ଆମିଷ ହାଟରେ ଛାଡ଼ଖାଇ ମେଳା : ୭୦୦ କୁଇଣ୍ଟାଲ୍‌ର ମଟନ ବେପାର, ୨ ହଜାର କୁଇଣ୍ଟାଲ୍‌ ମାଛ ବିକ୍ରି

ଭୁବନେଶ୍ବର : ବିନା ଆମିଷରେ ମାସେ ବିତିବା ପରେ ଛାଡ଼ଖାଇ ସକାଳକୁ ଚାତକ ଭଳି ଚାହିଁ ରହିଥିଲେ। ପୁଣି ବୁଧବାର ଆମିଷ ବାରି ପଡ଼ିଥିବାରୁ ଆଜି ଦିନଟି ଥିଲା ସୋନେ ପେ ସୁହାଗା ସଦୃଶ। ଆମିଷ ହାଟରେ ତ ଯେମିତି ମେଳା ଲାଗିଥିଲା। ଯୋଉଠି ଆମିଷ ସେଇଠି ଗ୍ରାହକଙ୍କ ଭିଡ଼। ଆଉ ଏହି ଭିଡ଼ ଭିତରୁ ଛେଳି ଓ କୁକୁଡ଼ାଙ୍କ ଆକୁଳ ଆର୍ତନାଦ ରାସ୍ତାକଡ଼ରେ ଯାଉଥିବା ଯାତ୍ରୀଙ୍କ ହୃଦୟ ବିଦାରି ଦେଉଥିଲା। ମାଛ ବେପାରୀଙ୍କୁ ଫୁର‌୍‌ସତ ନଥିଲା। କୁକୁଡ଼ା ଓ ମା˚ସ ବ୍ୟବସାୟୀଙ୍କୁ ଦର ପଚାରିବାକୁ ଯେମିତି ଆଜି ବାରଣ ଥିଲା। ଭୁବନେଶ୍ବର ଓ ଆଖପାଖ ଅଞ୍ଚଳରେ ୩୦୦ରୁ ଊର୍ଧ୍ବ ମଟନ୍‌ ଦୋକାନ ଥିବା ବେଳେ ମା˚ସର ବିକ୍ରିବଟା ୭୦୦ କୁଇଣ୍ଟାଲ୍‌ ଟପି ଯାଇଥିଲା। ତା’ଠୁ ବଳି ଯାଇଥିଲା ଚିକେନ୍‌ ବ୍ୟବସାୟ। ୧୫୦୦ରୁ ଊର୍ଧ୍ବ ଦୋକାନରେ ଦେଢ଼ ହଜାର କୁଇଣ୍ଟାଲ୍‌ ପାଖାପାଖି ଚିକେନ୍‌ ବିକ୍ରି ହୋଇଥିଲା। ଚିକେନ୍‌ଠୁ ବେଶି ଚାହିଦାରେ ଥିଲା ମାଛ। ଭୁବନେଶ୍ବର ଓ ଏହାର ଆଖପାଖରେ ୨ ହଜାର କୁଇଣ୍ଟାଲ୍‌ ପାଖାପାଖି ମାଛ, ଚିଙ୍ଗୁଡ଼ି, କଙ୍କଡ଼ା ଆଦି ବିକ୍ରି ହୋଇଛି। କେବଳ ୪ ନ˚ ହାଟରେ ଥିବା ୪୦ଟି ଗୋଦାମରୁ ୨୦୦ କୁଇଣ୍ଟାଲ୍‌ରୁ ଅଧିକ ମାଛ ବିକ୍ରି ହୋଇଥିବା ବେଳେ ୧୫ଟି ଫାଲ୍‌କନ୍‌ ଚିଲିକା ଫ୍ରେସ୍‌ ଏବ˚ ୩ଟି ସରକାରୀ ଚିଲିକା ଫ୍ରେସ୍‌ରେ ୭୦ କୁଇଣ୍ଟାଲ୍‌ରୁ ଅଧିକ ମାଛ, ଚିଙ୍ଗୁଡ଼ି ଆଦି ବିକ୍ରି ହୋଇଛି।

