ଛାତ୍ର ସଂସଦ ନିର୍ବାଚନ ବନ୍ଦ, ଟଳିଲା କ୍ୟାମ୍ପସ୍‌ ହିଂସା

କେଉଁ ବର୍ଷ କେତେ ହିଂସା

ଭୁବନେଶ୍ବର: ସେପ୍ଟେମ୍ବର ଶେଷ ସପ୍ତାହରେ ନିର୍ବାଚନ ହେବ ବୋଲି ଦୁଇ ସପ୍ତାହ ତଳେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ୨୦୧୯-୨୦ ଶିକ୍ଷାବର୍ଷ କ୍ୟାଲେଣ୍ଡରରେ କୁହାଯାଇଥିଲା। ଦିନ କେଇଟା ବିତିନି ନିଷ୍ପତ୍ତିରେ ପରିବର୍ତନ ହୋଇଛି। ଏଥର ହେବନି ନିର୍ବାଚନ। ବିକଳ୍ପ ବ୍ୟବସ୍ଥା‌ରେ ଛାତ୍ର ପ୍ରତିନିଧି ଚୟନ କରାଯିବ। ଏବେ ପ୍ରଶ୍ନ ଉଠୁଛି ଯେ ଦିନ କେଇଟା ମଧ୍ୟରେ ଏମିତି କ’ଣ ହେଲା ଯେ ନିର୍ବାଚନ ବାତିଲ୍‌ କରିବାକୁ ପଡ଼ିଲା। ଉଚ୍ଚଶିକ୍ଷା ବିଭାଗର ଏଭଳି ନିଷ୍ପତ୍ତିକୁ ଶିକ୍ଷାନୁଷ୍ଠାନଗୁଡ଼ିକ ପ୍ରାୟତଃ ସମର୍ଥନ ଜଣାଇଛନ୍ତି। କେହି ବି ପ୍ରତିବାଦ କି ବିରୋଧ‌ରେ ମୁହଁ ଖୋଲିନାହାନ୍ତି।

ବିଜେଡିର ଛାତ୍ର ସଙ୍ଗଠନ ବି ନିଷ୍ପତ୍ତିକୁ ସ୍ବାଗତ କରିଛି। ତେବେ ବିରୋଧୀ ଛାତ୍ର ସଙ୍ଗଠନଗୁଡ଼ିକ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏବିଭିପି ରାସ୍ତାକୁ ଓହ୍ଲାଇଥିବା ବେଳେ ଛାତ୍ର କଂଗ୍ରେସ ସିଧାସଳଖ ଛାତ୍ର ବିଜେଡିକୁ ଟାର୍ଗେଟ୍‌ କରିଛି। ଏଆଇଏସ୍‌ଏଫ୍‌ ବି ନିଷ୍ପତ୍ତିକୁ କଡ଼ା ଭାଷାରେ ନିନ୍ଦା କରିଛି। ଏଥର ନିର୍ବାଚନ ବନ୍ଦ ପଛର ଅଦୃଶ୍ୟ କାରଣକୁ ନେଇ ସବୁ କ୍ୟାମ୍ପସରେ ଚର୍ଚ୍ଚା ଜୋର ଧରିଛି। ତେବେ ଆଜିର ନି‌‌ଷ୍ପତ୍ତିରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ ବିଗତ କିଛି ବର୍ଷ ଧରି ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ କ୍ୟାମ୍ପସ୍‌ରେ ଦେଖାଦେଉଥିବା ହିଂସା, ବୋମା ମାଡ଼, ରକ୍ତପାତ ସଙ୍ଘର୍ଷ, ଆତ୍ମାହୁତି, ଅପହରଣ ପରି ଘଟଣା ଏଥର କ୍ୟାମ୍ପସ୍‌ରେ ଦେଖିବାକୁ ମିଳିବ ନାହିଁ। କ୍ୟାମ୍ପସ୍‌ ହିଂସା ଆଶଙ୍କା ଟଳି ଥିବାରୁ ଅଭିଭାବକମାନେ ଅଶ୍ବସ୍ତି ଅନୁଭବ କରିଛନ୍ତି।

