିଲଡି˚କୁ ଭଙ୍ଗା ଯାଇ ଅତ୍ୟାଧୁନିକ ଷ୍ଟେସନ ବିଲଡି˚ ନିର୍ମାଣ କରାଯିବ। ଏହାସହ ଏଠାରେ ଏବେ ୬ଟି ପ୍ଲାଟଫର୍ମ ଥିବାବେଳେ ଏହାକୁ ୭କୁ ବୃଦ୍ଧି କରାଯିବ। ଏଥିପାଇଁ ପ୍ଲାଟଫର୍ମ ୧କୁ ଭଙ୍ଗାଯାଇ ସମ୍ପ୍ରସାରଣ କରାଯିବ। ଏହି ପାର୍ଶ୍ବରେ ଆଉ ଏକ ପ୍ଲାଟଫର୍ମ ନିର୍ମାଣ ହେବ। ଏହାପରେ ବର୍ତ୍ତମାନ ଥିବା ପ୍ଲାଟଫର୍ମ ୧ ଭବିଷ୍ୟତରେ ପ୍ଲାଟଫର୍ମ ୨ ହୋଇଯିବ। ଏହାପରେ ଆଉ ସମ୍ପ୍ରସାରଣ ପାଇଁ କିନ୍ତୁ ସ୍ଥାନ ରହିବନି। ସେହିପରି ଷ୍ଟେସନର ୬ଟି ପ୍ଲାଟଫର୍ମକୁ ଏବେ ୮ଟି ରେଳ ଧାରଣା ସ˚ଯୋଗ କରୁଥିବାବେଳେ ଏହାକୁ ୧୦କୁ ବଢ଼ାଯିବ। ଏହି ସମସ୍ତ କାର୍ଯ୍ୟ ପାଇଁ ପୂର୍ବତଟ ରେଳପଥ ପ୍ରାୟ ୭୦କୋଟି ଟଙ୍କା ଖର୍ଚ୍ଚ କରିବ। ସମସ୍ତ କାର୍ଯ୍ୟ ଖୁବ୍ ଶୀଘ୍ର ଆରମ୍ଭ ହେବ।

ସମ୍ବନ୍ଧିତ ଖବର