ଅର୍ପିତା ମିଶ୍ର ୪ର୍ଥ ଯୁବ ପ୍ରଧାନମନ୍ତ୍ରୀ, ଭଲ ମେଧାବୀ ରାଜନୀତିକୁ ଆସନ୍ତୁ

ଭୁବନେଶ୍ବର: ଦେଶ ଓ ରାଜ୍ୟରେ ଭଲ ଲୋକଙ୍କ ସଂଖ୍ୟା ଅଧିକ। କିନ୍ତୁ ଖରାପ ଲୋକମାନେ ଯେତେ ଶୀଘ୍ର ସଂଗଠିତ ହୋଇପାରନ୍ତି, ଭଲ ଲୋକେ ସେପରି ସଂଗଠିତ ‌ହୁଅନ୍ତି ନାହିଁ। ଆମ ଦେଶ ଓ ରାଜ୍ୟର ଦୁର୍ଭାଗ୍ୟ ଯେ ମେଧାବୀମାନେ ରାଜନୀତିକୁ ଘୃଣା କରନ୍ତି। ଦେଶ ପାଇଁ କିଛି କରିବାର କ୍ଷମତା ଓ ସାମର୍ଥ୍ୟ ଥାଇ ମଧ୍ୟ ଅନେକ ମେଧାବୀ ରାଜନୀତି ପଡ଼ିଆକୁ ଓହ୍ଲାନ୍ତି ନାହିଁ। ଏହା ଆମ ସମୟର ସବୁଠୁ ବଡ଼ ବିଡ଼ମ୍ବନା। ମାତ୍ର ଜାଣିରଖିବା ଉଚିତ୍‌, ରାଜନୀତି ବିନା କିଛି ସମ୍ଭବ ନୁହେଁ। ତେଣୁ ଭଲ ଲୋକ ଓ ମେଧାବୀମାନେ ରାଜନୀତିକୁ ଆସନ୍ତୁ ବୋଲି ଆହ୍ବାନ ଦେଇଛନ୍ତି ବିଧାୟକ ତଥା ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ। ହେରିଟେଜ୍‌ ଭିଜନ୍‌ ସୋସିଆଲ୍‌ ଫାଉଣ୍ଡେସନ୍‌ ପକ୍ଷରୁ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଅନୁଷ୍ଠିତ ‘ଟ୍ୟାଲେଣ୍ଟ୍‌ ଅଲିମ୍ପିୟାର୍ଡ: ଯୁବ ପ୍ରଧାନମନ୍ତ୍ରୀ’ ପୁରସ୍କାର ପ୍ରଦାନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେ ଛାତ୍ରଛାତ୍ରୀଙ୍କୁ ଏହି ଆହ୍ବାନ ଦେଇଛନ୍ତି।

ଏହି ଅବସରରେ ବିଶିଷ୍ଟ ନାଟ୍ୟ ନିର୍ଦେଶକ ଓ ନାଟ୍ୟକାର ଅନନ୍ତ ମହାପାତ୍ର ନିଜର କୁଳ ଓ କର୍ମକୁ ଅବହେଳା ନକରିବାକୁ ଛାତ୍ରଛାତ୍ରୀଙ୍କୁ ଉପଦେଶ ଦେଇଥିଲେ। ପୂର୍ବତନ ବିଧାୟକ ତଥା ରାଜ୍ୟ ହାଉସିଂ ବୋର୍ଡର ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର ରାଜ୍ୟ ଓ ଦେଶ କିଭଳି ଆଗକୁ ଯାଇପାରିବ ସେ ବାବଦରେ ମାର୍ଗଦର୍ଶନ କରିଥିଲେ। ଏହି ଅବସରରେ ସ୍ବଚ୍ଛତାର ମନ୍ତ୍ର ବୁଣି ନିର୍ମଳା କନ୍‌ଭେଣ୍ଟ୍‌ ସ୍କୁଲ୍‌ର ଅର୍ପିତା ମିଶ୍ର ୪ର୍ଥ ଯୁବ ପ୍ରଧାନମନ୍ତ୍ରୀ ମୁକୁଟ ପିନ୍ଧିଛନ୍ତି। ତାଙ୍କୁ ୨୫ ହଜାର ଟଙ୍କାର ଅର୍ଥରାଶି, ଟ୍ରଫି ଓ ମେଡାଲ୍‌ ସହ ସମ୍ବର୍ଧିତ କରାଯାଇଛି। ଏଥିସହ ପୁରୀ ଡିଏଭିର ବିପାଶା ରାଜ୍‌ ଓ ସେଣ୍ଟ୍‌ ଜାଭିୟର, କୋରାପୁଟର ଶୀତଲ ମହାନ୍ତି ମିଳିତ ରନର୍ସଅପ୍‌ ହୋଇ ୧୫ ହଜାର ଟଙ୍କାର ଅର୍ଥରାଶି ଏବଂ ଭୁବନେଶ୍ବର ମଡର୍ଣ୍ଣ ପବ୍ଲିକ୍‌ ସ୍କୁଲ୍‌ର ସାର୍ଥକ ମୁଖାର୍ଜୀ ୩ୟ ସ୍ଥାନ ଅଧିକାର କରି ୫ହଜାର ଟଙ୍କାର ଅର୍ଥରାଶି, ମାନପତ୍ର, ଟ୍ରଫି ଓ ମେଡାଲ୍‌ ଜିତିଛନ୍ତି। ସେହିପରି କନିଷ୍ଠ ବିଭାଗରେ ଆଶୁତୋଷ କର, ଆଦିତି ଖୁଣ୍ଟିଆ, ସୌମ୍ୟରଂଜନ ପାତ୍ର ଯଥାକ୍ରମେ ପ୍ରଥମରୁ ତୃତୀୟ ସ୍ଥାନ ଅଧିକାର କରି ଅର୍ଥରାଶି ସହ ଟ୍ରଫି ଓ ମେଡାଲ୍‌ ଜିତିଛନ୍ତି। ଏଥିପାଇଁ ସମଗ୍ର ରାଜ୍ୟରେ ୧୫୦ଟି ସ୍କୁଲ୍‌ରୁ ୧୮ ହଜାର ପିଲାଙ୍କ ମଧ୍ୟରୁ ପ୍ରତିଯୋଗିତା ଭିତ୍ତିରେ ଯୁବ ପ୍ରଧାନମନ୍ତ୍ରୀ ଚୟନ କରାଯାଇଛି। ଫାଉଣ୍ଡେସନ୍‌ର ମୁଖ୍ୟ ଉପଦେଷ୍ଟା ମିହିର ପଟ୍ଟନାୟକ, ଫାଉଣ୍ଡେସନ୍‌ ମୁଖ୍ୟ ମହେଶ ପଟ୍ଟନାୟକ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ। ଟ୍ରଷ୍ଟି ମନୋଜ ପଟ୍ଟନାୟକ, ଶିଶିର ପାଣିଗ୍ରାହୀ ବକ୍ତବ୍ୟ ରଖିଥିଲେ। ବିଜେବି କଲେଜ୍‌ର ସାମ୍ବାଦିକତା ବିଭାଗ ମୁଖ୍ୟ ନଳିନୀ ପାତ୍ର ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର