କାର୍ତ୍ତିକେଶ୍ବର ଭସାଣି ଭିଡ଼ରେ ଫସିଲେ ଯାତ୍ରୀ, ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ

ବାରଙ୍ଗ: ବାରଙ୍ଗ କାର୍ତ୍ତିକେଶ୍ବର ଭସାଣି ଉତ୍ସବ ନିୟନ୍ତ୍ରଣ କରିବାରେ ପୁଲିସ ବିଫଳତା ପଦାକୁ ଆସିଛି। ଭିଡ଼ ଭିତରେ ଫସି ରହି ବହୁ ପଥଚାରୀ ହତାସ ହୋଇଥିଲେ। ଜରୁରୀ କାମରେ ଯାଉଥିବା ବ୍ୟକ୍ତି ଟ୍ରେନ ଓ ବିମାନ ଧରିବା ପାଇଁ ଯେତେ ନେହୁରା ହେଲେ ମଧ୍ୟ ପୁଲିସ କର୍ଣ୍ଣପାତ କରିନଥିଲା। ଭିଡ଼ରେ ଅଟକି ରହି ସେମାନେ ଉଡ଼ାଜାହାଜ, ରେଳ ଯାତ୍ରାରୁ ବଞ୍ଚିତ ହୋଇଥିଲେ। ଶେଷରେ ସେମାନେ ସେହିଠାରୁ ଅନ୍‌ଲାଇନ୍‌ରେ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କରିଛନ୍ତି। ପୁଲିସର ଆବଶ୍ୟକ ପଦକ୍ଷେପ ଓ ଯୋଜନା ଅଭାବରୁ ସେମାନେ କ୍ଷତିଗ୍ରସ୍ତ ହୋଇଥିବ ଅଭିଯୋଗରେ ଦର୍ଶାଇଛନ୍ତି। ଏଥିସହ ପୁଲିସ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ସୂଚନା ମୁତାବକ, ଏଥର ଉଭୟ ତ୍ରିଶୁଳିଆ ଓ ଦାଢ଼ାପାଟଣା ପଟୁ ମୋଟ ୩୦ ମେଢ଼ ଭସାଣି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ସେପଟେ ମୁଣ୍ତମୁହାଣ ଓ ନରଣପୁର ଗ୍ରାମର ମେଢ଼ ସୁଭାଷ ବୋଷ ସେତୁ ଆଡ଼କୁ ବାହାରିଥିଲେ। ତ୍ରିଶୁଳିଆ ଛକରେ ମୁଣ୍ତମୁହାଣ ଗ୍ରାମ ମେଢ଼ର ଶୋଭାଯାତ୍ରା ବେଳେ ପୁଲିସ ଓ କିଛି ଯୁବକଙ୍କ ମଧ୍ୟରେ ଧସ୍ତାଧସ୍ତି ହେବାରୁ ସେଠାରେ ଭିଡ଼ ଅଣାୟତ୍ତ ହୋଇ ପଡ଼ିଥିଲା। ଭିଡ଼ ନିୟନ୍ତ୍ରଣ ଲାଗି ୧୦ ପ୍ଲାଟୁନ୍ ପୁଲିସ ଫୋର୍ସ ସହ ନିୟୋଜିତ ଥିବା ବାରଙ୍ଗ ଥାନା ପୁଲିସ ଅସମ୍ଭବ ଭିଡ଼କୁ ନିୟନ୍ତ୍ରଣ କରିବାକୁ ବିଫଳ ହୋଇଥିଲା। ମଧୁପୁର ଠାରୁ ବାରଙ୍ଗ ଥାନା ପର୍ଯ୍ୟନ୍ତ ନିୟୋଜିତ ଥିବା ପୁଲିସ କିଛି ମାତ୍ରାରେ ଭିଡ଼କୁ ନିୟନ୍ତ୍ରଣ କରିଥିଲା। ମାତ୍ର ତ୍ରିଶୁଳିଆ ଛକରେ ସେମିତି ଭିଡ଼ ଲାଗି ରହିଥିଲା। ଶହ ଶହ ସଂଖ୍ୟାରେ କାର୍‌, ବସ୍‌ ଓ ବାଇକ୍ ଅଗକୁ ବଢ଼ି ପାରିନଥିଲା।

ସମ୍ବନ୍ଧିତ ଖବର