ବାଲିପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ବିଜୁଳି ଆସିଲା, ଅଂଶୁଘାତ ରୁମ୍‌ କାମ କଲାନି

ବିପଦ ସଂକୁଳ ଅବସ୍ଥାରେ ସ୍ବାସ୍ଥ୍ୟକେନ୍ଦ୍ର ପରିସର, ଖତ ଖାଉଛି ଲକ୍ଷାଧିକ ଟଙ୍କାର ସରକାରୀ ସମ୍ପତ୍ତି

ବାଲିପାଟଣା: ଖୋର୍ଧା ଜିଲ୍ଲା ବାଲିପାଟଣା ବ୍ଲକର ଅଠାନ୍ତରରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ଫନିରେ ସ୍ବାସ୍ଥ୍ୟକେନ୍ଦ୍ରରେ ବ୍ୟାପକ କ୍ଷତି ହୋଇଥିବା ବେଳେ ଏବେ ଏହାର ପରିସର ବିପଦ ସଂକୁଳ ଅବସ୍ଥାରେ ରହିଛି। ସ୍ବାସ୍ଥ୍ୟକେନ୍ଦ୍ରରେ ଥିବା ଲକ୍ଷାଧିକ ଟଙ୍କା ମୂଲ୍ୟର ସରକାରୀ ସମ୍ପତ୍ତି ଖତ ଖାଉଛି। ଫନି ବାତ୍ୟାର ଦୀର୍ଘ ଦିନ ପରେ ରୋଗୀ ସେବାକୁ ଗୁରୁତ୍ବ ଦେଇ ଆଜି ସ୍ବାସ୍ଥ୍ୟକେନ୍ଦ୍ରକୁ ବିଦ୍ୟୁତ୍‌ ଦିଆଯାଇଛି। ମାତ୍ର ଅଂଶୁଘାତ ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ଶୀତତାପ ନିୟନ୍ତ୍ରିତ ପ୍ରକୋଷ୍ଠରେ ଏସି କ‌ାମ କରୁନି। ଫଳରେ କାମଚଳା ଭାବେ କୁଲର୍‌ ଲଗାଇ ରୋଗୀ ସେବା ଚାଲିଛି। ବର୍ତ୍ତମାନ ପ୍ରବଳ ଗରମ ହେଉଥିବା ବେଳେ ତାପମାତ୍ରା ଅଧିକ ରହୁଥିବାରୁ ଏହି ସମସ୍ୟା ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଚିନ୍ତାର କାରଣ ହୋଇଛି।

ବାଲିପାଟଣା ସ୍ବାସ୍ଥ୍ୟକେନ୍ଦ୍ର ଉପରେ ସ୍ଥାନୀୟ ଅଞ୍ଚଳର ଲକ୍ଷାଧିକ ଲୋକ ନିର୍ଭର କରିଥାନ୍ତି। ରୋଗୀ ସେବା ପାଇଁ ଏଠାରେ ୫ଟି ଡାକ୍ତର ପଦ ରହିଥିଲେ ହେଁ କୌଣସି ବିଶେଷଜ୍ଞ ନାହାନ୍ତି। ଶିଶୁ ରୋଗ ଓ ଶଲ୍ୟ ବିଶେ‌ଷଜ୍ଞ ଭଳି ଗୁରୁତ୍ବପୂର୍ଣ୍ଣ ପଦ ଖାଲି ପଡ଼ିଛି। ଡାକ୍ତରଙ୍କ ରହିବା ପାଇଁ ସରକାରୀ କ୍ବାର୍ଟର୍ସ ରହିଛି। ମାତ୍ର ଏହା ଗ୍ରାମାଞ୍ଚଳ ହୋଇଥିବାରୁ ଏଠାରେ ଡାକ୍ତର ରହିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି। ଦିନ ୨ଟା ପରେ ସ୍ବାସ୍ଥ୍ୟକେନ୍ଦ୍ରରେ କୌଣସି ଡାକ୍ତରଙ୍କ ଦେଖା ମିଳୁନି। ରକ୍ତ ପରୀକ୍ଷା ପାଇଁ ଅତ୍ୟାଧୁନିକ ମେସିନ୍‌ ରହିଛି। ହେଲେ ଅଭିଜ୍ଞ କର୍ମଚାରୀଙ୍କ ଅଭାବରୁ ଏହା ରୋଗୀ ସେବାରେ ଲାଗିପାରୁନି। ଅପରପକ୍ଷରେ ପିଇବା ପାଣି ପାଇଁ ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ୨ଟି ନଳକୂପ ରହିଛି। ସେଥିରୁ ଲୌହଯୁକ୍ତ ପାଣି ବାହାରୁଥିବାରୁ ଏହା ପିଇବା ଅନୁପଯୁକ୍ତ ହୋଇପଡ଼ିଛି। ପରିସରରେ ପାଇପ ପାଣି ବ୍ୟବସ୍ଥା ରହିଛି। ପାଣି ଟ୍ୟାପ୍‌ଗୁଡ଼ିକ ୱାର୍ଡ ଭିତରେ ଲାଗିଥିବାରୁ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ଘୃଣାରେ ସେ ପାଣି ପିଉନାହାନ୍ତି।

ବାତ୍ୟାରେ ଲକ୍ଷାଧିକ ଟଙ୍କା ସମ୍ପତ୍ତି ନଷ୍ଟ ହୋଇଯାଇଛି। କ୍ବାର୍ଟର୍ସ, ପାଣିଟାଙ୍କି ଭାଙ୍ଗି ଯାଇଥିବା ବେଳେ ଏବେ ବି ବଡ଼ବଡ଼ ଗଛ ବିପଦସଂକୁଳ ଅବସ୍ଥା‌‌‌ରେ ରହିଛି। ମୂଲ୍ୟର ସରକାରୀ ଗାଡ଼ି ଖତ ଖାଉଛି। ସ୍ଥାନୀୟ ଅଞ୍ଚଳର କିଛି ଲୋକ ସ୍ବାସ୍ଥ୍ୟକେନ୍ଦ୍ରକୁ ଗ୍ୟାରେଜ ଭାବେ ବ୍ୟବହାର କରୁଛନ୍ତି। ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଡା. ମନୋରଂଜନ ହାତୀଙ୍କ କହିବା ଅନୁସାରେ ସରକାରଙ୍କ ପକ୍ଷରୁ ୨୫ କେଭି କ୍ଷମତା ବିଶିଷ୍ଟ ପାୱାର ଜେନେରେଟର ‌ଯୋଗାଇ ଦିଆଗଲେ ବିଦ୍ୟୁତ୍‌ ସମସ୍ୟାର ସମାଧାନ ହୋଇପାରିବ। ଏହାଛଡ଼ା ନୂତନ ପାଣିଟାଙ୍କି ସ୍ଥାପନ କରାଗଲେ ‌ପିଇବା ପାଣି ସମସ୍ୟାର ସମାଧାନ ହୋଇପାରିବ ବୋଲି ଡା. ହାତୀ କହିଛନ୍ତି।

ସମ୍ବନ୍ଧିତ ଖବର