ଦୁଷ୍କର୍ମ ପରେ ଯୁବତୀଙ୍କୁ ଜାଳିଦେଲେ! ରାସ୍ତା କଡ଼ରୁ ଅର୍ଦ୍ଧଦଗ୍ଧ ଶବ ଉଦ୍ଧାର କଲା ପୁଲିସ
ଭଙ୍ଗାଶଙ୍ଖା, ପାଉଁଜି ଓ ମଦବୋତଲ ଜବତ, ସୀମା ବିବାଦକୁ ନେଇ ପୁଲିସ ତଦନ୍ତରେ ବିଳମ୍ବ
ଖୋର୍ଧା: ଜେଣ ଯୁବତୀଙ୍କୁ ହତ୍ୟାକରି ଜାତୀୟ ରାଜପଥ ପାର୍ଶ୍ବରେ ପୋଡ଼ି ଦେଇଛନ୍ତି ଦୁର୍ବୃତ୍ତ। ରଜ ଅବସରରେ ସ୍ଥାନୀୟ ଅଞ୍ଚଳ ଉତ୍ସବମୁଖର ଥିବା ବେଳେ ଏପରି ଏକ ଘଟଣା ଚାଞ୍ଚଲ୍ୟ ଖେଳାଇଦେଇଛି। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ପୁଲିସ ଅର୍ଦ୍ଧଦଗ୍ଧ ଶବଟିକୁ ଜବତ କରିଛି। ଦୁଷ୍କର୍ମ ପରେ ପ୍ରମାଣ ନଷ୍ଟ କରିବାକୁ ଦୁର୍ବୃତ୍ତମାନେ ଯୁବତୀର ମୃତଦେହକୁ ଜାଳି ଦେଇଥିବା ସନ୍ଦେହ କରାଯାଉଛି। ଗତକାଲି ରାତିରେ ଏହି ଘଟଣା ଘଟିଥିଲେ ମଧ୍ୟ ଆଜି ସକାଳ ଯାଏ ସେଠାରେ ମୃତଦେହ ଜଳୁଥିଲା। ତେବେ ଯୁବତୀଙ୍କ ଶରୀରର ଉପର ଅର୍ଦ୍ଧେକ ସମ୍ପୂର୍ଣ୍ଣ ପୋଡ଼ି ଯାଇଥିବାରୁ ତାଙ୍କ ପରିଚୟ ମିଳି ପାରିନାହିଁ। ଅପରପକ୍ଷେ ମୃତଦେହ ଜଳୁଥିବା ସ୍ଥାନକୁ ନେଇ ବାଣପୁର ଓ ବାଲୁଗାଁ ଥାନା ମଧ୍ୟରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଟଣାଓଟରା ଲାଗି ରହିବା ପରେ ଶେଷରେ ପ୍ରଶାସନର ହସ୍ତକ୍ଷେପ ପରେ ଘଟରାର ତଦନ୍ତ ଦାୟିତ୍ବ ବାଲୁଗାଁ ଥାନାକୁ ହସ୍ତାନ୍ତର କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ବାଲୁଗାଁ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ସରନଈ ଓଭରବ୍ରିଜ ପାର୍ଶ୍ବରେ ଭୋର ସମୟରେ ଏକ ମୃତଦେହ ଜଳୁଥିବା ଦେଖି ସ୍ଥାନୀୟ ଲୋକ ବାଲୁଗାଁ ଥାନା ପୁଲିସକୁ ଖବର ଦେଇଥିଲେ। ବାଲୁଗାଁ ପୁଲିସ ପହଞ୍ଚି ଘଟଣାସ୍ଥଳଟି ବାଣପୁର ଥାନା ଇଲାକାରେ ହୋଇଥିବା ଅନୁମାନ କରି ବାଣପୁର ପୁଲିସକୁ ଖବର ଦେଇଥିଲେ। ଉଭୟ ଥାନାର ପୁଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ମୃତଦେହର ୭୦ ଭାଗରୁ ଉର୍ଦ୍ଧ୍ବ ଅଂଶ ପୋଡି ଯାଇଥିବାରୁ ଏହାର ପରିଚୟ ଜଣା ପଡ଼ି ନ ଥିଲା। ମୃତଦେହର ମୁହଁକୁ ଗୋଟିଏ ସବୁଜ ରଙ୍ଗର ଓଢଣୀ ଦ୍ବାରା ଗୁଡ଼ାଇ ଦିଆଯାଇଥିବା ବେଳେ ଶରୀରର ନିମ୍ନ ଭାଗରେ କୈାଣସି ବସ୍ତ୍ର ନ ଥିଲା। ମୃତକଙ୍କ ପରିଚୟ ଲୁଚାଇବା ପାଇଁ ଦୁବୃର୍ତ୍ତମାନେ ୪ଟି ଟାୟାରରେ ମୃତଦେହଟିକୁ ଛନ୍ଦି ଦେଇ ପେଟ୍ରୋଲ ପକାଇ ଜାଳି ଦେଇଥିଲେ। ମୃତଦେହ ନିକଟରେ ଦୁଇଟି ଭଙ୍ଗା ନାଲି ରଙ୍ଗର ଶଙ୍ଖା ପଡ଼ିଥିବା ବେଳେ ଘଟଣାସ୍ଥଳର ଅଳ୍ପ ଦୂରରେ ଖାଲି ମଦ ବୋତଲ ଓ ବାଇକ ଚକର ଦାଗ ରହିଛି। ସମ୍ଭବତଃ ଯୁବତୀଙ୍କୁ ଅନ୍ୟ କୌଣସିଠାରେ ଦୁଷ୍କର୍ମ ପରେ ଦୁବୃର୍ତ୍ତମାନେ ହତ୍ୟା କରିଛନ୍ତି। ଘଟଣାସ୍ଥଳଟି ନିକାଞ୍ଚନ ହୋଇଥିବାରୁ ମୃତଦେହଟିକୁ ଗାଡ଼ିରେ ଆଣି ଏଠାରେ ପୋଡ଼ି ଦେଇଥିବା ଅନୁମାନ କରାଯାଉଛି। ଆଖପାଖ ଥାନା ଅଞ୍ଚଳର ନିଖୋଜ ଯୁବତୀଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରି ପୁଲିସ ଘଟଣାର ଅନୁସନ୍ଧାନ ଚଳାଇଛି। ଅପରାହ୍ଣରେ ଭୁବନେଶ୍ବର ସାଇଣ୍ଟିଫିକ ଟିମ ସନ୍ଧାନୀ କୁକୁର ସହ ଖୋର୍ଦ୍ଧା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ କୃତ୍ତିବାସ ଜେନା, ବାଲୁଗାଁ ଉପଖଣ୍ତ ଆରକ୍ଷୀ ଅଧିକାରୀ ଦାୟିତ୍ବରେ ଥିବା ଓମ୍ ପ୍ରକାଶ ପାତ୍ର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି।