ଭୁବନେଶ୍ବର ରାମ ମନ୍ଦିର ପରିଚାଳନା ମାମଲା: ସତ୍ୟପାଠ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ : ଭୁବ‌େନଶ୍ବର ଶ୍ରୀରାମନ୍ଦିର ପରିଚାଳନା ବିବାଦ ସଂପର୍କିତ ମାମଲାର ଶୁଣାଣି କରି ହାଇକୋର୍ଟ ସତ୍ୟପାଠ ଦାଖଲ ପାଇଁ ଦେବୋତ୍ତର ବିଭାଗକୁ ‌ନିର୍ଦ୍ଦେଶ ଦେଇଛନ୍ତି। ଆଜି କୁମାରୀ ଜଷ୍ଟିସ ସଞ୍ଜୁ ପଣ୍ଡା ଓ ଜଷ୍ଟିସ ପ୍ରମଥ ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏ ସଂପର୍କିତ ମାମଲାର ଶୁଣାଣି ସମୟରେ ଦେବୋତ୍ତର କମିସନରଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ ନିର୍ବାହୀ ଅଧିକାରୀ ମନ୍ଦିର ପରିଚାଳନା ଦାୟିତ୍ବ ଗ୍ରହଣ କରିଛନ୍ତି। ଏ ନେଇ ପରବର୍ତ୍ତୀ ଶୁଣାଣି ପୂର୍ବରୁ ସତ୍ୟପାଠ ଦାଖଲ ପାଇଁ ଦେବୋତ୍ତର ବିଭାଗ ପକ୍ଷରୁ ନିଯୁକ୍ତ ନିର୍ବାହୀ ଅଧିକାରୀଙ୍କୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ୧୯ ତାରିଖକୁ ଧାର୍ଯ୍ୟ କରାଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଅଗଷ୍ଟ ୨୮ରେ ହାଇକୋର୍ଟ ମାମଲାର ଶୁଣାଣି କରି ଦେବୋତ୍ତର କମିସନରଙ୍କ ଦ୍ବାରା ନିଯୁକ୍ତ ନିର୍ବାହୀ ଅଧିକାରୀ ଭୁବନେଶ୍ବର ରାମ ମନ୍ଦିର ପରିଚାଳନା ଦାୟିତ୍ବରେ ରହିବେ ବୋଲି ନିର୍ଦ୍ଦେଶ ଦେଇଥିଲେ।

ମାମଲାର ବିବରଣୀରୁ ପ୍ରକାଶ ଯେ ଭୁବନେଶ୍ବରର ଶ୍ରୀରାମ ମନ୍ଦିରର ପରିଚାଳନା ଦାୟିତ୍ବ ମୂଳରୁ ଶ୍ରୀରାମ ମନ୍ଦିର ସେବା ସମିତି ହାତରେ ରହିଥିଲା। ସମିତି ମନ୍ଦିରର ପୂଜା, ନୀତିକାନ୍ତି ଓ ସଂପତ୍ତିର ପରିଚାଳନା କରୁଥିବା‌ ବେଳେ ପରବର୍ତ୍ତୀ ସମୟରେ ଦେବୋତ୍ତର କମିସନରଙ୍କ ନିକଟରେ ଏହି ମନ୍ଦିରକୁ ସର୍ବସାଧାରଣଙ୍କ ଠାକୁର ଭାବେ ଘୋଷଣା ପାଇଁ ଆବେଦନ କରାଯାଇଥିଲା। ଏହି ଆବେଦନ ବିଚାରାଧୀନ ଥିବା ବେଳେ ଗତ ବର୍ଷ ଅକ୍ଟାବରରେ ଦେବୋତ୍ତର କମିସନର ଶ୍ରୀରାମ ମନ୍ଦିର ପରିଚାଳନା ପାଇଁ ଜଣେ ବରିଷ୍ଠ ପ୍ରାଶାସନିକ ଅଧିକାରୀଙ୍କୁ ନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତି ଦେଇଥିଲେ। ନିର୍ବାହୀ ଅଧିକାରୀଙ୍କୁ ମନ୍ଦିର ପରିଚାଳନା ଦାୟିତ୍ବ ହସ୍ତାନ୍ତର ପାଇଁ ଦେବୋତ୍ତର କମିସନର ନିର୍ଦ୍ଦେଶ ଦେଇଥିଲେ। ଦେବୋତ୍ତର କମିସନରଙ୍କ ଏପରି ନିର୍ଦ୍ଦେଶକୁ ଚାଲେଞ୍ଜ କରି ଶ୍ରୀରାମ ମନ୍ଦିର ସେବା ସମିତି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥି‌ଲା। ହାଇକୋର୍ଟ ମାମଲାର ପ୍ରାରମ୍ଭିକ ଶୁଣାଣି କରି ଏହି ପ୍ରସଙ୍ଗରେ ସ୍ଥିତାବସ୍ଥା ଜାରି କରିଥିଲେ। ମାମଲାରେ ଅନ୍ୟ ପକ୍ଷମାନେ ଇଣ୍ଟରଭେନର ପିଟିସନ୍ ଦାଖଲ କରିଥିଲେ। ଏଥିସହ ପୂର୍ବରୁ ଜାରି କରାଯାଇଥିବା ଅନ୍ତରୀଣ ନିର୍ଦ୍ଦେଶ ଉଠାଇବା ପାଇଁ ପିଟିସନ୍ ଦାଖଲ କରାଯାଇଥିଲା। ଇଣ୍ଟରଭେନରଙ୍କ ତରଫରୁ ଆଇନଜୀବୀ ସତ୍ୟନାରାୟଣ ମହାପାତ୍ର ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର