ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମାନୁନି ବିଏମ୍‌ସି, କାମରେ ଲାଗୁନି କଂସେଇଖାନା

ବିମାନବନ୍ଦର ପ୍ରତି ବିପଦ ବଢ଼ୁଛି

ଭୁବନେଶ୍ବର: ୧୦କୋଟି ୨୦ଲକ୍ଷ ଟଙ୍କା ଖର୍ଚ୍ଚ କରି ବିଏମ୍‌ସି ଗାଡ଼କଣ, ଘାଟିକିଆ, ୟୁନିଟ୍‌-୪ରେ ତିନିଟି କଂସେଇଖାନା ନିର୍ମାଣ କଲା। ଉଦ୍ଦେଶ୍ୟ ଥିଲା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା। କିନ୍ତୁ କଂସେଇଖାନା ନିର୍ମାଣକୁ ୨ବର୍ଷ ବିତିବା ପରେ ବି ସୁପ୍ରିମକୋର୍ଟଙ୍କ ନି‌େର୍ଦ୍ଦଶ କାର୍ଯ୍ୟକାରୀ ହୋଇପାରିଲାନି। ନା ମାଂସ ବ୍ୟବସାୟୀ କଂସେଇଖାନାକୁ ଯିବାକୁ ମଙ୍ଗୁଛନ୍ତି ନା ବିଏମ୍‌ସି କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ନେଇ ମାଂସ ବ୍ୟବସାୟୀଙ୍କୁ ସ୍ଥାନାନ୍ତର କରିପାରୁଛନ୍ତି। ବିଏମ୍‌ସିର ଅପାରଗତା ପାଇଁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଉପରେ ସର୍ବଦା ବିପଦ ଚକ୍କର କାଟୁଛି। କେତେବେଳେ ବିମାନ ମଝି ଆକାଶରେ ଜଳିଯିବ ତାହା ବି କହିହେବନି। ବିମାନବନ୍ଦରରୁ ପ୍ରାୟ ୫କିମି ପରିଧି ମଧ୍ୟରେ ମାଂସ ବିକ୍ରି ବନ୍ଦ କରିବା ସହ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ପାଇଁ ବିଏମ୍‌ସି ପକ୍ଷରୁ ଗାଡ଼କଣରେ ୬କୋଟି ୪୦ଲକ୍ଷ ଏବଂ ୟୁନିଟ୍‌-୪ ଓ ଘାଟିକିଆରେ ୩କୋଟି ୮୦ଲକ୍ଷ ଟଙ୍କା ଖର୍ଚ୍ଚ କରି କଂସେଇଖାନା ନିର୍ମାଣ କରାଗଲା। କିନ୍ତୁ ଏଠାକୁ କିପରି ମାଂସ ବ୍ୟବସାୟୀ ସ୍ଥାନାନ୍ତର ହେବେ ସେନେଇ କର୍ତ୍ତୃପକ୍ଷ କିଛି ବି ପଦକ୍ଷେପ ନେଇପାରୁନାହାନ୍ତି। ବରଂ ମାଂସ ବ୍ୟବସାୟୀମାନେ ବିଏମ୍‌ସିକୁ ରୋକଠୋକ୍ ଜଣାଇ ଦେଇଛନ୍ତି ଯେ, ଆମେ କଂସେଇଖାନାକୁ ଯିବୁନି। ଯାହାର ଫଳ ହେଲା କଂସେଇଖାନାରେ ଥିବା ଗେଟ୍‌ ଏବଂ ଅନ୍ୟାନ୍ୟ ସରଞ୍ଜାମରେ କଳଙ୍କି ଲାଗିଗଲାଣି। ବିଏମ୍‌ସି କର୍ତ୍ତୃପକ୍ଷ କଂସେଇଖାନାଗୁଡ଼ିକୁ ବ୍ୟବସାୟୀ ଓ ଗ୍ରାହକଙ୍କ ସୁବିଧା ହେବା ଭଳି ସ୍ଥାନରେ ନିର୍ମାଣ କରି ନଥିବାରୁ ଏହା କାମରେ ଲାଗୁନି ବୋଲି କୁହାଯାଉଛି। ରାଜଧାନୀରେ ଏବେ ପ୍ରାୟ ୬୩୦ଜଣ ମାଂସ ବ୍ୟବସାୟୀ ଥିବାବେଳେ ସମସ୍ତେ ରାସ୍ତା ଉପରେ ଖୁଲମଖୁଲା ମାଂସ ବିକ୍ରି କରୁଛନ୍ତି। କଂସେଇଖାନାକୁ ନଯିବା ନେଇ ୟୁନିଟ-୪ର ଜଣେ ମାଂସ ବ୍ୟବସାୟୀ କହିଛନ୍ତି ଯେ ଲୋକ ମାଂସ କିଣିବାକୁ ଆସିଲେ ସେମାନଙ୍କ ଆଗରେ ମାଂସ କାଟିବାକୁ କହୁଛନ୍ତି। ଏପରିକି କେଉଁ ଛେଳି କଟାଯିବ ସେମାନେ ବାଛୁଛନ୍ତି। କଂସେଇଖାନାରେ ତ ଏ ସୁବିଧା ମିଳିବନି। ଯଦି ସମସ୍ତ ମାଂସ ବ୍ୟବସାୟୀଙ୍କୁ କଂସେଇଖାନାକୁ ଅଣାଯିବ ତେବେ ଅାମର ଯିବାରେ ଅସୁବିଧା ନାହିଁ। ନଚେତ୍ ଯିଏ ବାହାରେ କାଟିବେ ତାଙ୍କ ପାଖକୁ ଲୋକ ଯିବେ ଆଉ କଂସେଇଖାନାକୁ ଲୋକ ଆସିବେନି। ବିଏମ୍‌ସି ସବୁ ମାଂସ ମାର୍କେଟ୍ ନିକଟରେ କଂସେଇଖାନା କରି ସମସ୍ତ ମାଂସ ବ୍ୟବସ‌ାୟୀଙ୍କୁ ଏଠାକୁ ସ୍ଥାନାନ୍ତର କଲେ ଏହି ‌େଯାଜନା ସଫଳ ହେବ।

ଏଏଆଇ ଅନୁରୋଧ ବିଏମ୍‌ସି କର୍ତ୍ତୃପକ୍ଷ ଶୁଣୁନାହାନ୍ତି
ଅପରପକ୍ଷେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର କର୍ତ୍ତୃପକ୍ଷ କଂସେଇଖାନାକୁ ମାଂସ ବ୍ୟବସାୟୀଙ୍କୁ ସ୍ଥାନାନ୍ତର କରିବାକୁ ବାରମ୍ବାର କହୁଥିଲେ ହେଁ ଏହାକୁ କାର୍ଯ୍ୟକାରୀ କରାଯାଉନି। ଫଳରେ ବିମାନବନ୍ଦର ଭିତରକୁ ଏବେ ବହୁ ବନ୍ୟପ୍ରାଣୀ ଅବାଧ ପ୍ରବେଶ କରୁଥିବାବେଳେ ଅଧିକାଂଶ ସମୟରେ ବିମାନ ଅବତରଣ ସମୟରେ ରନ୍‌ୱେ ଉପରକୁ ଆସି ଯାଉଛନ୍ତି। କେବଳ ଏତିକି ନୁହେଁ ବିମାନବନ୍ଦରର ୫କିମି ପରିଧି ଭିତରେ ଚିଲ ଏବଂ ବହୁ ପ୍ରଜାତିର ପକ୍ଷୀ ଉଡ଼ୁଥିବାରୁ ବର୍ଷକୁ ପ୍ରାୟ ୪୦୦ରୁ ୫୦୦ଥର ବିମାନରେ ପକ୍ଷୀ ମାଡ଼ ହେଉଛନ୍ତି। ଏବେ ପର୍ଯ୍ୟନ୍ତ ଏକାଧିକ ଥର ଛୋଟ ଦୁର୍ଘଟଣା ଘଟିଥିଲେ ହେଁ କେତେବେଳେ ଯେ ବଡ଼ ଧରଣର ଦୁର୍ଘଟଣା ନଘଟିବ ତାହା କହିହେବନି।
ଏହାକୁ ନଜରରେ ରଖି ବିମାନବନ୍ଦର କର୍ତ୍ତୃପକ୍ଷ ବିମାନବନ୍ଦର ପରିବେଶ ପରିଚାଳନା କମିଟି (ଏଇଏମ୍‌ସି)ବୈଠକରେ ଏନେଇ ବାରମ୍ବାର ପ୍ରତିବାଦ ଉଠାଇଥିଲେ ହେଁ ଏହାକୁ ବିଏମ୍‌ସି କର୍ତ୍ତୃପକ୍ଷ ଅଣଦେଖା କରିଚାଲିଛନ୍ତି। ନିକଟରେ ଏଇଏମ୍‌ସି ବୈଠକରେ ଏନେଇ ଆଲୋଚନା ହେବା ପରେ ବିଏମ୍‌ସି କର୍ତ୍ତୃପକ୍ଷ ଏହାର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ଓୟୁଏଟି ଭିତରେ ଥିବା ପୋଖରୀ ପୋତା ହେବ
ଓୟୁଏଟି ଭିତରେ ଥିବା ବିଭିନ୍ନ ଛୋଟଛୋଟ ପୋଖରୀ ଏବେ ବିମାନବନ୍ଦର ପାଇଁ ବିପଦ ସାଜିଛି। ଏହି ପୋଖରୀରୁ ମାଛ ଖାଇବାକୁ ପକ୍ଷୀ ଆସୁଥିବାରୁ ବିମାନର ଉଡ଼ାଣ ରାସ୍ତାରେ ପକ୍ଷୀଗୁଡ଼ିକ ଉଡ଼ୁଛନ୍ତି। ଏହାଦ୍ବାରା ବିମାନରେ ପକ୍ଷୀ ମାଡ଼ ହେଉଛନ୍ତି। ତେଣୁ ଏହି ସବୁ ପୋଖରୀକୁ ପୋତିବାକୁ ନିଷ୍ପତ୍ତି ହୋଇଛି। ଖୁବ୍ ଶୀଘ୍ର ବିମାନବନ୍ଦର ନିର୍ଦ୍ଦେଶକଙ୍କ ନେତୃତ୍ବରେ ଏକ ଟିମ୍ ଓୟୁଏଟି କୁଳପତିଙ୍କୁ ଭେଟି ଏନେଇ ଆଲୋଚନା କରିବା ସହ ପଦକ୍ଷେପ ନେବ ବୋଲି ନିଷ୍ପତ୍ତି ହୋଇଛି। ସେହିପରି ଓୟୁଏଟିର ବହୁ କ୍ଷେତ ଏବେ ପକ୍ଷୀ ଓ ପଶୁଙ୍କ ବାସସ୍ଥଳୀ ପାଲଟିଥିବାରୁ ଏହାକୁ ସ୍ଥାନାନ୍ତର କରିବାକୁ କୁହାଯାଇଛି। ସେହିପରି ବିମାନବନ୍ଦର ନିକଟବର୍ତ୍ତୀ ଅଞ୍ଚଳରେ ଥିବା ସମସ୍ତ ଖୋଲା ଡ୍ରେନ୍ ଉପରେ ସ୍ଲାବ୍ ପକାଇବାକୁ ପୂର୍ତ୍ତ ସଚିବ ଓ ଭୁବନେଶ୍ବର ଅଧୀକ୍ଷଣ ଯନ୍ତ୍ରୀଙ୍କୁ କୁହାଯାଇଛି।

ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ସାହାଯ୍ୟ ଲୋଡ଼ିଲେ
ବିମାନବନ୍ଦର ପାଚେରି ଡେଇଁ ବିଲୁଆ, ଗଧିଆ, କୋକିଶିଆଳି ଭଳି ଜନ୍ତୁ ଆସୁଛନ୍ତି। ଏପରିକି ବିମାନ ଅବତରଣ ସମୟ‌େର ହଠାତ୍ ବିମାନ ତଳକୁ ଚାଲି ଆସୁଥିବାରୁ ବଡ଼ ଧରଣର ଦୁର୍ଘଟଣା ଘଟିବାର ଆଶଙ୍କା ସୃଷ୍ଟି ହେଉଛି। ତୁରନ୍ତ ଏହାର ପଦକ୍ଷେପ ନେବାକୁ କୁହାଯାଇଛି। ବିମାନବନ୍ଦର କର୍ତ୍ତୃପକ୍ଷ ଏନେଇ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ପଦକ୍ଷେପ ନେବେ ବୋଲି କୁହାଯାଇଛି।

ଓୟୁଏଟି ବସ୍ତି ତୁରନ୍ତ ହଟାଅ
ବିମାନବନ୍ଦର ସମ୍ପ୍ରସାରଣରେ ଓୟୁଏଟି ବସ୍ତି ବାଧକ ସାଜୁଥିଲେ ହେଁ ବିଏମ୍‌ସି କର୍ତ୍ତୃପକ୍ଷ ଏହାକୁ ହଟାଇ ପାରୁନାହାନ୍ତି। ଏନେଇ ବିଏମ୍‌ସି କର୍ତ୍ତୃପକ୍ଷ କହିଛନ୍ତି ପୁରୁଷ ହକି ବିଶ୍ବକପ୍‌ ପାଇଁ ବସ୍ତି ବାସିନ୍ଦାଙ୍କୁ ହଟାଯାଇପାରିନି। ଜାନୁଆରି ୧୫ରେ ମୁଖ୍ୟ ଶାସନ ସଚିବ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ମଧ୍ୟରେ ଏକ ବୈଠକ ବସି ଆଲୋଚନା ହେବା ପରେ ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି।

ବରମୁଣ୍ଡା ଓ ଭୀମଟାଙ୍ଗିରେ ବାଣ ବନ୍ଦ କର
ରାଜଧାନୀ ଆକାଶରେ ଏବେ ଆକାଶ ଛତା, ରକେଟ୍‌ ଏବଂ ବିଭିନ୍ନ ବାଣ, ଲେଜର୍ ଲାଇଟ୍‌ ଦେଖିବାକୁ ମିଳୁଛି। ଏହାଦ୍ବାରା ବିମାନକୁ ବିପଦ ସୃଷ୍ଟି ହେଉଛି। ଏନେଇ କମିସନରେଟ୍ ପୁଲିସକୁ ବାରମ୍ବାର ଜଣାଇବା ସତ୍ତ୍ବେ ବି କିଛି ଫରକ ପଡ଼ୁନି। ତେଣୁ ଏନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ବିମାନବନ୍ଦର କର୍ତ୍ତୃପକ୍ଷ କହିଛନ୍ତି। ବିଶେଷକରି ବରମୁଣ୍ଡା ଓ ଭୀମଟାଙ୍ଗି ଅଞ୍ଚଳରେ ଯେପରି କେହି ଆକାଶକୁ ଉଠୁଥିବା ବାଣ ନଫୁଟାନ୍ତି ସେଥିପାଇଁ ପଦକ୍ଷେପ ନେବାକୁ ଡିସିପିଙ୍କୁ କୁହାଯାଇଛି। ଖୁବ୍ ଶୀଘ୍ର ଏନେଇ ସ୍ଥାନୀୟ ଏସିପି ଓ ବିମାନବନ୍ଦର ନିର୍ଦ୍ଦେଶକ ବୈଠକ କରି ନିଷ୍ପତ୍ତି ନେବାକୁ କୁହାଯାଇଛି। ସେହିପରି ବିମାନ ଯାତାୟତ ରାସ୍ତାରେ ଉଚ୍ଚ କ୍ଷମତାସଂପନ୍ନ ବିଦ୍ୟୁତ ତାର ଯାଇଥିବାରୁ ଏହାକୁ ସ୍ଥାନାନ୍ତରଣ କରିବାକୁ ସେସୁ ଅଧୀକ୍ଷଣ ଯନ୍ତ୍ରୀଙ୍କୁ କୁହାଯାଇଛି।

 

ସମ୍ବନ୍ଧିତ ଖବର