କେତେକ ସ୍ଥାନରେ କୋଲକାତାରୁ ସ୍ବତନ୍ତ୍ର ଭାବେ ଖାସି ମଗା ଯାଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ଆସିଥିବା ଛେଳି ଚାହିଦା ପୂରଣ କରିପାରିନଥିଲା ବୋଲି କହିଥିଲେ ୪ନ˚ ହାଟର ମଟନ୍‌ ବ୍ୟବସାୟୀ ଏସ୍‌.କେ ମହମ୍ମଦ। ସକାଳୁ ରାତି ପର୍ଯ୍ୟନ୍ତ ମା˚ସ ବେପାରୀଙ୍କୁ ଫୁର‌୍‌ସତ ନଥିଲା। ୪ନ˚ରେ କିଛି ବଛାବଛା ଦୋକାନ ଖାସି ପାଇଁ ଜଣାଶୁଣା ଥିବାରୁ ଏଠାରେ ବେଶି ଭିଡ଼ ଦେଖିବାକୁ ମିଳିଥିଲା। ମଟନ୍‌ର ଦର ୬୦୦ରୁ ୬୫୦ ଟଙ୍କା ମଧୢରେ ରହିଥିଲା। କୋଲକାତା ବ୍ୟତୀତ ଉଦଳା, ସୋରର ବାରିକପୁର, ଗଣିଆ, ଯଶିପୁର, ବାଘମାରିରୁ ମଧୢ ଛେଳି ମଗାଯାଇଥିଲା। ମୁଖ୍ୟତଃ ୮ନ˚, ବଡ଼ଗଡ଼, ନୀଳାଦ୍ରିବିହାର, ଖଣ୍ତଗିରି, ସନ୍ତୋଷୀ ବିହାର, ବାଲିଅନ୍ତା, ହ˚ସପାଳ, ଓସ୍କାର ସିଟି ସମେତ ସବୁ ସ୍ଥାନରେ ବେପାରୀମାନେ ଦେଢ଼ କୁଇଣ୍ଟାଲ୍‌ରୁ କମ୍‌ ବିକ୍ରି କରିନଥିଲେ। କିଛି ବେପାରୀ ୭ରୁ ୧୦ କୁଇଣ୍ଟାଲ୍‌ ପର୍ଯ୍ୟନ୍ତ ବିକ୍ରି କରିଥିଲେ। ଭୁବନେଶ୍ବର ଉପକଣ୍ଠରେ ବି ମଟନ୍‌ ବେପାର ଖୁବ୍‌ ଜମିଥିଲା। ସେହିଭଳି ପିପିଲିରୁ କୁକୁଡ଼ା କାଲିଠୁ ଆସି ସାରିଥିବା ବେଳେ କୋଲକାତାରୁ ଆସିଥିବା ଦେଶୀ କୁକୁଡ଼ା ପାଇଁ ଭିଡ଼ ଜମିଥିଲା ୪ନ˚ ହାଟରେ। ଚିକେନ୍‌ କିଲୋ ୪ନ˚ ହାଟରେ ୧୬୦ରୁ ୧୮୦ ଟଙ୍କାରେ ବିକ୍ରି ହେଉଥିବା ଦେଖିବାକୁ ମିଳିଥିଲା। ଛାଡ଼ଖାଇରେ ମୂଲ୍ୟ ବୃଦ୍ଧି ହୋଇନଥିଲା ବୋଲି କହିଛନ୍ତି ୪ନ˚ ଚିକେନ୍‌ ବ୍ୟବସାୟୀ ସ˚ଘର ସମ୍ପାଦକ ପ୍ରଶାନ୍ତ କୁମାର ମଲ୍ଲିଆ।

ଇଲିସିର ଦର ସାଇଜ୍‌ ଅନୁଯାୟୀ ୬୦୦ରୁ ୨୨୦୦ ଟଙ୍କା ମଧୢରେ ରହିଥିଲେ ହେଁ ଅନେକ ଏହାକୁ ଖାତିର‌ କରିନଥିଲେ। ସେହିଭଳି ପାମ୍ପ୍ଲେଟ୍‌ ଦର ୭୦୦ରୁ ୧୬୦୦, ରୋହି ଓ ଭାକୁର ଦର ୧୬୦ରୁ ୨୫୦ ଟଙ୍କା ରହିଥିଲା। ଟାଇଗର୍‌ ଚିଙ୍ଗୁଡ଼ିର ଦର ୫୫୦ ଟଙ୍କା ରହିଥିଲା। ଏହା ବ୍ୟତୀତ ବାଗ୍‌ଦା ଚିଙ୍ଗୁଡ଼ି, କଣ୍ଟାଳି ଏବ˚ ଟାଇଗର‌୍‌ ଚିଙ୍ଗୁଡ଼ି ମଧୢ ଭଲ ବିକ୍ରି ହୋଇଥିଲା। ରୋହି ଓ ଭାକୁରର ବିକ୍ରିବଟା ଅଧିକ ହୋଇଥିଲା। ମିରିକାଳି, ପୋହଳା, ଗିମାଣି, ଥୋଡ଼ି, ବାଳିଆ, ଜଳଙ୍ଗ, ଆଳି, ସୁର‌୍‌ମାଇ, ପାମ୍ପ୍‌ଲେଟ୍‌ ଭଳି ମାଛର ବିକ୍ରିବଟା ହୋଇଥିବା ୪ନ˚ ମାଛ ବ୍ୟବସାୟୀ ସ˚ଘର ସଭାପତି ଶେଖ୍‌ ହୋସେନ୍‌ ସୂଚନା ଦେଇଛନ୍ତି। ଆନ୍ଧ୍ର ସମେତ ପୁରୀ, ବାଲେଶ୍ବର, ପାରାଦୀପ, ଅସ୍ତରଙ୍ଗ, ବାଲୁଗାଁ, ବ୍ରହ୍ମପୁର, ନୟାଗଡ଼, ଦଶପଲା, ସୋରଡ଼ା ଡ୍ୟାମ୍‌ରୁ ମାଛ ଆସିଥିଲା।

ହୋଟେଲ୍‌ରେ ପାଳିଲେ ଛାଡ଼ଖାଇ
ରାଜଧାନୀରେ ଅନେକ ଅସ୍ଥାୟୀ ବାସିନ୍ଦା ଥିବା ଚାକିରିଆ ଓ ଛାତ୍ରଛାତ୍ରୀମାନେ ଛାଡ଼ଖାଇ ମନେଇଥିଲେ ହୋଟେଲ୍‌ ଓ ରେଷ୍ଟୁରାଣ୍ଟ୍‌ରେ। ଏନେଇ ଷ୍ଟାର‌୍‌ ହୋଟେଲ୍‌ଠୁ ନେଇ ରେଷ୍ଟୁରାଣ୍ଟ୍‌ ପର୍ଯ୍ୟନ୍ତ ସବୁଠି ସ୍ବତନ୍ତ୍ର ଛାଡ଼ଖାଇ ମେନୁ ପ୍ରସ୍ତୁତ ହୋଇଥିଲା। ମଧ୍ୟାହ୍ନ ଭୋଜନ ଅପେକ୍ଷା ରାତି ଭୋଜନ ପାଇଁ ହୋଟେଲ୍‌ ଓ ରେଷ୍ଟୁରାଣ୍ଟ୍‌ରେ ପ୍ରବଳ ସମାଗମ ହୋଇଥିଲା। ହୋଟେଲ୍‌ରେ ବି ମାଛ, ଚିଙ୍ଗୁଡ଼ି, କଙ୍କଡ଼ା, ଚିକେନ୍‌ ଓ ମଟନ୍‌ର କିସମକିସମର ଆଇଟମ୍‌ ପ୍ରସ୍ତୁତ ହୋଇଥିଲା।

ସମ୍ବନ୍ଧିତ ଖବର