ଆରମ୍ଭ ହେଲା ଅସୀମ ଉତ୍ସବ : ସେ ଥିଲେ ଅନନ୍ୟ ବହୁମୁଖୀ ପ୍ରତିଭା

ଭୁବନେଶ୍ୱର : ପ୍ରସିଦ୍ଧ ନାଟ୍ୟକାର, ନିର୍ଦେଶକ, ଅଭିନେତା, ସମ୍ଭକାର, ମଞ୍ଚକର୍ମୀ ତଥା ଚିତ୍ରଶିଳ୍ପୀ ଅସୀମ ବସୁଙ୍କ ସ୍ମୃତିରେ ଅସୀମ ବସୁ ଫାଉଣ୍ଡେସନ ଓ ରାଜ୍ୟ ସଂସ୍କୃତି ବିଭାଗର ମିଳିତ ଉଦ୍ୟମରେ ଭଞ୍ଜକଳା ମଣ୍ଡପରେ ତିନିଦିିନିଆ ଅସୀମ ଉତ୍ସବ ଆରମ୍ଭ ହୋଇଛି।

ଆଜିର ଉତ୍ସବରେ ଅତିଥି ଭାବେ ବିଶିଷ୍ଟ କବି ସୀତାକାନ୍ତ ମହାପାତ୍ର, ବିଶିଷ୍ଟ ନାଟ୍ୟକାର ବିଜୟ ମିଶ୍ର ଓ ସଂସ୍କୃତି ବିଭାଗ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ। ଅସୀମ ବସୁ ଜଣେ ବହୁ ମୁଖୀ ପ୍ରତିଭାର ଅଧିକାରୀ ଥିଲେ। କିନ୍ତୁ ଏତେ ସବୁ ଗୁଣର ଅଧିକାରୀ ସତ୍ତ୍ୱେ ସେ ଅତ୍ୟନ୍ତ ସରଳ ଓ ନିଷ୍କପଟ ମଣିଷ ଭାବେ ସାଧାରଣ ଜୀବନଯାପନ କରୁଥିଲେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।

ଏହି ଅବସରରେ ‘ଅସୀମ’ ସ୍ମରଣିକା ଲୋକାର୍ପିତ ହୋଇଥିଲା। ଆଜିର ସନ୍ଧ୍ୟାରେ ବିଜୟ ମିଶ୍ର ରଚିତ, ଅସୀମ ବସୁଙ୍କ ଦ୍ୱାରା ନିର୍ଦେଶିତ ପ୍ରଥମ ନାଟକ ‘ଦୁଇଟି ସୂର୍ଯ୍ୟଦଗ୍ଧ ଫୁଲକୁ ନେଇ’ ଉତ୍ତର ପୁରୁଷ ପକ୍ଷରୁ ମଞ୍ଚସ୍ଥ କରାଯାଇଥିଲା। ଅଭିନ୍ନ ରାଉତରାୟ ଏହାକୁ ନୂତନ ଭାବେ ନିର୍ଦେଶନା ଦେଇଥିଲେ।

ଏହା ପୂର୍ବରୁ ଉତ୍ସବର ପ୍ରଥମ ଅଧିବେଶନରେ କବି ତଥା କଥାକାର ଅଜୟ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଏକ କବିତା କର୍ମଶାଳା ଆୟୋଜନ କରାଯାଇଥିଲା। ଉତ୍ସବ ପରିଚାଳକ ଦେବଦତ୍ତ ପତି ପ୍ରାରମ୍ଭିକ ସୂଚନା ଦେଇଥିଲେ। ଶେଷରେ ଅସୀମ ବସୁ ଫାଉଣ୍ଡେସନ ସମ୍ପାଦିକା ଭାସ୍ୱତୀ ବସୁ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର