ବାରଙ୍ଗ : ନନ୍ଦନକାନନର ୫୩‘ଗ’ରୁ ଚମ୍ପଟ ମରିଥିବା ମାଈ ନୀଳଗିରି ହନୁକୁ କାବୁ କରିଛନ୍ତି ନନ୍ଦନକାନନ କର୍ମଚାରୀ। ସିଝା ଅଣ୍ଡା ଓ ପ୍ରେମିକ ମୋହ ତାକୁ ଧରା ପକାଇ ଦେଇଛି। ରବିବାର ଅପରାହ୍ଣରେ ଖୁଆଡ଼ ମଧ୍ୟରୁ ବାହରିବା ପରେ ଏକ ଗଛ ଉପରେ ଲୁଚିଥିଲା। ଅନ୍ଧାର ହୋଇଯିବାରୁ ରବିବାର ତାକୁ ଧରାଯାଇ ପାରି ନଥିଲା। ରାତିସାରା କର୍ମଚାରୀମାନେ ଗଛମୂଳେ ଜଗି ବସିଥିଲେ। ନନ୍ଦନକାନନ ଉପ-ନିର୍ଦ୍ଦେଶକ ଜୟନ୍ତ କୁମାର ଦାସ, ଜନ୍ତୁ ବିଭାଗ ଏସିଏଫ୍ ଅଞ୍ଜନ କୁମାର ମହାନ୍ତି ଓ ବରିଷ୍ଠ ପ୍ରାଣୀ ଚିକିତ୍ସକ ଅନୀଲ କୁମାର ଦାସ ପରସ୍ପର ମଧ୍ୟରେ ଆଲୋଚନା କରିଥିଲେ। ଟ୍ରାଙ୍କୁଲାଇଜ୍ ନକରି ତାକୁ ଧରିବାକୁ ନିଷ୍ପତ୍ତି ହୋଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ରାତାରାତି ସ୍ୱତନ୍ତ୍ର ଯନ୍ତା ପ୍ରସ୍ତୁତ କରାଗଲା। ଯନ୍ତା ଭିତରେ ପୁରୁଷ ନୀଳଗିରି ହନୁକୁ ଭର୍ତ୍ତି କରାଗଲା। ଯନ୍ତା ମଝିରେ ଜାଲି ବାନ୍ଧି ପୃଥକ କରାଯିବା ପରେ ମୁହଁ ପାଖ ଖୋଲା ରଖାଗଲା। ସକଳେ ଯନ୍ତାଟିକୁ ମାଈ ନୀଳଗିରି ହନୁଟି ଲୁଚିଥିବା ଗଛ ମୂଳରେ ରଖାଗଲା। ପାହନ୍ତା ହେବାକ୍ଷଣି ଗଛ ଉପରେ ଲୁଚିଥିବା ମାଙ୍କଡ଼ଟିକୁ ଦାୟିତ୍ୱରେ ଥିବା ଜନ୍ତୁରକ୍ଷକ ସିଝା ଅଣ୍ଡା ଦେଖାଇ ଡାକିଥିଲେ। ଯନ୍ତା ଭିତରେ ଅଣ୍ଡିରା ନୀଳଗିରି ମାଙ୍କଡ଼ ଓ ସିଝା ଅଣ୍ଡା ମୋହରେ ସେ ଗଛ ତଳକୁ ଆସିଥିଲା। ଯନ୍ତା ଭିତରୁ ହଠାତ୍ ଅଣ୍ଡାଟିକୁ ନେଇ ଖାଇଦେଲା। କର୍ମଚାରୀମାନେ ଯନ୍ତାର ଫାଟକ ପକାଇ ପାରିଲେ ନାହିଁ। ପ୍ରଥମ ଯୋଜନା ପଣ୍ଡ ହେଲା।
ପୁନର୍ବାର ସିଝା ଅଣ୍ଡା ରଖାଯିବାରୁ ମାଙ୍କଡ଼ଟି ଯନ୍ତା ଭିତରେ ପଶିଥିଲା। ପୂର୍ବରୁ ସଜାଗ ଥିବା କର୍ମଚାରୀ ଫାଟକ ପକାଇ ଦେଇଥିଲେ। ଧରାପଡ଼ିବା ପରେ ତାକୁ ତା ସାଥୀ ସହିତ ରଖାଯାଇଛି। ନନ୍ଦନକାନନ ନିର୍ଦ୍ଦେଶକ ବିଦେଶ ଗସ୍ତରୁ ଫେରିବା ପରେ ଉଭୟଙ୍କୁ ପୁରୁଣା ମାଙ୍କଡ଼ ଘରେ ରଖାଯିବ କି ୫୩ (ଗ) ଢାଞ୍ଚାରେ ପରିବର୍ତନ କରାଯିବ ସେ ସଂପର୍କରେ ବିଚାର କରାଯିବ।