ସୂଚନାଧିକାର କର୍ମୀଙ୍କୁ ହତ୍ୟା ପ୍ରତିବାଦରେ ସିଭିଲ ସୋସାଇଟିର ବିକ୍ଷୋଭ

ଭୁବନେଶ୍ୱର : ଝାଡ଼ଖଣ୍ଡ ଓ ବିହାରରେ ସୂଚନାଧିକାର କର୍ମୀଙ୍କୁ ହତ୍ୟା କରିବା ଓ ମାନବ ଚାଲାଣ ବିରୋଧରେ ସ୍ୱର ଉଠାଉଥିବା ୫ଜଣ ମହିଳା ସାମାଜିକ କର୍ମୀଙ୍କୁ ଦୁଷ୍କର୍ମ କରାଯିବା ଘଟଣାକୁ ନିନ୍ଦା କରିଛି ସିଭିଲ ସୋସାଇଟି। ଆଜି ସଂଗଠନ ପକ୍ଷରୁ ପିଏମ୍‌ଜି ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ଝାଡ଼ଖଣ୍ଡ ଓ ବିହାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ସଂଗଠନର କହିବାନୁଯାୟୀ, ଝାଡ଼ଖଣ୍ଡର ସୂଚନାଧିକାର କର୍ମୀ ଶ୍ରୀ ଓରାନ୍‌ ଖଣି କମ୍ପାନିମାନଙ୍କ ମନମୁଖୀ କାର୍ଯ୍ୟ ଓ ବିସ୍ଥାପିତଙ୍କ ହକ୍‌ ପାଇଁ ଲଢ଼େଇ କରି ଆସୁଥିଲେ। ଖଣି ମାଫିଆମାନେ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ ହେଁ ପୁଲିସ ଏ ପର୍ଯ୍ୟନ୍ତ କାହାରିକୁ ଗିରଫ କରିବାରେ ସକ୍ଷମ ହୋଇନାହିଁ। ସେହିପରି ରାଜେନ୍ଦ୍ର ସିଂ ଦୁର୍ନୀତିକୁ ପଦାକୁ ଆଣିବାରୁ ତାଙ୍କୁ ହତ୍ୟା କରାଯାଇଛି।

ଅପରପକ୍ଷରେ ଚଳିତମାସ ୨୨ତାରିଖରେ ବିହାରର ଖୁଣ୍ଟି ଜିଲ୍ଲାରେ ମାନବ ଚାଲାଣ ବିରୋଧରେ ସଚେତନତା ସୃଷ୍ଟି କରୁଥିବା ୫ଜଣ ସାମାଜିକ କର୍ମୀଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା। ପୁଲିସ ତଦନ୍ତ ନ କରିବା ଓ ଦୋଷୀମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବାରୁ ସାମାଜିକ କର୍ମୀ ଓ ସୂଚନାଧିକାରୀ କର୍ମୀଙ୍କ ଉପରେ ଆକ୍ରମଣ ବଢ଼ି ଚାଲିଥିବା ସଂଗଠନ ପକ୍ଷରୁ କୁହାଯାଇଛି। ବିକ୍ଷୋଭରେ ଓଡ଼ିଶା ସୂଚନାଧିକାର ଅଭିଯାନର ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନ, ଅଖଣ୍ଡ, ପ୍ରତାପ ସାହୁ, ବିପ୍ଲବ ହୋତା ଓ ସଂଯୁକ୍ତା ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର