ପରଦା ପଛର କାହାଣୀ : ରଙ୍ଗବୋଳା ମୁହଁ, ଛାତି ତଳେ କୋହ

0 226

ନାଚିବେ ବୋଲି ପରିବାରକୁ ପର କରି ଲୁଚିଲୁଚି ଘରୁ ଚାଲିଆସିଥିିଲେ। ଭାବିଥିଲେ ନିଜ ନୃତ୍ୟ ପ୍ରତିଭା ଓ ଭାବସ୍ପର୍ଶୀ ଅଭିନୟରେ ଦର୍ଶକଙ୍କ ବାଃ ବାଃ ସାଉଁଟିବେ। ପେଟ ଚାଖଣ୍ଡକ ପାଇଁ ଦାନା ଯୋଗାଡ଼ିବେ। ବୋଧେ ଏଇଥିପାଇଁ କେବେ ସେମାନେ ମଲମ୍‌ ମଲମ୍‌ ନୃତ୍ୟରେ ନିଆଁରେ ଗଡ଼ିଛନ୍ତି ତ କେବେ କାଚରେ ଲୋଟିଛନ୍ତି। ପୁଣି ବାହୁବଳୀ ନୃତ୍ୟରେ ବିପଜ୍ଜନକ ଷ୍ଟଣ୍ଟ୍‌ ଦେଇ ମନୋରଂଜନ ବାଣ୍ଟିିଛନ୍ତି। ଯାତ୍ରା ଜଗତରରେ ସାଜିଛନ୍ତି ଡ୍ୟାନ୍ସିଂ ଷ୍ଟାର୍‌। ତାଳି ତ ମିଳିଛି, କିନ୍ତୁ ଅନେକ ଦର୍ଶକ ଅଶ୍ଳୀଳ ଇଙ୍ଗିତ ବି କରିଛନ୍ତି। ଏ ବ୍ୟଥା ଓ ବେଦନାକୁ ନା କାହାକୁ କହି ହୋଇଛି ନା ସହି ହୋଇଛି। ବରଂ ମୁହଁ ଲୁଚେଇ କାନ୍ଦିବାକୁ ପଡ଼ିଛି। ଚିକ୍‌ମିକ୍‌ ଆଲୁଅରେ ଅନେକ ରଙ୍ଗବୋଳା ମୁହଁର ଛାତି ତଳର କୋହକୁ ନେଇ ସତ୍ୟନାରାୟଣ ରାଉତରାୟଙ୍କ ବିଶେଷ ଉପସ୍ଥାପନା। ଫଟୋ: ବିଭୂତି

ମନର ଦୁଃଖ ମନରେ ଥାଉ

ଯାତ୍ରା ନୃତ୍ୟରେ ଯେବେ ପୁଅମାନେ ଷ୍ଟଣ୍ଟ୍‌ର ଭାର ସମ୍ଭାଳିଥିଲେ ସେବେ ଏକମାତ୍ର ଝିଅ ଭାବେ ଷ୍ଟଣ୍ଟ୍‌ କରିବାକୁ ଆଗେଇ ଆସିଥିଲେ ଲକ୍ଷ୍ମୀପ୍ରିୟା ରାଉତ। ଷ୍ଟଣ୍ଟ୍‌ ରିହରସଲ୍‌ ବେଳେ ପଡ଼ି ଯାଇଥିଲେ। ରିମ୍‌ରେ ଷ୍ଟଣ୍ଟ୍‌ ବେଳେ ଆଖି ଲାଲ୍‌ ପଡ଼ି ଯାଇଥିଲା। ହେଲେ କିଏ କାଳେ ତାଙ୍କୁ ଷ୍ଟଣ୍ଟ୍‌ କରିବାକୁ ବାରଣ କରିବେ, ସେଥିପାଇଁ ସେ ଏକଥା କାହା ଆଗେ କହିଲେନି। ତୁଳସୀ ଗଣନାଟ୍ୟରେ ଷ୍ଟଣ୍ଟ୍‌ ରାଣୀ ଭାବେ ପରିଚିତ ଲକ୍ଷ୍ମୀ ଯେବେ ଦର୍ଶକଙ୍କ ଭିଡ଼ ଭିତରୁ ଉପରେ ଖସିଖସି ମଞ୍ଚକୁ ଆସନ୍ତି ସମସ୍ତେ ଆଚମ୍ବିତ ହୁଅନ୍ତି। ଲକ୍ଷ୍ମୀ କୁହନ୍ତି, କିଛି ଦର୍ଶକ କମେଣ୍ଟ୍‌ କଲେ ବହୁତ କଷ୍ଟ ଲାଗେ। କିନ୍ତୁ ମନ ଦୁଃଖ ମନରେ ରହିଯାଏ। କାହା ଆଗେ ଅବା ଦୁଃଖ ବଖାଣିବୁ, ଶୁଣିବ କିଏ ?

ମାଟି କାଦୁଅ ଫୋପାଡ଼ିବା ପରେ ବି ନାଚିଛି

ସଜେଇ ହେବାରେ ମୋର ଭାରି ସଉକ। ଇନ୍ଦ୍ରଭୁବନରେ ନୃତ୍ୟଶିଳ୍ପୀ ଥିବା ମୋ ବଡ଼ ଭଉଣୀ ଗୀତା ଅପା ଯେବେ ଘରକୁ ଆସେ ମୁଁ ତାକୁ ଗହଣାରେ ସଜେଇ ହେବା ଦେଖି ଭାରି ଲୋଭ ହୁଏ। ଭାବିଲି ଯାତ୍ରାରେ ଏମିତି ସବୁ ସଜେଇ ହେବାକୁ ଗହଣା ମିଳେ। ଏମିତି ଏକ ଧାରଣାରୁ ଦିନେ ୧୧ ବର୍ଷ ବୟସରେ ଘରୁ ଲୁଚି ଯାତ୍ରାକୁ ପଳେଇ ଆସିଥିଲି। ନାଚିବା ସମୟରେ କିଛି ମଦ୍ୟପ ଦର୍ଶକ ମାଟି କାଦୁଅ ଫୋପାଡ଼ିଥିଲେ। ମାତ୍ର ପଙ୍କ ସରସର ଦେହରେ ବି ପାଦ ଥମିନଥିଲା। ସବୁ ଦେହସୁହା ହୋଇଗଲାଣି ଆଜ୍ଞା। ଆମେ ଦୁଇ ଭଉଣୀ ଯାତ୍ରା ଆସିଥିିବାରୁ ଯେଉଁ ପରିବାର ଆମ ଉପରେ ରୋଷ କରିଥିଲେ ସେଇ ପରିବାରରେ ଆମେ ଦୁଇ ଭଉଣୀଙ୍କୁ ବାହା ଦେଇଛୁ ବୋଲି କୁହନ୍ତି ଶିଳ୍ପୀ ରୀତାରାଣୀ ମହାନ୍ତି।

ନୃତ୍ୟ ପାଇଁ ଦେହକୁ ଜାଳିଛି

ଜଳନ୍ତା ମଞ୍ଚରେ ନିଆଁ ଉପରେ ଗଡ଼ି ଯାଉଥିବା ଦୃଶ୍ୟ ହେଉ ଅବା ପ୍ୟାଣ୍ଟ୍‌ରେ ନିଆଁ ଜଳୁଥିବା ଅବସ୍ଥାରେ ନୃତ୍ୟ ମୁଦ୍ରାରେ ମସଗୁଲ୍‌ କରୁଥିବା ନୃତ୍ୟଶିଳ୍ପୀ ରାଜେଶ ବି ସେମିତି ବୟାନ କରନ୍ତି ନିଜ ଅନ୍ତରର ବେଦନାକୁ। ଏକଦା ବିପଜ୍ଜନକ ଷ୍ଟଣ୍ଟ୍‌ କରିବା ପାଇଁ ତାଙ୍କୁ ୨୧ଦିନର ଅଭ୍ୟାସ କରିବାକୁ ପଡ଼ିଥିଲା। ଯେବେ ସେ ଏହାକୁ ମଞ୍ଚ ଉପରେ କରନ୍ତି ଦେହରେ ଆଘାତ ହୁଏ। କିନ୍ତୁ ଦର୍ଶକଙ୍କ ତାଳିରେ ଏ କଷ୍ଟ ସବୁ ଉଭେଇଯାଏ।

ବାପା ମରିଗଲେ, ନିଆଁ ଦେଇପାରିଲିନି

ମୁଁ ସାନ ମଝିଆ। ତଥାପି ବାପା ଚାହୁଁଥିଲେ ସେ ମଲାପରେ ମୁଁ ତାଙ୍କ ମୁହଁରେ ନିଆଁ ଦିଅନ୍ତି। ହେଲେ ଛତିଶଗଡ଼ରେ ଯାତ୍ରା ଚାଲିଥିବା ବେଳେ ବାପା ଚାଲିଯିବା ଖବର ଆସିଲା। ହେଲେ ଯାତ୍ରା ଯୋଗୁଁ ବାପାଙ୍କ ପାଖରେ ପହଞ୍ଚିପାରିଲିନି। ପରଦିନ ଯାଇ ପହଞ୍ଚିଲି ସିନା ବାପାଙ୍କୁ ଦେଖିପାରିଲିନି। ଯାତ୍ରା ଜଗତରେ ମାନ, ଧନ, ସମ୍ମାନ ସବୁ ପାଇଛି ହେଲେ ପରିବାରକୁ ସମୟ ଦେଇପାରିନି। ଏମିତି କି ମୋ ପତ୍ନୀ ବିନୋଦିନୀ ମାଝୀ ଜଣେ ନୃତ୍ୟଶିଳ୍ପୀ ହୋଇଥିଲେ ହେଁ ଆମେ ଏକାଠି ଗୋଟିଏ ପାର୍ଟିରେ ରହିପାରିନୁ। ନାଚ ଶିଖିବି ବୋଲି ମୋ ଗୁରୁଙ୍କ ପାଇଁ ଟିଫିନ୍‌ ବୋହିଛି, ଡ୍ରେସ୍‌ ସଫା କରିଦେଇଛି। ଗୋଡ଼ ଘଷି ଦେଇଛି। ବୋଧେ ସେଇଥିପାଇଁ ଆଜି ଭଲ ନୃତ୍ୟ ସଂଯୋଜକ ଭାବେ ପରିଗଣିତ ହୋଇପାରିଛି ବୋଲି ତୁଳସୀ ଗଣନାଟ୍ୟର ନୃତ୍ୟ ସଂଯୋଜକ ଗଙ୍ଗାଧର ମାଝୀ କହିଛନ୍ତି।

ବାପା ମୋ ଉପରେ ରାଗିବନି….

ନାଚିବାକୁ ପିଲାବେଳୁ ଭାରି ଇଚ୍ଛା ଥିଲା। ହେଲେ ସୁଯୋଗ ନଥିଲା। ଅର୍କେଷ୍ଟ୍ରାରେ ନାଚୁଥିବା ବେଳେ ଶ୍ରୀକାନ୍ତଙ୍କୁ ବିବାହ କରି ତାଙ୍କ ମାଧ୍ୟମରେ ଯାତ୍ରାକୁ ଆସିଲି। ମୋର ଯାତ୍ରାକୁ ଯିବା ନେଇ ଘରେ ଅନେକଥର ବାରଣ କରିଛନ୍ତି। ତଥାପି ମୋ ମନ ମାନିଲାନି। ତେଣୁ ଯାତ୍ରାକୁ ଚାଲିଆସିଲି ବୋଲି କୁହନ୍ତି ତୁଳସୀ ଗଣନାଟ୍ୟର ରାଜଶ୍ରୀ ବରିକ। ଯେବେ ମୋ ଜନ୍ମସ୍ଥାନ ବାଲେଶ୍ୱରରେ ନାଟକ ପରିବେଷଣ ବେଳେ ମୋ ନୃତ୍ୟ ଗାଁ ଲୋକ ଦେଖିଲେ, ମୋ ନାଁରେ ଏଣୁତେଣୁ କହୁଥିବା ଲୋକେ ବି ମତେ ବହୁତ ପ୍ରଶଂସା କଲେ। ବାପାଙ୍କୁ ଆସି ବୁଝେଇଲେ। ବାପା କିନ୍ତୁ ବୁଝିଲେନି। ଛୋଟବେଳୁ ବାପା ମତେ ଭାରି ଭଲ ପାଉଥିଲେ। ତାଙ୍କର ସବୁ କାମ ମୁଁ କରିଦେଉଥିଲି। ବାପା ସିନା ମୋ ଉପରେ ରାଗିଛନ୍ତି, ହେଲେ ମୁଁ ଏବେ ବି ତାଙ୍କର ସେଇ ଅଲିଅଳି କୁନି ଝିଅ। ବାପା, ମୁଁ କଳାକାରଟିଏ ହୋଇଛି। ଆଉ କିଛି ଭୁଲ କରିନି। ମତେ ଭୁଲ ବୁଝିବନି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.

five × 5 =