ବାସୁଆଘାଇ ଲୁଟ୍‌ପାଟ୍‌ ମାମଲା : ମୁଖ୍ୟ ଅଭିଯୁକ୍ତ ସହ ବଣିଆ ଗିରଫ

ଭୁବନେଶ୍ୱର : ବାସୁଆଘାଇ ଅଞ୍ଚଳରେ ଘରେ ପଶି ଲୁଟ୍‌ କରିବା ଅଭିଯୋଗରେ ସହିଦ ନଗର ଥାନା ପୁଲିସ ମୁଖ୍ୟ ଅଭିଯୁକ୍ତ ସମେତ ୨ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତଦ୍ୱୟ ହେଲେ, ଲକ୍ଷ୍ମୀସାଗର ଥାନା ଅଧୀନ ମଝିସାହିର ମାନସ ଲେଙ୍କା ଓରଫ ମୁନା ଓ ଚୋରି ମାଲ୍‌ ନେଇ ବିକ୍ରି କରିବା ପାଇଁ ଯୋଜନା କରୁଥିବା ବଣିଆ ରଂଜନ କୁମାର ପୃଷ୍ଟି। ରଂଜନର ଘର କଟକ ମଙ୍ଗଳାବାଗ ଥାନା ବାସେଳି ସାହିରେ। ପୁଲିସ ତା’ଠାରୁ ୭୪ଗ୍ରାମ୍‌ ଓଜନର ସୁନା ଓ ୧୦୫ଗ୍ରାମ୍‌ର ରୁପା ଅଳଙ୍କାର ଜବତ କରିଛି। ଜବତ ଅଳଙ୍କାର ମଧ୍ୟରେ ଗୋଟିଏ ସୁନା ଚେନ୍‌ ସହ ୬ହଳ କାନଫୁଲ, ଦୁଇଟି ମୁଦି, ୩ ଲକେଟ୍‌, ୬ ହଳ ପାଉଁଜି, ୪ ଝୁଣ୍ଟିଆ ରହିଛି। ରଞ୍ଜନର କଟକ ମେରିଆ ବଜାରରେ ଏକ ସୁନା ଗହଣା ବିକ୍ରି ଓ ମରାମତି ଦୋକାନ ରହିଛି। ସେଠାରେ ଏହି ସବୁ ଚୋରି ଜିନିଷ ବିକ୍ରି କରିବା ପାଇଁ ରଖାଯାଇଥିଲା। ପ୍ରଥମେ ମୁଖ୍ୟ ଅଭିଯୁକ୍ତ ମୁନାକୁ ଧରାଯିବା ପରେ ତା’ଠାରୁ ରଞ୍ଜନର ଠିକଣା ମିଳିଥିଲା। ଗତ ସନ୍ଧ୍ୟାରେ ପୁଲିସ ସଦଳବଳେ ଚଢ଼ଉ କରି ରଞ୍ଜନକୁ ତା’ ଦୋକାନରୁ ଗିରଫ କରିଥିଲା। ଏ ନେଇ ଆଜି ପୁଲିସ କମିସନର ସତ୍ୟଜିତ ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଏଠାରେ ସୂଚନାଯୋଗ୍ୟ, ଏହି ଘଟଣାର ଅନ୍ୟତମ ଅଭିଯୁକ୍ତ ସୂର୍ଯ୍ୟମଣି ଦାସକୁ ପୁଲିସ ପୂର୍ବରୁ କଟକ ଶିଖରଚଣ୍ଡୀରୁ ଗିରଫ କରିଥିଲା।

ପୁଲିସ ସୂଚନା ଅନୁଯାୟୀ, ଗତ ମାର୍ଚ୍ଚ ୧୮ତାରିଖରେ ସୂର୍ଯ୍ୟମଣି ଓ ମୁନା ବାସୁଆଘାଇର ରାମକୃଷ୍ଣ ମହାଙ୍କୁଡ଼ଙ୍କ ଘରେ ପଶିଥିଲେ। ଘରେ କେହି ନଥିବା ସୁଯୋଗରେ ସେମାନେ ଘର ତାଲା ଭାଙ୍ଗି ୫୦ ହଜାର ଟଙ୍କା, ମୋବାଇଲ ଓ ସୁନା ଗହଣା ନେଇ ପଳାଉଥିଲେ। ରାତି ପ୍ରାୟ ୧୦ଟା ବେଳେ ପରିବାର‌ଲୋକ ଘରକୁ ଫେରି ଉଭୟଙ୍କୁ ଚୋରି କରୁଥିବା ଦେଖି ପାଟି କରିବାରୁ ସେମାନେ ଖସିଯିବାକୁ ଉଦ୍ୟମ କରିଥିଲେ। ଧରିବାକୁ ଉଦ୍ୟମ କଲା ବେଳେ ରାମକୃଷ୍ଣ ଓ ସୂର୍ଯ୍ୟମଣିଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। କୌଣସିମତେ ସୂର୍ଯ୍ୟମଣି ଖସି ଯାଇଥିଲେ ହେଁ ସେ ଆଣିଥିବା ବାଇକ୍‌ (ଚୋରା ଆପାଚି) ଛାଡ଼ି ଯାଇଥିଲା। ଏହା ପରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। କଟକ ଶିଖରଚଣ୍ଡୀରୁ ସୂର୍ଯ୍ୟମଣିକୁ ଗିରଫ କରିବା ପରେ ତା’ଠାରୁ ସୂଚନା ପାଇ ଅନ୍ୟମାନଙ୍କୁ ଧରିଛି। ପୁଲିସ ସେମାନଙ୍କୁ ପଚରାଉଚରା କରି ଅଧିକ ତଦନ୍ତ ଚଳାଇଛି। ଏହି ଅଭିଯୁକ୍ତମାନେ କୌଣସି ରୢାକେଟ୍‌ ସହ ସଂପୃକ୍ତ ଥିବା ପୁଲିସ ଅନୁମାନ କରୁଛି।’

ସମ୍ବନ୍ଧିତ ଖବର