କ୍ୟାପିଟାଲ ହସ୍ପିଟାଲରେ ସ୍ୱାସ୍ଥ୍ୟ ବୀମା କାର୍ଡ ଥାଇ ବି ରୋଗୀଙ୍କୁ ଶୋଷଣ : ସର୍ଜରିର ୨ ଡାକ୍ତର ହିଁ ମୁଖ୍ୟ କାର୍ପଟଦାର

ବୀମା କାର୍ଡରେ ଚିକିତ୍ସା ନ କରିବା ପାଇଁ ରୋଗୀଙ୍କୁ କାଉନସେଲିଂ

ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲରେ ସ୍ୱାସ୍ଥ୍ୟ ବୀମା କାର୍ଡଧାରୀ ରୋଗୀଙ୍କୁ ଶୋଷଣ କରାଯିବା ଘଟଣାରେ ନୂଆ ତଥ୍ୟ ପଦାକୁ ଆସିଛି। ବିଶେଷକରି ଆସ୍ତ୍ରାପଚାର ବା ସର୍ଜରି ବିଭାଗର ୨ଜଣ ଡାକ୍ତର ହିଁ ଏହାର ମୁଖ୍ୟ କାର୍ପଟଦାର ବୋଲି ଜଣାପଡ଼ିଛି। ସ୍ୱାସ୍ଥ୍ୟ ବୀମା କାର୍ଡ ବ୍ୟବହାର ନ କରିବା ପାଇଁ ସେମାନେ ରୋଗୀଙ୍କୁ ଜୋରଦାର କାଉନ୍‌ସେଲିଂ କରୁଛନ୍ତି। ଫଳରେ ସ୍ୱାସ୍ଥ୍ୟବୀମା କାର୍ଡ ଥାଇ ମଧ୍ୟ ରୋଗୀ ଟଙ୍କା ଦେଇ ଅସ୍ତ୍ରୋପଚାର କରୁଛନ୍ତି। ବଡ଼ କଥା ହେଉଛି, ସ୍ୱାସ୍ଥ୍ୟ ବୀମା କାର୍ଡ ବ୍ୟବହାର ନ ହେବାରୁ ହସ୍ପିଟାଲର ରୋଗୀ କଲ୍ୟାଣ ସମିତିକୁ ବୀମା କମ୍ପାନି ପକ୍ଷରୁ ମିଳିବାକୁ ଥିବା ଅର୍ଥ ଆସୁନାହିଁ।

ହସ୍ପିଟାଲ କର୍ତୃପକ୍ଷ ନିକଟରେ ଏକ ବୈଠକ ଜରିଆରେ ସମସ୍ତ ଡାକ୍ତର ଓ କର୍ମଚାରୀଙ୍କୁ ସ୍ୱାସ୍ଥ୍ୟ ବୀମା କାର୍ଡ ବ୍ୟବହାର କରିବାକୁ ଜୋର୍‌ ଦେବାକୁ କହିଥିଲେ। ଏହାସତ୍ତ୍ୱେ ରୋଗୀଙ୍କ ଶୋଷଣରେ ସୁଧାର ଆସୁ ନାହିଁ। ଏଭଳି ଅନେକ ଅଭିଯୋଗ କର୍ତୃପକ୍ଷଙ୍କ ନିକଟରେ ପହଞ୍ଚିଛି। ମାତ୍ର ହସ୍ପିଟାଲ କର୍ତୃପକ୍ଷ ସେମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ପାରୁ ନାହାନ୍ତି। ଏହାସହ ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ଏଭଳି ଘଟଣାକୁ ଜୋର ନ ଦେବା, ରୋଗୀଙ୍କ ପାଇଁ ସମସ୍ୟା ପାଲଟିଛି।

କ୍ୟାପିଟାଲ ହସ୍ପିଟାଲରେ ସର୍ଜରି ବିଭାଗରେ ଥିବା ଡାକ୍ତର ରୋଗୀଙ୍କୁ ସିଧାସଳଖ ଟଙ୍କା ମାଗୁଥିବା ଅଭିଯୋଗ ହୋଇଛି। ଏଥିପାଇଁ ରୋଗୀଙ୍କୁ ଆଡମିଟ୍‌ କରି ଜୋରଦାର କାଉନସେଲିଂ କରାଯାଉଛି। ରୋଗର ଗମ୍ଭୀରତା ଅନୁଯାୟୀ ଡାକ୍ତର ଟଙ୍କା ବରାଦ କରୁଛନ୍ତି। ବାରମ୍ବାର କାଉନ୍‌ସେଲିଂ କରାଯିବା ଫଳରେ ରୋଗୀ ଶେଷରେ ରାଜି ହୋଇଯାଉଛି। ଫଳରେ ହସ୍ପିଟାଲ୍‌ରେ ଉପଲବ୍ଧ ସମସ୍ତ ସୁବିଧାକୁ ବ୍ୟବହାର କରି ଡାକ୍ତର ରୋଗୀଙ୍କଠାରୁ ଟଙ୍କା ଲୁଟି ନେଉଛନ୍ତି। ବେଶ୍‌ କିଛି ବର୍ଷ ହେବ ହସ୍ପିଟାଲ୍‌ର ସର୍ଜରି ବିଭାଗରେ ଏଭଳି ଲୁଟ୍‌ ଚାଲିଛି।

ବର୍ଷେ ତଳେ ସର୍ଜରି ବିଭାଗରେ ଏଭଳି ଏକ ଅଭିଯୋଗ ଆସିବା ପରେ ସଂପୃକ୍ତ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଅନ୍ୟ ଜିଲ୍ଲାକୁ ସଂପୃକ୍ତ ଡାକ୍ତରଙ୍କୁ ବଦଳି କରାଯାଇଥିଲା। ମାତ୍ର ଏବେ ପୁଣି ସମାନ ଢଙ୍ଗରେ ସର୍ଜରି ବିଭାଗରେ ରୋଗୀଙ୍କଠାରୁ ଲୁଟ୍‌ ଆରମ୍ଭ ହୋଇଛି। ଅପରପକ୍ଷେ ହସ୍ପିଟାଲର ସର୍ଜରି ବିଭାଗରେ ଯେତିକି ସଂଖ୍ୟକ ଶଯ୍ୟା ରହିଛି, ତାହାକୁ ବିଭାଗରେ କାର୍ଯ୍ୟରତ ସମସ୍ତ ଡାକ୍ତରଙ୍କ ମଧ୍ୟରେ ସମାନ ଭାବେ ବଣ୍ଟନ କରାଯାଇଛି। ମାତ୍ର କିଛି ଡାକ୍ତର ରୋଗୀଙ୍କଠାରୁ ଟଙ୍କା ନେବା ପାଇଁ ମନଇଚ୍ଛା ଅନ୍ୟ ଡାକ୍ତରଙ୍କୁ ଦିଆଯାଇଥିବା ଶଯ୍ୟାରେ ଆଡମିସନ୍‌ କରିବାକୁ ନେଇ ବିବାଦ ଉପୁଜିଥିଲା। ଏପରିକି ତାହା ହସ୍ପିଟାଲର ବରିଷ୍ଠ ଅଧିକାରୀଙ୍କ ନିକଟରେ ପହଞ୍ଚିଥିଲା। ଶେଷରେ ପୂର୍ବଭଳି ଯେପରି ଯେଉଁ ଡାକ୍ତରଙ୍କୁ ଯେତିକି ସଂଖ୍ୟକ ଶଯ୍ୟା ବଣ୍ଟନ କରାଯାଇଛି, ତାହା ବଜାୟ ରଖିବାକୁ ହସ୍ପିଟାଲ କର୍ତୃପକ୍ଷ ନିର୍ଦେଶ ଦେଇଥିଲେ।

କ୍ୟାପିଟାଲ ହସ୍ପିଟାଲର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ସର୍ଜରିରେ ପୂର୍ବରୁ ଏଭଳି ଅଭିଯୋଗ ଆସିଥିଲା। ସଂପୃକ୍ତ ଡାକ୍ତରଙ୍କୁ ମଧ୍ୟ ଏଠାରୁ ବଦଳି କରାଯାଇଥିଲା। ଏହାସହ ସ୍ୱାସ୍ଥ୍ୟ ବୀମା କାର୍ଡର କିଭଳି ଅଧିକ ବ୍ୟବହାର ହେବ, ସେ ଦୃଷ୍ଟିରୁ ହସ୍ପିଟାଲର ସମସ୍ତ ଡାକ୍ତର ଓ କର୍ମଚାରୀଙ୍କୁ ନେଇ ଏକ ବୈଠକ ଡକା ଯାଇଥିଲା। ଏଥିରେ ସ୍ୱାସ୍ଥ୍ୟ ବୀମା କାର୍ଡ ବ୍ୟବହାର କରିବା ଉପରେ ସମସ୍ତଙ୍କୁ ଜୋର ଦିଆଯାଇଥିଲା। ବିନା ବୀମା କାର୍ଡ ସହାୟତାରେ ଅସ୍ତ୍ରୋପଚାର କରାଯିବା ଫଳରେ ବୀମା କମ୍ପାନି ପକ୍ଷରୁ ରୋଗୀ କଲ୍ୟାଣ ସମିତିକୁ ଆସିବାକୁ ଥିବା ଅର୍ଥ ମଧ୍ୟ ଆସୁନାହିଁ। ଫଳରେ ହସ୍ପିଟାଲର କ୍ଷତି ହେଉଛି ଓ ବୀମା କମ୍ପାନିକୁ ରୋଗୀ ପାଇଁ ଉଦ୍ଦିଷ୍ଟ ଖର୍ଚ ଅର୍ଥ ଚାଲି ଯାଉଛି। ବାରମ୍ବାର କାହିଁକି ଏଭଳି ଅଭିଯୋଗ ହେଉଛି, ତାହାର ତଦନ୍ତ କରାଯିବ ବୋଲି ଅଧିକାରୀଜଣଙ୍କ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର