ଆକ୍ୱାରିୟମରେ ରଙ୍ଗବେରଙ୍ଗ ମାଛଙ୍କ ଜଳକ୍ରୀଡ଼ା ଦେଖିଲେ ମନ ସ୍ୱତଃ ସତେଜ ହୋଇଯାଏ। ରଙ୍ଗିନ୍ ପଥର ଓ ପ୍ଲାଷ୍ଟିକ୍ ଗଛର ସାଜସଜ୍ଜା ଭିତରେ ମାଛଙ୍କ ଲୁଚକାଳି ଦେଖି ଆଖି ଲାଖିଯାଏ। ଏକଲାପଣକୁ ଭାଙ୍ଗିବାକୁ କେବେ ମଣିଷ ଦେଶୀବିଦେଶୀ ପକ୍ଷୀଙ୍କ କିଚିରିମିଚିରି କୋଳାହଳକୁ ଅନୁଭବ କରେ ତ କେବେ ନିଜ ଭାବକୁ ବ୍ୟକ୍ତ ପାଇଁ ଆକ୍ୱାରିୟମରେ ଥିବା ମାଛଙ୍କ ସହ ମନେମନେ କଥା ହୁଏ। ଅବାସ୍ତବ ଲାଗୁଥିଲେ ହେଁ ଅନେକଙ୍କ ପାଇଁ ଏହା ଆଶ୍ୱସ୍ତି ଆଣିଦିଏ। ଏହି ରଙ୍ଗିନ୍ ମାଛକୁ ନେଇ ସସ୍ମିତା ସାହୁଙ୍କ ଉପସ୍ଥାପନା। ଫଟୋ: ବିଭୂତି
Sambad is now on WhatsApp
Join and get latest news updates delivered to you via WhatsApp
କୋଲକାତାରୁ ଆମଦାନୀ ହୁଏ
ବିଭିନ୍ନ ରଙ୍ଗର ମାଛ ଏବେ ଘର ଓ ଆକ୍ୱାରିୟମ୍ର ଶୋଭା ବଢ଼ାଉଛନ୍ତି। ସୁନେଲି, ଲାଲ୍, ଧଳା, ନୀଳ ବିଭିନ୍ନ ଚିତା ପକା କିମ୍ବା ପଟାପଟା ଦାଗ ଥିବା ମାଛ ଆଦି ରହିଛି। ଠିକ୍ ଭାବେ ଯତ୍ନ ନେଲେ ମାଛଗୁଡ଼ିକ ୬-୧୨ ମାସ ପର୍ଯ୍ୟନ୍ତ ବଞ୍ଚି ପାରିବେ। ଓଡ଼ିଶାରେ ଏହି ରଙ୍ଗିନ ମାଛ ଉତ୍ପାଦନ ପାଇଁ ଅନୁକୂଳ ବାତାବରଣ ନ ଥିବାରୁ ରାଜଧାନୀକୁ ଏହା କୋଲ୍କାତାରୁ ଆମଦାନୀ ହୁଏ ବୋଲି ନନ୍ଦନକାନନସ୍ଥିତ ‘ମଣିବାବା ଆକ୍ୱା ଗାର୍ଡେନ୍’ର ମାଲିକ ଅମିତ କୁମାର ରାଉତ କହିଛନ୍ତି।
ଆକାର ଅନୁଯାୟୀ ଦର
ଆକ୍ୱାରିୟମ୍ ବିଭିନ୍ନ ଆକାରର ହୋଇଥାଏ। ଗୋଲ୍ ଛୋଟ ବାଉଲ୍ ଆକାରର ଆକ୍ୱାରିୟମ୍ ଦାମ୍ ୫୦ରୁ ୩୦୦ ଟଙ୍କା ଥିବା ବେଳେ ବଡ଼ ଚାରିକୋଣିଆ ଆକ୍ୱାରିୟମ୍ ୧୦୦୦ ଟଙ୍କାରୁ ଆରମ୍ଭ କରି ୫ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି। ଆକ୍ୱାରିୟମ୍କୁ ସଜାଇବା ପାଇଁ ବିଭିନ୍ନ ରଙ୍ଗର ଷ୍ଟୋନ୍, ରଙ୍ଗିନ୍ ପଥର, ଟ୍ରାନ୍ସପରେଣ୍ଟ୍ ପଥର, ଭିନ୍ନ ଭିନ୍ନ ରଙ୍ଗର ଗଛ ଓ ଦଳ ଆଦି ରହିଛି।
ଅରୁଆନାରୁ ଆଞ୍ଜେଲ୍ ୨୦୦ ପ୍ରଜାତି
ଘରେ ଆକ୍ୱାରିୟମ୍ ରଖିବା ସଂସ୍କୃତି ରାଜଧାନୀରେ ପ୍ରାୟ ୨୫ ବର୍ଷ ପୁରୁଣା। କିନ୍ତୁ ଧୀରେଧୀରେ ଏହା ରାଜଧାନୀର ଘରେ ଘରେ ପୁଣି ବିଭିନ୍ନ କାର୍ଯ୍ୟାଳୟ ଆଦିରେ ଦେଖାଗଲାଣି। ଏବେ ପ୍ରାୟ ୨୦୦ ପ୍ରକାର ରଙ୍ଗିନ୍ ମାଛ ବଜାରରେ ଉପଲବ୍ଧ। ସେଥିମଧ୍ୟରୁ ‘ଗୋଲ୍ଡ ଫିସ୍’ ସମସ୍ତଙ୍କ ଚାହିଦାର ସର୍ବାଗ୍ରେ। ଏହା ଦେଖିବାକୁ ସୁନେଲି ରଙ୍ଗର। ଏହି ମାଛ ଯୋଡ଼ାର ଦାମ୍ ୫୦ ଟଙ୍କା ରହିଛି। ପୁଣି ରହିଛି ‘ଅରୁଆନା ଫିସ୍’। ଏହା ଗୋଟିଏକୁ ୧୨୦୦ରୁ ୧୫୦୦ ଟଙ୍କା ଥିବା ବେଳେ ‘ଅରୁଆନା ରେଡ୍ ଚିଲି ଫିିସ୍’ ସବୁଠାରୁ ଦାମିକା। ଏହାର ଛୋଟ ମାଛ ୧୫ ହଜାରରୁ ୩୦ ହଜାର ଓ ବଡ଼ ୩୦ ହଜାରରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି। ଆହୁରି ରହିଛି ଓସ୍କାର, ପ୍ୟାରୋଟ୍ ଫିସ୍, ଆଞ୍ଜେଲ୍ ଫିସ୍, କାର୍ପ ଫିସ୍, ସାର୍କ, କିସିଂ, ଟେଟ୍ରା ଓ ସିଭାଙ୍ଗୀ ଆଦି ବିଭିନ୍ନ ପ୍ରଜାତିର ରଙ୍ଗିନ୍ ମାଛ।
ମାଛର ଯତ୍ନ
ମାଛ ପାଇଁ ସ୍ୱତନ୍ତ୍ର ଫିସ୍ ଫିଡ୍ ରହିଛି। ଗୋଟିଏ ମାଛକୁ ମାତ୍ର ୪ଟି ଦାନା ଦେବାକୁ ପଡ଼େ। ମାସକୁ ଥରେ ଆକ୍ୱାରିୟମ୍ ସଫା କରାଯିବା ସହ ପାଣି ବଦଳାଇବାକୁ ପଡ଼େ। ଗୋଟିଏ ଆକ୍ୱାରିୟମ୍ରେ ବିଭିନ୍ନ ପ୍ରଜାତିର ମାଛ ରହିପାରିବେ। ପ୍ରତିଦିନ ‘ମଣିବାବା ଆକ୍ୱା ଗାର୍ଡେନ୍’କୁ ୫ ହଜାର ମାଛ ଆମଦାନୀ ହେଉଥିବା ବେଳେ ଏହାର ୭୦ ଭାଗ ପ୍ରତିଦିନ ବିକ୍ରି ହୋଇଯାଏ ବୋଲି ଶ୍ରୀ ରାଉତ କହିଛନ୍ତି। ଏଥିରୁ ରାଜଧାନୀବାସୀଙ୍କ ମଧ୍ୟରେ ରଙ୍ଗିନ ମାଛ କ୍ରେଜ୍ ବେଶ୍ ଅନୁମେୟ।