ଜିଆଇଇଟି ଘଙ୍ଗାପାଟଣାରେ ରକ୍ତଦାନ ଶିବିର

ସଂଗୃହୀତ ହେଲା ୧୦୦ ୟୁନିଟ୍‌ ରକ୍ତ

ଭୁବନେଶ୍ୱର : ଅତ୍ୟାଧୁନିକ ବୈଷୟିକ ଜ୍ଞାନ ଉପଯୋଗରେ ବହୁ ଅସମ୍ଭବ କାର୍ଯ୍ୟ ସହଜରେ କରାଯାଇପାରୁଛି। ସେଥିପାଇଁ ସର୍ବାଧିକ ଛାତ୍ରଛାତ୍ରୀ ବୈଷୟିକ ମହାବିଦ୍ୟାଳୟମାନଙ୍କରେ ଅଧ୍ୟୟନରତ। କିନ୍ତୁ ମଣିଷ ଶରୀରରେ ପ୍ରବହମାନ ରକ୍ତକଣିକାର ସାମାନ୍ୟ ଅଂଶ ମଧ୍ୟ ପ୍ରସ୍ତୁତ କରିବାରେ ଆଜିର ବିଜ୍ଞାନ ଅସମର୍ଥ। ଜରୁରୀକାଳୀନ ଅବସ୍ଥାରେ କୌଣସି ବ୍ୟକ୍ତିର ରକ୍ତ ଦରକାର ପଡ଼ିଲେ ଜଣେ ମଷିଷ ଶରୀରରୁ ସଂଗୃହୀତ ରକ୍ତ ଅନ୍ୟ ଜଣଙ୍କୁ ବଞ୍ଚାଇ ଦିଏ। ଏଣୁ ରକ୍ତଦାନ ହିଁ ଜୀବନ ଦାନ। ବୈଷୟିକ ଶିକ୍ଷାଦାନ ବ୍ୟବସ୍ଥା ସହିତ ରକ୍ତଦାନ ଭଳି ମହାନ କାର୍ଯ୍ୟକ୍ରମକୁ ଏକାଠି କରିଥିବା ଓଡ଼ିଶାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଗାନ୍ଧୀ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଏକ୍ସେଲେଣ୍ଟ ଟେକ୍ନୋକ୍ରାଟ୍‌ସ (ଜିଆଇଇଟି) ପକ୍ଷରୁ ଏକ ରକ୍ତଦାନ ଶିବିର ସ୍ଥାନୀୟ ଘଙ୍ଗାପାଟଣାସ୍ଥିତ ଏହି କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି। ‘ସମ୍ବାଦ-ଆମ ଓଡ଼ିଶା’ ସହଯୋଗ ତଥା କଲେଜର ଭାଇସ ଚେୟାରମ୍ୟାନ ଇଂ. ରାମ ନାରାୟଣ ସାବତଙ୍କ ଦ୍ଵାରା ଆୟୋଜିତ ଏହି ରକ୍ତଦାନ ଶିବିରରେ କଲେଜ୍‌ର ଛାତ୍ରଛାତ୍ରୀ ଓ ସହକର୍ମୀଙ୍କ ସମେତ ମୋଟ ୧୦୦ ଜଣ ସ୍ୱେଚ୍ଛା ରକ୍ତଦାତା ରକ୍ତଦାନ କରିଥିଲେ। ପ୍ରିନ୍‌ସିପାଲ ପ୍ରଫେସର ଡ. ରାଜେନ୍ଦ୍ର କୁମାର ଦାସ ଓ ଭାଇସ୍‌ ପ୍ରିନ୍‌ସପାଲ ପ୍ରଫେସର ସତ୍ୟପ୍ରକାଶ ଦାସ ପ୍ରଦୀପ ପ୍ରଜ୍ଜ୍ଵଳନ ପୂର୍ବକ ରକ୍ତଦାନ ଶିବିର ଉଦ୍‌ଘାଟନ କରିଥିଲେ। ରେଜିଷ୍ଟ୍ରାର ଉତ୍କଳ ରଂଜନ ଦାସ, ଆଡମିନିଷ୍ଟ୍ରେଟିଭ୍‌ ଅଫିସର ଯତୀନ୍ଦ୍ର କୁମାର ମିଶ୍ର, ଡେପୁଟି ଜେନେରାଲ ମ୍ୟାନେଜର ହେମଚନ୍ଦ୍ର ଜେନା, ଏନ୍‌.ଏସ୍‌.ଏସ୍‌. ପକ୍ଷରୁ ପ୍ରଫେସର ଜ୍ୟୋତିରାଜ ପଦ୍ମନ୍‌ ଆଚାର୍ଯ୍ୟ, ପ୍ରଫେସର୍‌ ବିଶ୍ୱରଂଜନ ବେହେରା, ପ୍ରଫେସର୍‌ ମନୋରମା ସୁବୁଦ୍ଧି ଓ ଅମରେଶ ଶତପଥୀ ପ୍ରମୁଖ ଏହି ରକ୍ତଦାନ ଶିବିରକୁ ପରିଚାଳନା କରିଥିଲେ। କେନ୍ଦ୍ରୀୟ ରେଡ୍‌କ୍ରସ୍‌ ରକ୍ତଭଣ୍ଡାର, କଟକର ସହକର୍ମୀମାନେ ଉକ୍ତ ଶିବିରରୁ ରକ୍ତ ସଂଗ୍ରହ କରିଥିଲେ । ‘ଆମ ଓଡ଼ିଶା’ର ରକ୍ତଦାନ କାର୍ଯ୍ୟକ୍ରମ ସଂଯୋଜକ ପ୍ରଭଞ୍ଜନ ପାଣିଗ୍ରାହୀ ଓ ହରେକୃଷ୍ଣ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଶିବିରଟି ଅନୁଷ୍ଠିତ ହୋଇଥିଲା ।

ସମ୍ବନ୍ଧିତ ଖବର