ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀଙ୍କ ୟୁ-ଟର୍ଣ୍ଣ : ଦିନତମାମ ଡ୍ରାମା

କ୍ୟାମ୍ପସ୍‌ରେ ଅଶାନ୍ତି

ରାସ୍ତା ଅବରୋଧ, ସାଧାରଣ ଲୋକେ ହନ୍ତସନ୍ତ
ଆମ୍ବୁଲାନ୍ସକୁ ଛାଡ଼ିଲେନି, ରୋଗୀ ନାକେଦମ୍‌

ଭୁବନେଶ୍ୱର : ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀଙ୍କ ଦ୍ୱାରା ଚାଲିଥିବା ଆନ୍ଦୋଳନକୁ ଚାପିବାରେ ସକ୍ଷମ ହୋଇଛନ୍ତି ରାଜ୍ୟ ସରକାର। ଦାବି ପୂରଣ ନ କରି ଛାତ୍ରୀଙ୍କୁ ବୁଝାଇ ଦେଇଛନ୍ତି। ଏବେ ନୁହେଁ। ପରେ କୁଳପତିଙ୍କ ସହ ଆଲୋଚନା କରି ପଦକ୍ଷେପ ନିଆଯିବ। ପାଠପଢ଼ା ପ୍ରତି ଧ୍ୟାନ ଦିଅ। ଆନ୍ଦୋଳନ କରିବା ଦ୍ୱାରା କିଛି ଲାଭ ହେବ ନାହିଁ। ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ଏଭଳି ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଛନ୍ତି ଛାତ୍ର ସଂସଦର ନେତ୍ରୀମାନେ। ଦାବି ପୂରଣ ହୋଇ ନ ଥିବା ବେଳେ ଛାତ୍ରୀନେତ୍ରୀଙ୍କ ୟୁ-ଟର୍ଣ୍ଣକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଦିନତମାମ ରାଜରାସ୍ତାରେ ଗଳାଫଟାଇ ଚିତ୍କାର କରି ସାଧାରଣ ଲୋକଙ୍କୁ ହଇରାଣ କରିବା ପରେ ଆନ୍ଦୋଳନରୁ ଓହରିବା ପଛରେ କାହାର ସ୍ୱାର୍ଥ ରହିଛି ବୋଲି ଛାତ୍ରୀମାନେ ପ୍ରଶ୍ନ କରିଛନ୍ତି।

ଗତ ୩ ଦିନ ପରି ଆଜି ପୂର୍ବାହ୍ନ ୧୧ଟାରେ ଛାତ୍ରୀମାନେ ମୁଖ୍ୟଫାଟକରେ ତାଲା ପକାଇବା ସହ ଉଚ୍ଚଶିକ୍ଷା ମନ୍ତ୍ରୀ, ସଚିବ, କୁଳପତିଙ୍କ ବିରୋଧରେ ଗର୍ଜିଥିଲେ। ରମାଦେବୀ ସ୍ୱୟଂଶାସିତ ମହିଳା ମହାବିଦ୍ୟାଳୟର ସ୍ଥିତି ବଜାୟ ରଖିବା ଓ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଦ୍ୱିତୀୟ କ୍ୟାମ୍ପସ ଚିହ୍ନଟ ଦାବିରେ ଜାତୀୟ ରାଜପଥ ଅବରୋଧ କରିବାକୁ ବି ଅଗ୍ରସର ହୋଇଥିଲେ। ବାଟରେ ପୁଲିସ ସେମାନଙ୍କୁ ଅଟକାଇଥିଲା। ପରେ ଛାତ୍ରୀଙ୍କର ଏକ ୫ ଜଣିଆ ପ୍ରତିନିଧି ଦଳ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ଓ ବିଭାଗୀୟ ସଚିବଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ। ଦୁଇ ଘଣ୍ଟା ଧରି ଆଲୋଚନା କରିଥିଲେ ମଧ୍ୟ କିଛି ଫଳ ମିଳି ନ ଥିଲା। ଦାବି ଯୁକ୍ତିଯୁକ୍ତ ନୁହେଁ ବୋଲି ମନ୍ତ୍ରୀ କହିଥିବା ଛାତ୍ର ସଂସଦ ସଭାପତି ସୌଭାଗ୍ୟ ସୌମ୍ୟାଶ୍ରୀ ସାମଲ ଛାତ୍ରୀମାନଙ୍କୁ କହିଥିଲେ। ଏହାପରେ ଛାତ୍ରୀମାନେ ଉତ୍ତ୍ୟକ୍ତ ହୋଇ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ରାସ୍ତା ଅବରୋଧ କରିଥିଲେ। ଫଳରେ ବାଣୀବିହାରରୁ ମାଷ୍ଟରକ୍ୟାଣ୍ଟିନ୍‌ ରାସ୍ତାରେ ଯାତାୟାତ ବନ୍ଦ ହୋଇଥିଲା। ଜନଗହଳିପୂର୍ଣ୍ଣ ଏହି ରାସ୍ତାରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ବାଣୀବିହାର ଛକରେ ଟ୍ରାଫିକ୍‌ ସମସ୍ୟା ବି ଉପୁଜିଥିଲା। ଏପରିକି ଏକ ଆମ୍ବୁଲାନ୍ସ ଏହି ରାସ୍ତାରେ ଯାଉଥିଲେ ମଧ୍ୟ ତାକୁ ଅଟକାଇ ଦେଇଥିଲେ। ପ୍ରାୟ ୧୦ ମିନିଟ୍‌ ଧରି ଆମ୍ବୁଲାନ୍ସରେ ଥିବା ରୋଗୀ ଛଟପଟ ହୋଇଥିଲେ।

ପୁଲିସ ପହଞ୍ଚି ବୁଝାସୁଝା କରିଥିଲା। ଛାତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ବୋଲି ଜିଦି ଧରିବାରୁ ସେମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ନିଆଯାଇଥିଲା। ସେଠାରେ ସେମାନେ ଦାବିପତ୍ର ଦେଇଥିଲେ। ଫେରିବା ପରେ ଛାତ୍ରୀ ସଂସଦ ସଭାପତି ସୌଭାଗ୍ୟ ସୌମ୍ୟାଶ୍ରୀ ସାମଲ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଆମ ଦାବିପତ୍ର ଗ୍ରହଣ କରିଛି। ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ପ୍ରତିଶ୍ରୁତି ଦେଇଛନ୍ତି ଯେ, ସେ ଉଚ୍ଚଶିକ୍ଷା ମନ୍ତ୍ରୀ ଓ ସଚିବଙ୍କ ସହ ସମସ୍ୟାର ସମାଧାନ ନେଇ ଆଲୋଚନା କରିବେ। କୁଳପତି ଫେରିବା ପରେ ଦ୍ୱିତୀୟ କ୍ୟାମ୍ପସ ସମସ୍ୟାର ତୁରନ୍ତ ସମାଧାନ ହେବ। ଏହାକୁ ଦୃଷ୍ଟିରେ ରଖି ଆନ୍ଦୋଳନରୁ ଓହରିଯାଉଛୁ। ପାଠପଢ଼ା ବାଧାପ୍ରାପ୍ତ ନ ହୁଏ ସେଥିପ୍ରତି ଧ୍ୟାନ ଦିଆଯିବ।

ଛାତ୍ର ସଂସଦର ଏଭଳି ନିଷ୍ପତ୍ତି ପରେ ସକାଳେ କ୍ୟାମ୍ପସରେ ଥିବା ଛାତ୍ର ବିଜେଡି, ଏବିଭିପି, ଛାତ୍ର କଂଗ୍ରେସ ଛାତ୍ରୀନେତ୍ରୀଙ୍କୁ ନେଇ ସୃଷ୍ଟି ହୋଇଥିବା ମହାମେଣ୍ଟରେ ଫାଟ ସୃଷ୍ଟି ହୋଇଛି। ଦିନ ସାରା କ୍ୟାମ୍ପସ ସମ୍ମୁଖରେ ଡ୍ରାମା କରାଯାଇ ଛାତ୍ରୀଙ୍କୁ ଭୁଆଁ ବୁଲାଯାଉଥିଲା ବୋଲି କେତେଜଣ ଛାତ୍ରୀନେତ୍ରୀ ଅଭିଯୋଗ କରିଛନ୍ତି। ବିଶ୍ୱବିଦ୍ୟାଳୟ ସ୍ୱାର୍ଥ ବଦଳରେ ସମସ୍ତେ ନିଜ ସ୍ୱାର୍ଥ ପାଇଁ କାମ କରୁଛନ୍ତି ବୋଲି ସେମାନେ କହିଛନ୍ତି।

ଆନ୍ଦୋଳନ ପଛରେ ଛାତ୍ରନେତା
ଛାତ୍ରୀଙ୍କ ଏହି ଆନ୍ଦୋଳନ ପଛରେ ଛାତ୍ରନେତାଙ୍କ ହାତ ରହିଥିବା ଆଜି ଦେଖିବାକୁ ମିଳିଥିଲା। ଛାତ୍ରନେତାମାନେ ଯେଉଁଭଳି କରିବାକୁ କହୁଥିଲେ ଛାତ୍ରୀନେତ୍ରୀମାନେ ସେଭଳି କରୁଥିଲେ। ଫାଟକ ଆଗରେ ବସିବାଠାରୁ ଆଲୋଚନାକୁ ଯିବା ପର୍ଯ୍ୟନ୍ତ ପ୍ରତିଟି କ୍ଷେତ୍ରରେ ଛାତ୍ରନେତାଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା। ଛାତ୍ରନେତାମାନେ ମଧ୍ୟ ଫୋନ୍‌ ଯୋଗେ ଆନ୍ଦୋଳନ କିଭଳି ହେବ? କାହା ପାଖକୁ ଯିବାକୁ ପଡ଼ିବ? ଆନ୍ଦୋଳନ ଚାଲିବ କି ନାହିଁ? ପ୍ରତିଟି ବିଷୟରେ କହୁଥିବା ଦେଖିବାକୁ ମିଳିଥିଲା।

କର୍ତୃପକ୍ଷଙ୍କ ଦେଖା ମିଳିଲାନି
ତୃତୀୟ ଦିନ ଲାଗି ଛାତ୍ରୀମାନେ ଆନ୍ଦୋଳନ କରିଥିବା ବେଳେ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷଙ୍କ ଦେଖା ମିଳି ନ ଥିଲା। କୁଳପତି ୭ ଦିନିଆ ଛୁଟିରେ ଯାଇଛନ୍ତି। ଛାତ୍ରୀ ଆନ୍ଦୋଳନ ସମୟରେ ସେ କ୍ୟାମ୍ପସରେ ଅନୁପସ୍ଥିତ ରହିବାକୁ ନେଇ ପ୍ରଶ୍ନ ଉଠିଛି। ଛାତ୍ରୀମାନେ ରାସ୍ତା ଅବରୋଧ କରିଥିଲେ ମଧ୍ୟ କୌଣସି ବି ଅଧିକାରୀ ପିଲାଙ୍କ ନିକଟକୁ ଆସି ନ ଥିଲେ। ବୁଝାଇବା ତ ଦୂରର କଥା ଆନ୍ଦୋଳନ ସ୍ଥଳକୁ ହିଁ ଆସି ନ ଥିଲେ। ଏହାକୁ ନେଇ ଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା।

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଭେଟିଲେ ଅଧ୍ୟାପକ
ସନ୍ଧ୍ୟାରେ ଅଧ୍ୟାପକମାନଙ୍କ ଏକ ପ୍ରତିନିଧି ଦଳ ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ଓ ବିଭାଗୀୟ ଅଧିକାରୀଙ୍କୁ ଭେଟିଛନ୍ତି। ବିଶ୍ୱବିଦ୍ୟାଳୟରୁ ପଦବି ଉଚ୍ଛେଦ ନେଇ ଆଲୋଚନା କରିଛନ୍ତି। ପ୍ରାୟ ଏକ ଘଣ୍ଟା ଧରି ଆଲୋଚନା ହୋଇଛି। ଅଧ୍ୟାପକଙ୍କ ଲାଗି ସୃଷ୍ଟି ହେବାକୁ ଥିବା ସମସ୍ୟାଗୁଡ଼ିକର କିଭଳି ସମାଧାନ ହୋଇପାରିବ ସେନେଇ ଆଲୋଚନା କରାଯାଇଛି। ଉଭୟଙ୍କ ମଧ୍ୟରେ ହୋଇଥିବା ବୈଠକ ସଫଳ ହୋଇଥିବା ଜଣାପଡ଼ିଛି।

ସିଇଟିକୁ ବିଶ୍ୱବିଦ୍ୟାଳୟ ଦାବିରେ ଅନଶନ

ଖଣ୍ଡଗିରି : ଭୁବନେଶ୍ୱରସ୍ଥିତ କଲେଜ ଅଫ୍‌ ଇଂଜିନିୟରିଂ ଆଣ୍ଡ୍‌ ଟେକ୍ନୋଲୋଜି(ସିଇଟି)କୁ ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରଦାନ ଦାବିରେ ସୋମବାରଠାରୁ ଛାତ୍ରଛାତ୍ରୀମାନେ ଅନଶନ ଆରମ୍ଭ କରିଛନ୍ତି। ଦୀର୍ଘ ୫ ବର୍ଷ ହେଲା ଶାନ୍ତିପୂର୍ଣଭାବେ ଚାଲି ଆସିଥିବା ଆନ୍ଦୋଳନକୁ ସବୁ ସ୍ତରରେ ଅଣଦେଖା କରାଯାଉଥିବାରୁ ଛାତ୍ରଛାତ୍ରୀମାନେ ଏଭଳି ଚରମ ନିଷ୍ପତ୍ତି ନେଇଛନ୍ତି। ତେବେ ଅନଶନ ଯୋଗୁଁ ଆଜି ୩ ଜଣ ଛାତ୍ର ଅସୁସ୍ଥ ହୋଇପଡ଼ିବାରୁ ସେମାନଙ୍କୁ ମେଡିକାଲ୍‌ରେ ଭର୍ତି କରାଯାଇଛି। ଏହା ସତ୍ୱେ ଆଜି ପ୍ରଶାସନ କିମ୍ବା ଶିକ୍ଷା ବିଭାଗ ପକ୍ଷରୁ କେହି ବି ଅଧିକାରୀ ଅନଶନରତ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିନାହାନ୍ତି। ଫଳରେ ଛାତ୍ରଛାତ୍ରୀମାନଙ୍କ ଭିତରେ ତୀବ୍ର ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି।

ଛାତ୍ରଛାତ୍ରୀ କହିଛନ୍ତି ଯେ ବିପିୟୁଟି ଅଧୀନରେ ଥିବାରୁ ଏଠାରେ ପଢ଼ୁଥିବା ମେଧାବୀ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ଅନ୍ଧାର ଭିତରକୁ ଠେଲି ହୋଇଯାଉଛି। ପ୍ରଥମତଃ ପ୍ଲେସ୍‌ମେଣ୍ଟରେ ସେମାନେ ସବୁଠାରୁ ବଡ଼ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିପିୟୁଟି ଅଧୀନସ୍ଥ ହୋଇଥିବାରୁ ବିଭିନ୍ନ ବହୁ ନାମୀଦାମୀ କମ୍ପାନି ଏଠାକୁ ଆସିବାକୁ ନାକ ଟେକୁଛନ୍ତି। ବିପିୟୁଟି ଅଧୀନ ବହୁ ଘରୋଇ କଲେଜର ପରୀକ୍ଷା ପରିଚାଳନାରେ ବ୍ୟାପକ ଅନିୟମିତତାର ବଦ୍‌ନାମ ଥିବାରୁ ସିଇଟି ମଧ୍ୟ ସେଥିରୁ ବାଦ୍‌ ପଡ଼ୁନାହିଁ। ସେହିଭଳି ବିପିୟୁଟିର ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ୱରରୁ ୪ଶହ କିଲୋମିଟର ଦୂରରେ ଥିବାରୁ ବହୁ ସମୟରେ ଛାତ୍ରଛାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିପିୟୁଟିର ପରୀକ୍ଷା, ପରୀକ୍ଷାଖାତା ମୂଲ୍ୟାୟନ ଓ ପରୀକ୍ଷାଫଳ ପ୍ରକାଶନରେ ବହୁ ସମସ୍ୟା ରହୁଥିବାରୁ ଛାତ୍ରଛାତ୍ରୀମାନେ ସବୁ କ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ପରୀକ୍ଷା ବାତିଲ୍‌କୁ ନେଇ ଡିଡିସିଇରେ ଉତ୍ତେଜନା

ଭୁବନେଶ୍ୱର : ଯୁକ୍ତ୩ ଦ୍ୱିତୀୟ ବର୍ଷ ପରୀକ୍ଷା ବାତିଲ ହେବାକୁ ନେଇ ଆଜି ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ଡିଡିସିଇରେ ଉତ୍ତେଜନା ପ୍ରକାଶ ପାଇଥିଲା। ଛାତ୍ରଛାତ୍ରୀ ଡିଡିସିଇ ମୁଖ୍ୟ ଫାଟକରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଛାତ୍ରଛାତ୍ରୀଙ୍କ କହିବାନୁଯାୟୀ ଆଜି ଯୁକ୍ତ ତିନି ଦ୍ୱିତୀୟ ବର୍ଷ ବ୍ୟାକ୍‌ ପେପର ପରୀକ୍ଷା ‘ଏମ୍‌ଆଇଏଲ୍‌’ ରହିଥିଲା। ମାତ୍ର ପ୍ରଶ୍ନପତ୍ରରେ ତ୍ରୁଟି ଥିବାରୁ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ଏହାଦ୍ୱାରା ଶତାଧିକ ଛାତ୍ରଛାତ୍ରୀ ହଇରାଣ ହୋଇଛନ୍ତି ବୋଲି ସେମାନେ ଅଭିଯୋଗ କରିଥିଲେ। ଉତ୍କଳ ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକଙ୍କ ସମେତ ଅନ୍ୟ ଅଧିକାରୀମାନେ ବୁଝାସୁଝା କରିବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା।

ସମ୍ବନ୍ଧିତ ଖବର