୨୦୧୮ରେ ଛାତ୍ର ସଂସଦ ନିର୍ବାଚନ ହୋଇ ନଥିଲା। ‘ମୁଁ କାହିଁକି ପ୍ରାର୍ଥୀ ହୋଇଛି’ ବୈଠକ ଦିନ ହିଁ ବାତ୍ୟା ଆଳରେ ନିର୍ବାଚନକୁ ବାତିଲ୍‌ କରାଯାଇଥିଲା। ସେତେବେଳକୁ ଅଧିକାଂଶ କ୍ୟାମ୍ପସରେ ରାଜନୈତିକ ହିଂସା ଯୋଗୁଁ ରାଜ୍ୟର ୩୫ଟି କଲେଜରେ ନିର୍ବାଚନ ବନ୍ଦ ହୋଇ ସାରିଥିଲା। ତଥାପି ନିର୍ବାଚନ ବନ୍ଦ ହୋଇ ନଥିଲା। ନିର୍ବାଚନର ୨୦ ଦିନ ପୂର୍ବରୁ ଉତ୍କଳ ବିଶ୍ବବିଦ୍ୟାଳୟରେ ଗଣ୍ଡଗୋଳ ଯୋଗୁଁ ୧୦ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଥିଲେ। ଯେଉଁଥିପାଇଁ ସାଇନ୍‌-ଏ-ଡାଏ କରାଯାଇଥିଲା। ବିଜେବି କଲେଜରେ ବି ଛାତ୍ର ଅଶାନ୍ତି ଲାଗିରହିଥିଲା। ତା’ ଭିତ‌ରେ ନିର୍ବାଚନ ପ୍ରକ୍ରିୟା ଚାଲିଥିଲା। ରାଜଧାନୀ କଲେଜ, ଦେବରାୟ କଲେଜ, ମହର୍ଷି କଲେଜ ଅଫ୍‌ ନାଚୁରାଲ ଲ’ରେ ବି ଗଣ୍ଡଗୋଳ ଭିତରେ ନିର୍ବାଚନ ପ୍ରକ୍ରିୟା ଆଗକୁ ବଢ଼ିଥିଲା।

୨୦୧୭ରେ ଗଣ୍ଡଗୋଳ ଯୋଗୁଁ ଉତ୍କଳ ବିଶ୍ବବିଦ୍ୟାଳୟ ସମେତ ପ୍ରାୟ ୧୫ଟି କ୍ୟାମ୍ପସକୁ ସାଇନ୍‌-ଏ- ଡାଏ କରାଯାଇଥିଲା। ଏହି ବର୍ଷ ବାଣୀବିହାରରେ ଘନ ଘନ ବୋମା ମାଡ଼ ହୋଇଥିଲା। ବିଜେବି ସ୍ବୟଂଶାସିତ କଲେଜକୁ ସାଇନ୍‌-ଏ-ଡାଏ ଘୋଷଣା କରାଯାଇଥିଲା। କ୍ୟାମ୍ପସରେ ଏକ ଛାତ୍ରଗୋଷ୍ଠୀର ପତିଆରା କମୁଥିବାରୁ ଜାଣିଶୁଣି ବନ୍ଦ କରି ଦିଆଯାଇଥିଲା। ସହରର ୭ଟି କ୍ୟାମ୍ପସରେ ନିର୍ବାଚନ ହୋଇଥିଲା। ‌କେତେକ କଲେଜରେ ସିଲେକ୍ସନ ମାଧ୍ୟମରେ ଛାତ୍ର ପ୍ରତିନିଧି ବଛାଯାଇଥିଲେ। ୨୦୧୬ରେ ଅନୁରୂପ ଭାବେ କ୍ୟାପିଟାଲ ଲ’ କଲେଜ ସାଇନ୍‌-ଏ-ଡାଏ ହୋଇଥିଲା। ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟରେ ବି ଗଣ୍ଡଗୋଳ ଯୋଗୁଁ ନିର୍ବାଚନ ବାତିଲ୍‌ ଓ ସାଇନ୍‌-ଏ-ଡାଏ ହୋଇଥିଲା। ଜଣେ ଛାତ୍ର ଦେହରେ ପେଟ୍ରୋଲ ଢାଳି ଆତ୍ମହୁତି ଉଦ୍ୟମ କରିଥିଲେ। ଏହାବ୍ୟତୀତ ବେସିକ୍‌ ସାଇନ୍ସ କଲେଜ, ଏକାମ୍ର କଲେଜ ଏବ˚ ସିଟି ଓମେନ୍ସ କଲେଜ କର୍ତୃପକ୍ଷ ଆଗୁଆ ନିର୍ବାଚନ ବନ୍ଦ କରିଥିଲେ। ମହର୍ଷି କଲେଜ ଅଫ୍‌ ନାଚ୍ୟୁରାଲ ଲ’ ବି ସାଇନ୍‌-ଏ-ଡାଏ ହୋଇଥିଲା। ଗଣ୍ଡଗୋଳ, ପୋଡ଼ାଜଳା ଭିତରେ ଉତ୍କଳ ବିଶ୍ବବିଦ୍ୟାଳୟରେ ନିର୍ବାଚନ ହୋଇଥିଲା। ରାଜ୍ୟର ୨୨ଟି କଲେଜରେ ନିର୍ବାଚନ ବନ୍ଦ କରାଯାଇଥିଲା। ୨୦୧୫ରେ ବି ଛାତ୍ର ସଂସଦ ହିଂସା ଶୀର୍ଷରେ ପହଞ୍ଚିଥିଲା। ନିର୍ବାଚନ ପ୍ରକ୍ରିୟା ଚାଲିଥିବାବେଳେ ପ୍ରାୟ ୨୩ଟି କଲେଜରେ ଛାତ୍ର ଅଶାନ୍ତି ଯୋଗୁଁ ନିର୍ବାଚନକୁ ବାତିଲ କରିଦିଆଯାଇଥିଲା। ଉତ୍କଳ ବିଶ୍ବବିଦ୍ୟାଳୟରେ ବି ଛାତ୍ର ହିଂସା ଚରମ ସୀମାରେ ପହଞ୍ଚିଥିଲା। ବିଜେବିରେ ଛାତ୍ରଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ।

ନିଷ୍ପତ୍ତିକୁ ସମ୍ପୂର୍ଣ୍ଣ ଭାବେ ସ୍ବାଗତ କରୁଛୁ। ଉଚ୍ଚଶିକ୍ଷା ବିଭାଗକୁ ବହୁତ ଧନ୍ୟବାଦ। ଏବେ ଯେଉଁଭଳି ଭାବେ ନିର୍ବାଚନ ହେଉଛି କ୍ୟାମ୍ପସରେ ହିଂସା ବଢ଼ୁଛି। ପ୍ରାୟ ମାସେ ଧରି କ୍ୟାମ୍ପସରେ ଠିକ୍‌ ଭାବେ କ୍ଲାସ ହୋଇପାରୁନି। କ୍ୟାମ୍ପସର ଶୈକ୍ଷିକ ବାତାବରଣ ନଷ୍ଟ ହେଉଛି। ଗଣ୍ଡଗୋଳ ଯୋଗୁଁ କ୍ୟାମ୍ପସରେ ଅଶାନ୍ତି ବଢ଼ୁଛି। ଚଏସ୍‌ ବେସଡ୍‌ କ୍ରେଡିଟ୍‌ ସିଷ୍ଟମ ଲାଗୁ ହୋଇଥିବାରୁ ପାଠପଢ଼ା କଷ୍ଟକର ହୋଇଯାଉଛି।
ଡ. ରାଜନୀରଞ୍ଜନ, ଅଧ୍ୟକ୍ଷ, ଦେବରାୟ କଲେଜ

