ଭୁବନେଶ୍ୱର: ୨୦୦୮ ମସିହାର କଥା। ହଠାତ୍ ଜଣାପଡ଼ିଲା ତାଙ୍କୁ ରକ୍ତ କର୍କଟ ହୋଇଛି। ତାହା ପୁଣ ଦ୍ୱିତୀୟ ପର୍ଯ୍ୟାୟରେ। ଡାକ୍ତର କହିଲେ ସଙ୍ଗେ ସଙ୍ଗେ ବୋନ୍ ମ୍ୟାରୋ ପ୍ରତ୍ୟାରୋପଣ ନ କଲେ ୮/୧୦ ମାସ ମଧ୍ୟରେ ମୃତ୍ୟୁ ନିଶ୍ଚିତ। ଚିକିତ୍ସା ପାଇଁ ଦରକାର ଥିଲା ୫୦ ଲକ୍ଷରୁ ଊର୍ଧ୍ୱ ଟଙ୍କା। ଟଙ୍କାର ଅଭାବ ନଥିଲା। କିନ୍ତୁ ସାମ୍ନାରେ ଥିଲା ଦିବ୍ୟାଙ୍ଗ ପୁଅର ରୋଗୀଣା ମୁହଁ। ମା’ର ମମତା ଓ ବାତ୍ସଲ୍ୟତା ତାଙ୍କୁ ଏକ କଠୋର ନିଷ୍ପତ୍ତି ନେବାକୁ ବାଧ୍ୟ କରିଥିଲା। ନିଜ ଜୀବନ ବଦଳରେ ପାଳିତ ପୁତ୍ରର ଭବିଷ୍ୟତ ବାଛିନେଲେ। ଦେବକୀ ନହେଲେ ବି ଯଶୋଦା ସାଜି ମାତୃତ୍ୱର ଏପରି ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ବିଜୟଲକ୍ଷ୍ମୀ କର। ତାଙ୍କର ଏହି ମାତୃତ୍ୱ ଓ ତ୍ୟାଗ ଆଗରେ ମୃତ୍ୟୁ ବି ତାଙ୍କ ପାଖରେ ହାର ମାନିଛି। ଡାକ୍ତରମାନଙ୍କ ଭବିଷ୍ୟବାଣୀକୁ ଭୁଲ୍ ପ୍ରମାଣିତ କରି ୧୦ ମାସ ବଦଳରେ ସେ ୧୦ ବର୍ଷ ଜିଇଁଲେଣି। ଏହା ବି କାଳେ ତାଙ୍କ ପୁଅ ଯୋଗୁଁ ସମ୍ଭବ ହୋଇଛି ବୋଲି କୁହନ୍ତି ବାଦଲର ଯଶୋଦା ମା’ ବିଜୟଲକ୍ଷ୍ମୀ। ୫୭ ବର୍ଷୀୟା ବିଜୟଲକ୍ଷ୍ମୀ ଆରତି ଫାଇନାନ୍ସର ପରିଚାଳନା ନିର୍ଦ୍ଦେଶିକା ହୋଇଥିବାରୁ ଧନ ସମ୍ପତ୍ତିର ଅଭାବ ନାହିଁ। ନିଜ ଡ୍ରାଇଭର୍ର ପୁଅ ବାଦଲ ବେହେରା ଜନ୍ମ ହେବା ବେଳେ କିଛି ଅସ୍ୱାଭାବିକତା ପରିଲକ୍ଷିତ ହୋଇଥିଲା। ଗରିବ ମା’ ବାପାଙ୍କ ପାଖରେ ତାଙ୍କ ଚିକିତ୍ସା ସମ୍ଭବ ହେଉ ନଥିବାରୁ ବାଦଲକୁ କୋଳେଇ ନେଇଥିଲେ ବିଜୟଲକ୍ଷ୍ମୀ। କଟକ ଶିଶୁଭବନରେ ୨୫ ଦିନ ଚିକିତ୍ସା ପରେ ବାଦଲଙ୍କୁ ସେ ନିଜ ଘରକୁ ଆଣି ସେବା ଯତ୍ନ କରିଥିଲେ। ବାଦଲକୁ ୮ ମାସ ହୋଇଥିବା ବେଳେ ଜଣାପଡ଼ିଲା ତା’ର ଆଖିର ସ୍ନାୟୁ ଶୁଖିଯାଇଛି। ଜୀବନ ସାରା ସେ କେବେ ଦେଖିପାରିବନି। ଏହା ବିଜୟଲକ୍ଷ୍ମୀଙ୍କୁ ବହୁତ କଷ୍ଟ ଦେଇଥିଲା। ପରେ ତା’ର ଉତ୍ତମ ସେବା ଯତ୍ନ ପାଇଁ ବିଜୟଲକ୍ଷ୍ମୀ ଦୃଷ୍ଟିହୀନ ସଂଘର ସଦସ୍ୟତା ଗ୍ରହଣ କରି ଦୃଷ୍ଟିହୀନ ସନ୍ତାନଙ୍କ ସେବାଯତ୍ନ କେମିତି ହୁଏ ଶିଖିଲେ। ପରେ ବାଦଲର ମସ୍ତିଷ୍କ ପକ୍ଷାଘାତ ରୋଗ ଚିହ୍ନଟ ହୋଇଥିଲା। ଯାହା ଫଳରେ ବିନା ସାହାରାରେ ସେ ବସିବା ଉଠିବା ସମ୍ଭବ ହେବ ନାହିଁ ଓ ଜୀବନ ସାରା ତାକୁ ଫିଜିଓଥେରାପି ନେବାକୁ ପଡ଼ିବ ବୋଲି କୁହାଗଲା।
Sambad is now on WhatsApp
Join and get latest news updates delivered to you via WhatsApp
ଏତିକି ବେଳେ ଦୁର୍ଭାଗ୍ୟକୁ ୨୦୦୮ରେ ବିଜୟଲକ୍ଷ୍ମୀଙ୍କ ରକ୍ତ କର୍କଟ ରୋଗ ଚିହ୍ନଟ ହୋଇଥିଲା। ବୋନ୍ ମ୍ୟାରୋ ପ୍ରତ୍ୟାରୋପଣ ପାଇଁ ୫୦ଲକ୍ଷରୁ ଊର୍ଧ୍ୱ ଟଙ୍କା ଖର୍ଚ୍ଚ ହେବାକୁ ଥିଲା। ଅର୍ଥର ଅଭାବ ନଥିବା ସତ୍ତ୍ୱେ ବିଜୟଲକ୍ଷ୍ମୀ ଏକ କଠୋର ନିଷ୍ପତ୍ତି ନେଇଥିଲେ। ଏତେଗୁଡ଼ାଏ ଅର୍ଥ ସାରି ମଧ୍ୟ ତାଙ୍କ ବଞ୍ଚିବା ଓ ଆରୋଗ୍ୟ ହେବାର ସମ୍ଭାବନା କମ୍ ଥିବାରୁ ବାଦଲ ପାଇଁ ସେ ଅର୍ଥ ଖର୍ଚ୍ଚ କରିବାକୁ ଚାହିଁଥିଲେ। ବାଦଲର ଚିକିତ୍ସା ଠିକ୍ ଭାବେ କରିବା ସହ ନିଜ ସମସ୍ତ ସମ୍ପତ୍ତିରେ ଗୋଟିଏ ପୁଅ ଓ ଝିଅ ସହ ବାଦଲକୁ ବି ସମାନ ଅଂଶୀଦାର କରିଛନ୍ତି। କିନ୍ତୁ ନିଜେ କର୍କଟ ପୀଡ଼ିତ ଓ ସ୍ୱାମୀ ଅଶ୍ୱିନୀ କର ହୃଦରୋଗୀ ହୋଇଥିବାରୁ ପୋଷ୍ୟ ସନ୍ତାନ ଗ୍ରହଣ ଆଇନ୍ଗତ ଭାବେ ସମ୍ଭବ ନୁହେଁ। କିନ୍ତୁ ସରକାରୀ କାଗଜପତ୍ରଠାରୁ ଭାବଗତ ସମ୍ପର୍କ ବଡ଼ ହୋଇଥିବାରୁ ବାଦଲ ବର୍ତ୍ତମାନ ନିଜ ପୁଅଠାରୁ ବି ବଡ଼ ହୋଇଯାଇଛି ତାଙ୍କ ପାଇଁ। ପୁଣି କର୍କଟରେ କେଉଁ ମୂହୂର୍ତ୍ତରେ ଯେ ସେ ଚାଲିଯିବେ ଓ ତାଙ୍କ ମୃତ୍ୟୁ ପରେ ବାଦଲର ଯେମିତି କିଛି ଅସୁବିଧା ନହୁଏ ସେଥିପାଇଁ ବାଦଲର ପ୍ରକୃତ ମା’ଙ୍କୁ ବିଜୟଲକ୍ଷ୍ମୀ ଦିବ୍ୟାଙ୍ଗ ଶିଶୁଙ୍କ କେମିତି ଯତ୍ନ ନିଆଯାଏ ତାହା ଶିଖାଉଛନ୍ତି। ସେ କୁହନ୍ତି, ବାଦଲ ମୋର ଈଶ୍ୱରଙ୍କ ଦୂତ। ତା’ରି ପାଇଁ ମୋର ୧୦ ମାସର ଆୟୂଷ ବଢ଼ି ୧୦ ବର୍ଷ ହୋଇଗଲାଣି। ଏହା ଜାଣିବା ପରେ ଡାକ୍ତରମାନେ ବି ହତବାକ୍। ସେ କୁହନ୍ତି, ପଶୁ ପକ୍ଷୀ ବି ନିଜ ସନ୍ତାନକୁ ଭଲପାଆନ୍ତି। ସେବାଯତ୍ନ କରନ୍ତି। କିନ୍ତୁ ଯଦି ଆମେ ମଣିଷ ହୋଇ ଅବହେଳିତ ଶିଶୁଙ୍କୁ କୋଳେଇ ପାରିଲେ, ତାହା ହିଁ ହେବ ପରିପୂର୍ଣ୍ଣ ମାତୃତ୍ୱର ପରିଭାଷା। ରିପୋର୍ଟ: ସସ୍ମିତା ସାହୁ