ଅଧ କୋଟିର ବିଲ୍‌ ଦେଖି ଜିଲ୍ଲାପାଳ ଚକିତ

କ୍ୟାପିଟାଲ ହସ୍ପିଟାଲରେ ଏସି/କମ୍ପ୍ୟୁଟର ମରାମତିରେ କେଳେଙ୍କାରୀ

ଭୁବନେଶ୍ୱର: ଦୁର୍ନୀତିର ଗନ୍ତାଘର ପାଲଟିଛି କ୍ୟାପିଟାଲ ହସ୍ପିଟାଲ। ପାଦେ ପାଦେ ଦୁର୍ନୀତିର ଗନ୍ଧ। କିଛିଦିନ ପୂର୍ବରୁ କ୍ୟାପିଟାଲ ହସ୍ପିଟାଲରେ ଔଷଧ କିଣାରେ କେଳେଙ୍କାରୀ ଘଟଣା ନଜରକୁ ଆସିବା ପରେ ଏବେ ହସ୍ପିଟାଲରେ ଏସି/କମ୍ପ୍ୟୁଟର ମରାମତିରେ ଲକ୍ଷାଧିକ ଟଙ୍କାର କେଳେଙ୍କାରୀ ହୋଇଥିବା ଚର୍ଚାକୁ ଆସିଛି। ନିକଟରେ ହୋଇଥିବା ରୋଗୀ କଲ୍ୟାଣ ସମିତି ବୈଠକରେ ସମିତିର ଉପାଧ୍ୟକ୍ଷ ତଥା ଖୋର୍ଧା ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର ଏଭଳି ଏକ ବିଲ୍‌କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏସି କମ୍ପ୍ୟୁଟର ଓ ହସ୍ପିଟାଲରେ ସଚେତନତା ପାଇଁ ପ୍ରିଣ୍ଟିଂରେ କିଭଳି ଏତେ ପରିମାଣର ଟଙ୍କା ଖର୍ଚ ହୋଇଛି ତାହାକୁ ନେଇ ଜିଲ୍ଲାପାଳ ପ୍ରଶ୍ନ କରିଥିଲେ। ହସ୍ପିଟାଲ କର୍ତୃପକ୍ଷ ଏହା ଉପରେ ନିଜର ସ୍ପଷ୍ଟ ମତ ରଖିପାରି ନ ଥିବା ସୂଚନା ମିଳିଛି। ହସ୍ପିଟାଲର କିଛି ତଳିଆ କର୍ମଚାରୀ ଏହି କେଳେଙ୍କାରୀରେ ସଂପୃକ୍ତ ଥିବା ଅଭିଯୋଗ ହେଉଛି। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗତମାସ ୧୮ତାରିଖରେ କ୍ୟାପିଟାଲ ହସ୍ପିଟାଲର ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା। ସମିତିର ଉପାଧ୍ୟକ୍ଷ ତଥା ଖୋର୍ଧା ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ରଙ୍କ ସହିତ ଅଧ୍ୟକ୍ଷ ତଥା ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଓ ହସ୍ପିଟାଲର କର୍ତୃପକ୍ଷ ଉପସ୍ଥିତ ଥିଲେ। ଏଥିରେ ହସ୍ପିଟାଲରେ ଆଗାମୀ ଦିନରେ ହେବାକୁ ଥିବା ନୂତନ ବ୍ୟବସ୍ଥା ଓ ପୂର୍ବରୁ କେଉଁ କେଉଁ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି ତାହା ଉପରେ ଆଲୋଚନା ହୋଇଥିଲା। କେଉଁ କ୍ଷେତ୍ରରେ କେତେ ଟଙ୍କା ଖର୍ଚ ହୋଇଛି ତାହାର ହିସାବ ରଖିଥିଲେ ହସ୍ପିଟାଲ କର୍ତୃପକ୍ଷ। ମାତ୍ର ଏହି ଖର୍ଚ ତାଲିକାର ୧୨ ନଂ ସ୍ଥାନରେ ହସ୍ପିଟାଲ କର୍ତୃପକ୍ଷ ଯେଉଁ ଅନ୍ୟାନ୍ୟ ହିସାବ ରଖିଛନ୍ତି ତାହାର ଖର୍ଚ ସନ୍ଦେହ ସୃଷ୍ଟି କରିଛି। ଏଥିରେ ଏସି ଓ କମ୍ପ୍ୟୁଟର ମରାମତି, ପ୍ରିଣ୍ଟିଂ ଓ ଆସବାବପତ୍ର ପାଇଁ ୫୩ଲକ୍ଷ ୨୦ହଜାର ୭୭୩ଟଙ୍କା ଖର୍ଚ ହୋଇଥିବା ଦର୍ଶାଯାଇଥିଲା। ମରାମତି ନାଁରେ ମନଇଛା ଏଭଳି ହିସାବ ଦେଇଥିଲେ ହସ୍ପିଟାଲ କର୍ତୃପକ୍ଷ। ଯାହାକୁ ନେଇ ବୈଠକରେ ଉପସ୍ଥିତ ଥିବା ଜିଲ୍ଲାପାଳ ପ୍ରଶ୍ନ କରିବା ସହିତ ବିରକ୍ତି ମଧ୍ୟ ପ୍ରକାଶ କରିଥିଲେ।

ହସ୍ପିଟାଲରେ ଥିବା ସମସ୍ତ ସାମଗ୍ରୀ ରକ୍ଷଣାବେକ୍ଷଣ ପାଇଁ ବାର୍ଷିକ ୨୬ଲକ୍ଷ ୫୦ହଜାର ୩୧୫ଟଙ୍କା ଖର୍ଚ ହେଉଥିବା ୬ନଂ ତାଲିକାରେ ରହିଛି। ତେବେ କିଭଳି ଏସି/କମ୍ପ୍ୟୁଟର ମରାମତି ପାଇଁ ଏତେ ଟଙ୍କା ଖର୍ଚ କରାଗଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ହସ୍ପିଟାଲରେ ପାଥୋଲୋଜି, ଏକ୍ସ-ରେ ଓ ଇସିଜି ପାଇଁ ଫର୍ମ ହସ୍ପିଟାଲ ପକ୍ଷରୁ ପ୍ରିଣ୍ଟିଂ କରାଯାଉଥିବା ବେଳେ ଅନ୍ୟ ସମସ୍ତ ଫର୍ମ ସରକାରୀ ପ୍ରେସ୍‌ରୁ ଆସୁଛି। ଏଥିରେ ମଧ୍ୟ ହସ୍ପିଟାଲ କର୍ତୃପକ୍ଷଙ୍କୁ ବିଶେଷ ଖର୍ଚ କରିବାକୁ ପଡ଼ୁନାହିଁ। ଏହସହ ପ୍ରିଣ୍ଟିଂ ହେଉଥିବା କାଗଜ ପାଇଁ ୭୦ଜିଏସ୍‌ଏମ୍‌ ପାଇଁ ପ୍ରିଣ୍ଟିଂ ସମୟରେ ନିର୍ଦେଶ ଦିଆଯାଉଥିବା ବେଳେ ଏହା କିନ୍ତୁ ୪୮/୫୦ ଜିଏସ୍‌ଏମ୍‌ କାଗଜରେ ପ୍ରିଣ୍ଟ ହେଉଥିବା ଅଭିଯୋଗ ହେଉଛି। ପତଳା କାଗଜ ପାଇଁ ହସ୍ପିଟାଲକୁ ପୁନର୍ବା ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କ କାଗଜ ଚିରି ଯାଉଥିବା ଅନେକ ଅଭିଯୋଗ କରୁଛନ୍ତି। ତେଣୁ ପ୍ରିଣ୍ଟିଂ, ଏସି/କମ୍ପ୍ୟୁଟର ମରାମତି ଓ ଫର୍ଣ୍ଣିଚରରେ ଅଧ କୋଟି ଟଙ୍କା କିଭଳି ଭାବେ ଖର୍ଚ ହୋଇଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ହସ୍ପିଟାଲର ବରିଷ୍ଠ ଅଧିକାରୀମାନଙ୍କ ନିକଟରେ ମଧ୍ୟ ଏଭଳି ଖର୍ଚର ହିସାବ ନାହିଁ। କ୍ୟାପିଟାଲ ହସ୍ପିଟାଲରେ ଔଷଧ କିଣାରେ ବ୍ୟାପକ କେଳେଙ୍କାରୀ ହୋଇଥିବା ଖବର ଗତମାସ ୧୧ତାରିଖରେ ‘ସମ୍ବାଦ’ରେ ପ୍ରକାଶ ପାଇଥିଲା। ଏହି ଖବର ପ୍ରକାଶ ପାଇବା ପରେ ସ୍ୱାସ୍ଥ୍ୟ ବିଭାଗର ସଚିବ ଡା.ପ୍ରମୋଦ କୁମାର ମେହେର୍ଦା ସ୍ୱାସ୍ଥ୍ୟସେବା ନିର୍ଦେଶାଳୟର ଅଧିକାରୀଙ୍କୁ ଏହାର ଯାଞ୍ଚ ନିର୍ଦେଶ ଦେଇଥିଲେ। ସ୍ୱାସ୍ଥ୍ୟସେବା ନିର୍ଦେଶାଳୟର ଅଧିକାରୀ ଏହାର ଯାଞ୍ଚ କରିବା ପରେ ରିପୋର୍ଟ ସ୍ୱାସ୍ଥ୍ୟ ବିଭାଗକୁ କିଛିଦିନ ତଳେ ପ୍ରଦାନ କରିଥିବା ଜଣାପଡ଼ିଛି। ତେବେ ଏହାର ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ହୋଇଛି ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ସମ୍ବନ୍ଧିତ ଖବର