ଛାତ୍ର ସଂସଦ ନିର୍ବାଚନ ହେବା ଦ୍ବାରା ସମୟ ନଷ୍ଟ ହେଉଥିଲା। ପାଠପଢ଼ା ବି ପ୍ରଭାବିତ ହେଉଥିଲା। ସିଲେକ୍ସନ ପ୍ରକ୍ରିୟା‌ରେ ଛାତ୍ର ପ୍ରତିନିଧି ଚୟନ ହେବା ଦ୍ବାରା ଆଉ କୌଣସି ଅସୁବିଧା ହେବ ନାହିଁ। ନିର୍ବାଚନ ବନ୍ଦ ହେବା ଦ୍ବାରା କ୍ୟାମ୍ପସରେ ଶୈକ୍ଷିକ ବାତାବରଣ ବଜାୟ ରହିବ।
ଡ. ସରିତା ସୁପକାର, ପିଜି କାଉନସିଲ୍‌ ଅଧ୍ୟକ୍ଷ, ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ

ନିର୍ବାଚନ ବନ୍ଦ ହେବା ଦ୍ବାରା ଆମେ ଆଶ୍ବସ୍ତି ଅନୁଭବ କରୁଛୁ। ଗତ ବର୍ଷ ଉତ୍କଳ ବିଶ୍ବବିଦ୍ୟାଳୟରେ ଯେଉଁଭଳି ଭାବେ ଗଣ୍ଡଗୋଳ ଲାଗିରହିଲା, ତାହାକୁ ନେଇ ଡରିଯାଇଥିଲୁ। କ୍ୟାମ୍ପସ୍‌ ହଷ୍ଟେଲ୍‌‌େର ଆମ ପୁଅ ରହୁଥିବାରୁ କେତେବେଳେ କ’ଣ ଘଟିବ, ସେ ନେଇ ଚିନ୍ତାରେ ଥିଲୁ। ଏଥର ଆଉ ସେଭଳି ହେବନାହିଁ ବୋଲି ଆଶା।
ସୁନାକର ରାଉତ, ଅଭିଭାବକ

ସ୍ବାଗତଯୋଗ୍ୟ ପଦକ୍ଷେପ। ନିର୍ବାଚନ ‌ଦ୍ବାରା ବିଦ୍ୟାଳୟ କ୍ୟାମ୍ପସରେ ରାଜନୀତି ହେଉଥିଲା। ରାଜନୈତିକ ଦଳଗୁଡ଼ିକ ଅଯଥା ହସ୍ତକ୍ଷେପ କରୁଥିଲେ। ବହୁ ସମୟ ବରବାଦ ହେଉଥିଲା। ନିର୍ବାଚନ ସମୟରେ ପିଲାମାନେ କ୍ଲାସକୁ ଆସୁ ନଥିଲେ। ଇଣ୍ଟରନାଲ ପରୀକ୍ଷା ବି ପ୍ରଭାବିତ ହେଉଥିଲା। ଏଭଳି ନିଷ୍ପତ୍ତି ଦ୍ବାରା ପିଲାଙ୍କ ପାଠପଢ଼ାରେ କିଛି ଅସୁବିଧା ହେବ ନାହିଁ। କ୍ୟାମ୍ପସର ଶୈକ୍ଷିକ ବାତାବରଣ ବଜାୟ ରହିବ।
ଅନୁସୂୟା ତ୍ରିପାଠୀ, ପୂର୍ବତନ ସଭାପତି, ରମ‌ାଦେବୀ ମହିଳା ବିଶ୍ବବିଦ୍ୟାଳୟ

ଏଥର ଯୁକ୍ତ୨ ପରୀକ୍ଷା ଫଳ ବିଳମ୍ବରେ ପ୍ରକାଶ ପାଇଛି। ଯୁକ୍ତ୩ ପାଠପଢ଼ା ବି ଡେରିରେ ଆରମ୍ଭ ହୋଇଛି। ଚଏସ୍‌ ବେସ୍‌ଡ କ୍ରେଡିଟ୍‌ ସିଷ୍ଟମ ବ୍ୟବସ୍ଥା ଲାଗୁ କରାଯାଇଛି। ତେଣୁ ନିର୍ଦ୍ଧାରିତ ସମୟରେ ପରୀକ୍ଷା ହେବା, ଫଳ ପ୍ରକାଶ ପାଇବାର ଆବଶ୍ୟକତା ରହିଛି। ସେହି ଦୃଷ୍ଟିରୁ ଦେଖିଲେ ଏହା ଭଲ ନିଷ୍ପତ୍ତି ନିଆଯାଇଛି। ଇଲେକ୍ସନ ବଦଳରେ ସିଲେକ୍ସନ ବ୍ୟବସ୍ଥା ଲାଗୁ କରିବାକୁ କୁହାଯାଇଛି। ତେଣୁ କୌଣସି ଅସୁବିଧା ହେବ ନାହିଁ।
ସ୍ବୀକୃ୍ତି ମିଶ୍ର, ଆଶାୟୀ ପ୍ରାର୍ଥୀ, ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ

ସରକାରଙ୍କ ବିରୋଧରେ ସାରା ରାଜ୍ୟରେ ସୃଷ୍ଟି ହେଉଥିବା ଛାତ୍ର ଆକ୍ରୋଶକୁ ଦବାଇବା ଲାଗି ଏହା ଏକ ଷଡ଼ଯନ୍ତ୍ର। ଛାତ୍ର ବିଜେଡି ଭିତରେ ଅସନ୍ତୋଷ ଲାଗି ରହିଛି। ସଂଗଠନରେ ଫାଟ ସୃଷ୍ଟି ହେଲାଣି। ଛାତ୍ରଛାତ୍ରୀଙ୍କ ସହ ଆଉ ଛାତ୍ର ବିଜେଡି ନାହିଁ। କ୍ୟାମ୍ପସରେ ପ୍ରାର୍ଥୀ ଦେଲେ ସଙ୍ଗଠନର ଅମାନତ ରହିବନି। ତେଣୁ ନିର୍ବାଚନ ବନ୍ଦ କରି ଛାତ୍ର ବିଜେଡି ଆଗୁଆ ଆତ୍ମସମର୍ପଣ କରିଛି। ଉଚ୍ଚଶିକ୍ଷା ବିଭାଗର ଏଭଳି ନିଷ୍ପତ୍ତି ବିରୋଧ‌ରେ ବ୍ୟାପକ ଆନ୍ଦୋଳନ କରାଯିବ।
ରାକେଶ କୁମାର ନାୟକ, ଛାତ୍ର, ୟୁନିଭରସିଟି ଲ’ କଲେଜ

ଛାତ୍ର ସଂସଦ ନିର୍ବାଚନ ବାତିଲ୍‌ ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ ଓ ଛାତ୍ର ବିରୋଧୀ। ଛାତ୍ର ରାଜନୀତିରୁ ଆସିଥିବା ଉଚ୍ଚଶିକ୍ଷା ମନ୍ତ୍ରୀ ନିଜେ ନିର୍ବାଚନ ବାତିଲ୍‌ ପାଇଁ ନିଷ୍ପତ୍ତି ନେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ରାଜ୍ୟ ସରକାର ଗଣତନ୍ତ୍ରକୁ ହତ୍ୟା କରିଛନ୍ତି। ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହାର କରାଯାଉ। ନ ହେଲେ ଆଗାମୀ ଦିନରେ ବିଶାଳ ଛାତ୍ର ଆନ୍ଦୋଳନ ହେବ।
ସଙ୍ଘମିତ୍ରା ଜେନା, ସଭାନେତ୍ରୀ, ଏଆଇଏସ୍‌ଏଫ୍‌

ସମ୍ବନ୍ଧିତ ଖବର